Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2232317

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. No Heat wave for three days: ତିନି ଦିନ ପରେ ବଦଳି ପାରେ ପାଣିପାଗ 
ଆସନ୍ତା ତିନି ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।  ଏହାସହ ଉପକୂଳ ଓଡ଼ିଶାରେ ରହିବ ନାହିଁ ହିଟ୍‍ଓ୍ୱେଭ୍‍ ସମ୍ଭାବନା। ତିନିଦିନ ପରେ ଦିନ ତାପମାତ୍ରା ୩ରୁ ୪ ଦିନ କମିପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  କିନ୍ତୁ ୬ ଦିନ ପରେ ପୁଣି ଫେରିପାରେ ତାତି ଓ ଗ୍ରୀଷ୍ମ ପ୍ରବାହ। 

H2. Last Day for Nomination to 2nd Phase Poll: ଆଜି ନାମାଙ୍କନର ଶେଷ ଦିନ
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଶେଷ ଦିନ। ଏହି ପର୍ଯ୍ୟାୟରେ ୫ ଲୋକସଭା ଆସନ ଏବଂ ୩୫ ବିଧାନସଭା ଲାଗି ଏକସଙ୍ଗେ ଭୋଟ ଗ୍ରହଣ କରାଯିବ।  ବିଶେଷକରି ରୀାଜ୍ୟର ପଶ୍ଚିମାଞ୍ଚଳ ଏହି ପର୍ଯ୍ୟାୟରେ ଭୋଟ ଦେବ। ଗତକାଲି ସୁଦ୍ଧା ଏଥିଲାଗି ସମୁଦାୟ ୩୫ ଜଣ  ଲୋକସଭା ଆଶାୟୀ ଏବଂ ୨୧୧ ଜଣ ବିଧାନସଭା ପ୍ରାର୍ଥୀ ଲାଗି ଆଶାୟୀ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦେଖଲ କରିଛନ୍ତି। ଆଜି ଆଉ କିଛି ଆଶାୟୀ ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିପାରନ୍ତି। ଏହି ପର୍ଯ୍ୟାୟରେ ବରଗଡ଼, ବଲାଙ୍ଗୀର, ଆସ୍କା, ସୁନ୍ଦରଗଡ଼ ଏବଂ କନ୍ଧମାଳ ଲୋକସଭା ମଣ୍ଡଳୀ ରହିଛି।  ୨୦ ତାରିଖ ଦିନ ଏଠାରେ ଭୋଟ ହେବ। 

H3.Nomination continues for 3rd Phase Simultaneous Poll: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଜାରି
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଧ୍ୟ ରାଜ୍ୟରେ ନାମାଙ୍କନ ଜାରି ରହିଛି। ଏହି ପର୍ଯ୍ୟାୟରେ ୬ଟି ବିଧାନସଭା ଏବଂ ୪୨ ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ହେବ। ପଶ୍ଚିମାଞ୍ଚଳର ପ୍ରମୁଖ ପ୍ରାଣକେନ୍ଦ୍ର ସମ୍ବଲପୁର ସମେତ ଉପକୂଳ ତଥା ରାଜ୍ୟର ଆଧ୍ୟାତ୍ମିକ କେନ୍ଦ୍ରସ୍ଥଳ ପୁରୀ, ଐତିହ୍ୟ ନଗରୀ କଟକ, ଯାଜପୁର, ରାଜଧାନୀ ଭୁବନେଶ୍ୱର, ଢେଙ୍କାନାଳ ଏବଂ କେନ୍ଦୁଝର ଲୋକସଭା ମଣ୍ଡଳୀ ଏଥର ଭୋଟ ଦେବ। ଏଯାଏ ଏହି ୬ ଲୋକସଭା ମଣ୍ଡଳୀ ଲାଗି ୧୧ଜଣ ପ୍ରାର୍ଥୀ ଏବଂ ବିଧାନସଭା ଲାଗି ୯୦ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 

H4. Sujata Karthikeyan Transferred:  ବଦଳିଲେ ସୁଜାତା କାର୍ତ୍ତିକେୟନ
ମିଶନଶକ୍ତି ମାଧ୍ୟମରେ ଭୋଟକୁ ପ୍ରଭାବିତ କରୁଥିବା ଅଭିଯୋଗରେ ଏହାର ନିର୍ଦ୍ଦେଶିକା ତଥା ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍‍ଙ୍କୁ ବଦଳି ଆଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ  କମିଶନ। ସେ ମିଶନ ଶକ୍ତି ମା’ ମାନଙ୍କୁ ବିଜେଡି ପକ୍ଷରେ ଭୋଟ୍‍ ଦେବା ପାଇଁ ପ୍ରବର୍ତ୍ତାଉଛନ୍ତି ବୋଲି ରାଜ୍ୟ ବିଜେପି  ଉଭୟ ରାଜ୍ୟ ଓ କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା। ଏହା ପରେ ତାଙ୍କୁ ତତ୍‍କ୍ଷଣାତ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  

