ପୁରୀ: ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିଛି। ସେବାୟତମାନେ ଏହି ଆଜ୍ଞାମାଳ ନେଇ ଶ୍ରୀମନ୍ଦିରର ଅଭିମୁଖେ ଆସୁଥିବା ସୂଚନା ମିଳିଛି। ରତ୍ନ ଭଣ୍ଡାର ଖୋଲିବା ପୂର୍ବରୁ କମିଟିର ମୁଖ୍ୟ ଜଷ୍ଟିସ୍‌ ବିଶ଼୍ବନାଥ ରଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ମହାପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି।


COMMERCIAL BREAK
SCROLL TO CONTINUE READING

ଲୋକନାଥ ମହାପ୍ରଭୁ, ମହାଲକ୍ଷ୍ମୀ, ବାବା ଲୋକନାଥ ଓ ମା’ ବିମଳା ଆଶୀର୍ବାଦଙ୍କ ନେଇ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ଖୋଲିବା ସମୟରେ ଭଣ୍ଡାର ମେକାପ, ଦେଉଳକରଣ, ତଢ଼ଉକରଣ, ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ସୂଚନା ଦେଇଛନ୍ତି। ଠାକୁରଙ୍କ ଖଟଶେଜ ଘରକୁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି। ଏଠାରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ମଣତି ପର୍ଯ୍ୟନ୍ତ ଗଚ୍ଛିତ ରଖାଯିବ ବୋଲି ଜଣାପଡ଼ିଛି।


ସୂଚନାଯୋଗ୍ୟ, ୪୬ ବର୍ଷର ବ୍ୟବଧାନ ପରେ ଆଜି ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏଥିପାଇଁ ଚୂଡ଼ାନ୍ତ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଏସମ୍ପର୍କରେ ଗତକାଲି ସନ୍ଧ୍ୟାରେ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଏହି ଏସ୍‌ଓପି ଆଧାରରେ ଶୁଭ ବେଳା ଦେଖି ଆଜି ରତ୍ନଭଣ୍ଡାର ତାଲା ଖୋଲାଯିବ। ଦିନ ୧ଟାରୁ ସାଢ଼େ ୧ଟା ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା କରାଯାଇଛି। ଶନିବାର ବିଳମ୍ବିତ ରାତିରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସହ କମିଟିର ଅନ୍ୟ ସଦସ୍ୟମାନେ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।