ESICର କୋଭିଡ୍ ରିଲିଫ୍ ଯୋଜନା; ମୃତକଙ୍କ ପରିବାରକୁ ପେନସନ୍ ସହ ମିଳିବ ଏହି ସୁବିଧା
ଯେଉଁ ଘରୋଇ କର୍ମଚାରୀ କିମ୍ବା ଶ୍ରମିକ ESIC ବୀମା ଭୁକ୍ତ ହୋଇଥିବେ, ସେମାନଙ୍କ ପରିବାରକୁ ମାସିକ ପେନସନ୍ ମିଳିବ। କେନ୍ଦ୍ର ସରକାରଙ୍କ ESIC ପକ୍ଷରୁ କୋଭିଡ୍ ରିଲିଫ୍ ଯୋଜନା ନାମରେ ସହାୟତା ଯୋଗାଇ ଦିଆଯିବ।
ଅନୁଗୁଳ: ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ କୋରୋନାରେ ହୋଇଥିଲେ ପରିବାରକୁ ମିଳିବ ପେନସନ। କୋରୋନା ମହାମାରୀ ଯୋଗୁଁ ବହୁ ପରିବାର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଉଛନ୍ତି। ଏହାପରେ ପୀଡିତ ପରିବାର ଏକ ପ୍ରକାରର ବେସାହାରା ହୋଇଯାଉଛନ୍ତି। କିନ୍ତୁ ଯେଉଁ ଘରୋଇ କର୍ମଚାରୀ କିମ୍ବା ଶ୍ରମିକ ESIC ବୀମା ଭୁକ୍ତ ହୋଇଥିବେ, ସେମାନଙ୍କ ପରିବାରକୁ ମାସିକ ପେନସନ୍ ମିଳିବ। କେନ୍ଦ୍ର ସରକାରଙ୍କ ESIC ପକ୍ଷରୁ କୋଭିଡ୍ ରିଲିଫ୍ ଯୋଜନା ନାମରେ ସହାୟତା ଯୋଗାଇ ଦିଆଯିବ।
ବର୍ତ୍ତମାନ ଅଧିକାଂଶ ଲୋକ ESICର କୋଭିଡ୍ ରିଲିଫ୍ ଯୋଜନା ବିଷୟରେ ଅଜ୍ଞ ଅଛନ୍ତି। ଯଦି କୌଣସି କୋରୋନା ମୃତକ ESIC ବୀମାଭୁକ୍ତ ହୋଇଥିବେ, ତେବେ ତାବେ ତାଙ୍କ ପରିବାରକୁ ପେନସନ୍ ମିଳିବ। ଏହି ସୁବିଧା ପାଇବାକୁ ହେଲେ ଆବଶ୍ୟକୀୟ କାଗଜପତ୍ର ସହ ନିକଟସ୍ତ କାର୍ଯ୍ୟାଳୟରେ ଆବେଦନ କରିବାକୁ ESIC ପକ୍ଷରୁ ଅନୁରୋଧ କରାଯାଇଛି।
Also Read: ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତ୍ତନର ଶଙ୍ଖନାଦ
ESICର କୋଭିଡ୍ ରିଲିଫ୍ ଯୋଜନାରେ ପୀଡିତ ପରିବାରକୁ ମୃତ ବ୍ୟକ୍ତିଙ୍କ ଦରମାର ୯୦ ପ୍ରତିଶତ ଅର୍ଥ ପେନସନ ଆକାରରେ ଦେବାର ବ୍ୟବସ୍ଥା ଅଛି। ୨୦୨୦ ମାର୍ଚ୍ଚ ୨୦ରୁ ଏହାକୁ ପିଛିଲା ଭାବେ ଲାଗୁ କରାଯାଇଛି। ବୀମାଭୁକ୍ତ ବ୍ୟକ୍ତି କୋରୋନାରୁ ଆରୋଗ୍ୟ ହେବାର ୩୦ ଦିନ ଭିତରେ ମୃତ୍ୟୁ ହୋଇଥିଲେ ମଧ୍ୟ ପରିବାର ଏହି ଯୋଜନାର ଲାଭ ପାଇପାରିବେ। ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ମୃତ୍ୟୁ ପ୍ରମାଣପତ୍ର ଓ କୋଭିଡ୍ ପଜିଟିଭ୍ ରିପୋର୍ଟ ଦାଖଲ କରିବାକୁ ପଡିବ।
ଏହା ବ୍ୟତୀତ ମୃତ ଶ୍ରମିକଙ୍କ ସ୍ୱାମୀ ବା ସ୍ତ୍ରୀ ୧୨୦ ଟଙ୍କା ଦେଇ ବର୍ଷେ ପର୍ଯ୍ୟନ୍ତ ESIC ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ। ଅନୁଗୁଳ ESIC ଶାଖା ପ୍ରବନ୍ଧକ ସତ୍ୟବ୍ରତ ପାଳଙ୍କ ଦ୍ୱାରା ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲାରେ ପ୍ରାୟ ୮୦ ହଜାର ବୀମାଭୁକ୍ତ ଶ୍ରମିକ ଅଛନ୍ତି।