H5. 25 Pieces long logs to Sri Jagannath Temple: ଘୁମୁସର ଜଙ୍ଗଲରୁ ଆସିଲା ଧଉରା କାଠ 
ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ଜଙ୍ଗଲରୁ ଧଉରା କାଠ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରଥ ଖଳାକୁ ଆସିଛି। ଶ୍ରୀଜିଉଙ୍କ ରଥ ଅଖ ଏବଂ ସ୍ତମ୍ଭସବୁ ନିର୍ମାଣ ଲାଗି ଏହି ଶକ୍ତ କାଠ ବ୍ୟବହାର ହେବ। ଏଥିରେ ୪୦ ଫୁଟିଆ ୨୨ଟି ଏବଂ ୨୦ ଫୁଟିଆ ୩ଟି ଧଉରା ଗଣ୍ଡି ରହିଛି।  ପୁରୀର ଏକ ସ୍ୱତନ୍ତ୍ର ୫ ଜଣିଆ ସେବାୟତ ଟିମ୍‍ ପୂର୍ବରୁ ଜଙ୍ଗଲ ବୁଲି ଆବଶ୍ୟକ ୧୦୮ଟି ଗଛ ଏଥିପାଇଁ ଚିହ୍ନଟ କରିଥିଲେ। ଏହାକୁ ନଜରରେ ରଖି ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷ ଏହି ଗଛ କାଟି ଗୁରୁବାର ଦିନ ପୁରୀ ପଠାଇଛନ୍ତି। ଏହା ପ୍ରଥମ ପର୍ଯ୍ୟାୟ କାଠ ପ୍ରେରଣ ଏବଂ ଆଗକୁ ଆବଶ୍ୟକତା ଅନୁସାରେ ଅଧିକ କାଠ ପଠାଯିବ ବୋଲି ସୂଚନା ମିଳିଛି। 

H6. Price rise : ୩୫ ଟଙ୍କା ବଢିଲାଣି ହରଡ଼ ଡାଲି
ଦୁଇମାସ ଭିତରେ ୩୫ ଟଙ୍କା ବଢ଼ିଛି ହରଡ଼ଡାଲି ଦର। ମୁଖ୍ୟତଃ ମହାରାଷ୍ଟ୍ର ଏବଂ ଛତିଶଗଡ଼ରୁ ରାଜ୍ୟକୁ ହରଡ଼ ଡାଲି ଆସିଥାଏ। ସେଠାରେ ଦର ସ୍ଥିର ରହିବା ସତ୍ତ୍ୱେ କିଛି ଅସାଧୁ ବ୍ୟବସାୟୀଘଙ୍କ ଷଡ଼ଯନ୍ତ୍ର ହେତୁ ରାଜ୍ୟରେ ଏପରି ଦର ବୃଦ୍ଧି ହୋଇଥିବା ନେଇ ଆଶଙ୍କା କରାଯାଇଛି। ଫେବୃୟାରୀରେ ଯେଉଁ ଡାଲି ୧୩୦ଟଙ୍କା ବିକ୍ରି ହେଉଥିଲା ଏବେ ତାହା ୧୬୫ ଟଙ୍କାରେ ବିକ୍ରି ହେଉଥିବା ସୂଚନା ମିଳିଛି। 

H7. +2 Results may come in the 3rd week: ତୃତୀୟ ସପ୍ତାହ ଭିତରେ ଯୁକ୍ତ ଦୁଇ ପରୀକ୍ଷା ଫଳ
ମେ ତୃତୀୟ ସପ୍ତାହରେ ରାଜ୍ୟ ଯୁକ୍ତ ଦୁଇ ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାର ସମସ୍ତ ବର୍ଗର ଫଳାଫଳ ପ୍ରକାଶ ପାଇବ। ଏନେଇ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଛି। ମୂଲ୍ୟାୟନ ଶେଷ ହେବା ପରେ ତାହାକୁ ଓ୍ୱେବସାଇଟରେ ଲୋଡ କରିବା କାର୍ଯ୍ୟ ଜାରି ରହିଛି। ଏବର୍ଷ ୩ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। 

H8. 10 severely injured in KJS Steel plant: କେଜେଏସ୍‍ ଆଲୁଓ୍ୱାଲିଆ ଷ୍ଟିଲ୍‍ ପ୍ଲାଣ୍ଟରେ ୧୦ଜଣ ଶ୍ରମିକ ଗୁରୁତର
କେନ୍ଦୁଝର ଜିଲ୍ଲା ବଡ଼ବିଲ୍‍ର ରୁଗୁଡ଼ିସ୍ଥିତ କେଜେଏସ୍‍ ଆଲୁଓ୍ୱାଲିଆ ଷ୍ଟିଲ୍‍ ପ୍ଲାଣ୍ଟରେ ୧୦ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଏକ ଭୟାନକ ବିସ୍ଫୋରଣ ହେତୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ଭିତରୁ ୪ ଜଣ ଅତ୍ୟନ୍ତ ଗୁରୁତ୍ର ହୋଇଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‍ ସ୍ଥାନାନ୍ତର କରାଯାଇଛି। ଏହି ପ୍ଲାଣ୍ଟରେ ସୁରକ୍ଷା ନିୟମ ଉଲ୍ଲଂଘନ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି। ଏଥିଯୋଗୁ ନିକଟ ଅତୀତରେ ବାରମ୍ବାର ଦୁର୍ଘଟଣା ଘଟି ଶ୍ରମିକଙ୍କ ଜୀବନ ଯାଇଥିବା ନଜୀର ରହିଛି। ଗତ ଜାନୁୟାରୀ ମାସରେ ମଧ୍ୟ ଏହିପରି ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ତିନିଜଣଙ୍କ ପ୍ରାଣ ଯାଇଥିଲା। ସେହିପରି ୨୦୧୩ ଓ ୨୦୧୭ରେ ମଧ୍ୟ ଅନୁରୂପ ବିସ୍ଫୋରଣ ଘଟିଥିଲା। ସେତେବେଳେ ଏହି ପ୍ଲାଣ୍ଟର ନାଁ ହେମା ଇସ୍ପାତ ଥିଲା।

H9. CAA From 3rd week: ନୂଆ ନାଗରିକତା ପ୍ରଦାନ
ନୂଆ ନାଗରିକତା ସଂଶୋଧନ ବିଧି ଅନୁସାରେ ଚଳିତ ମାସ ଶେଷ ଆଡ଼କୁ ନାଗରିକତା ପ୍ରଦାନ ଆରମ୍ଭ ହେବ। ଯେଉଁ ହିନ୍ଦୁ, ବୌଦ୍ଧ, ଜୈନ, ଶିଖ୍‍ ଶରଣାର୍ଥୀ ପଡ଼ୋଶୀ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ଓ ଅନ୍ୟ ଦେଶରୁ ଭାରତ ଆସି ଏଠାରେ ରହିଛନ୍ତି ସେମାନଙ୍କୁ ଭାରତ ନାଗରିକତା ଦେବା ଆରମ୍ଭ କରିବ। ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନ ଶେଷ ଆଡ଼କୁ ଏହି ପ୍ରକ୍ରିୟା ରୂପାୟନ କରାଯିବ ବୋଲି ସେ କହିଛନ୍ତି। 

H10. China to resume diplomatic relations: ଭାରତରେ ରାଷ୍ଟ୍ରଦୂତ ନିଯୁକ୍ତ କରିବ ଚୀନ
ଦୀର୍ଘ ୧୮ ମାସର ବ୍ୟବଧାନ ପରେ ଚୀନ ଭାରତରେ ନିଜର ରାଷ୍ଟ୍ରଦୂତ ନିଯୁକ୍ତ କରିବାକୁ ଯାଉଛି। ଜୁ ଫୈହଙ୍ଗ ଏହି ନୂଆ ରାଷ୍ଟ୍ରଦୂତ ହୋଇପାରନ୍ତି। ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଏହି ରିପୋର୍ଟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ପ୍ରକୃତ ସୀମାରେଖା ( ଲାଇନ୍‍ ଅଫ୍‍ ଆକ୍ଚୁଆଲ କଣ୍ଟ୍ରୋଲ)ରେ ଦୁଇ ଦେଶର ସେନାବାହିନୀ ମୁହାଁମୁହିଁ ହେବା ପ୍ରସଙ୍ଗକୁ ନେଇ ଅକ୍ଟୋବର ୨୦୨୨ ମସିହାରୁ ଏହି ପଦବୀ ଖାଲି ପଡ଼ି ଆସିଛି। ଏଥିଲାଗି ଭାରତ ଓ ଚୀନ ଭିତରେ କୂଟ ନୀତିକ ସମ୍ପର୍କ ମଧ୍ୟ ଖରାପ ହୋଇଛି।