ଦୁବାଇ: ଭାରତୀୟ କ୍ରିକେଟ୍ ଦଳ ଶେଷରେ T20 World Cup 2021ରେ ପ୍ରଥମ ବିଜୟ ହାସଲ କରିଛି। ଆବୁଧାବିର ଶେଖ ଜାଏଦ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ସୁପର ୧୨ ମ୍ୟାଚରେ ଟିମ୍ ଇଣ୍ଡିଆ, ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିଛି। ଟସ୍ ହାରିବା ପରେ ବ୍ୟାଟିଂ ପାଇଁ ସୁଯୋଗ ପାଇଥିବା ଭାରତୀୟ ଦଳ ୨୦ ଓଭରରେ ଦୁଇଟି ୱିକେଟ୍ ହରାଇ ୨୧୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ଦଳ ସାତ ୱିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ମାତ୍ର ୧୪୪ ରନ୍ ସ୍କୋର କରିପାରିଥିଲା। ଏହି ଟୁର୍ନାମେଣ୍ଟରେ ଆଫଗାନିସ୍ତାନର ଏହା ଦ୍ୱିତୀୟ ପରାଜୟ।


COMMERCIAL BREAK
SCROLL TO CONTINUE READING

ଆଫଗାନିସ୍ତାନ ଏକ ସମୟରେ ଦ୍ୱାଦଶ ଓଭରରେ ମାତ୍ର ୬୯ ରନ୍ ପାଇଁ ପାଞ୍ଚଟି ୱିକେଟ୍ ହରାଇଥିଲା। ତା’ପରେ ଲାଗୁଥିଲା ଯେପରି ଟିମ୍ ଇଣ୍ଡିଆ ଏକ ବଡ଼ ବ୍ୟବଧାନରେ ଜିତିବ। କିନ୍ତୁ ଅଧିନାୟକ ମହମ୍ମଦ ନବୀ ଏବଂ ଅଲରାଉଣ୍ଡର କରିମ ଜନତ ଷଷ୍ଠ ୱିକେଟ୍ ପାଇଁ ୫୭ ରନ୍ ଯୋଡି ନିଜ ଦଳର ପରାଜୟର ମାର୍ଜିନକୁ ହ୍ରାସ କରିଛନ୍ତି। ମହମ୍ମଦ ନବୀ ୩୨ଟି ବଲରେ ଦୁଇଟି ଚଉକା ଓ ଗୋଟିଏ ଛକା ସହାୟତାରେ ୩୫ ରନ ସ୍କୋର କରିଥିଲେ। ଏଥି ସହିତ ଜନତ ୨୨ଟି ବଲରେ ୪୨ ରନର ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟ୍‌ରୁ ତିନି ଚଉକା ଓ ଦୁଇଟି ଛକା ଆସିଥିଲା।


Also Read: T20 World Cup: ଆଜି ଭାରତ ପାଇଁ ଖୋଲିପାରେ ସେମିଫାଇନାଲକୁ ରାସ୍ତା; ଜାଣନ୍ତୁ ସମୀକରଣ


ଭାରତ ପାଇଁ ମହମ୍ମଦ ଶାମି ଚାରି ଓଭରରେ ୩୨ ରନ୍ ପାଇଁ ତିନୋଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚରୁ ପ୍ରାୟ ଚାରି ବର୍ଷ ପରେ ସୀମିତ ଓଭର କ୍ରିକେଟକୁ ଫେରିଥିବା ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ତାଙ୍କ ଚାରି ଓଭରରେ ମାତ୍ର ୧୪ ରନ୍ ପାଇଁ ଦୁଇଟି ୱିକେଟ୍ ନେଇଥିଲେ। ଟିମ୍ ଇଣ୍ଡିଆ ଓପନର୍ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ଦ୍ୱାରା ଏକ ଭଲ ଆରମ୍ଭ କରିଥିଲା। ଉଭୟ ୧୪.୪ ଓଭରରେ ପ୍ରଥମ ୱିକେଟ୍ ପାଇଁ ୧୪୦ ରନ୍ ଯୋଡିଥିଲେ। ୪୭ ବଲରେ ୭୪ ରନ୍ ସ୍କୋର କରିବା ପରେ ରୋହିତ ଆଉଟ୍ ହୋଇଥିଲେ। ଏଥିସହିତ କେ.ଏଲ୍ ରାହୁଲ ୪୮ ବଲରେ ୬୯ ରନ୍ ସଂଗ୍ରହ କରିଥିଲେ। 


ଏକ ଭଲ ଆରମ୍ଭ କରିବା ପରେ ଅଧିନାୟକ କୋହଲି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ତିନି ନମ୍ବରରେ ପଠାଇଥିଲେ। ତିନିଟି ଛକା ସହାୟତାରେ ପନ୍ତ ମାତ୍ର ୧୩ ବଲରେ ଅପରାଜିତ ୨୭ ରନ୍ ସ୍କୋର କରିଥିଲେ। ଏଥି ସହିତ ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲରେ ୩୫ ରନର ଇନିଂସ ଖେଳିଥିଲେ। ଅନ୍ୟପକ୍ଷରେ ଆଫଗାନିସ୍ତାନ ପାଇଁ ଗୁଲାବଦ୍ଦିନ ନାଏବ ଏବଂ କରିମ ଜନତ ଗୋଟିଏ ଲେଖାଏଁ ୱିକେଟ୍ ପାଇଛନ୍ତି। ଷ୍ଟାର ସ୍ପିନର ରସିଦ ଖାନ କୌଣସି ସଫଳତା ପାଇନାହାଁନ୍ତି। ସେ ତାଙ୍କ ଚାରି ଓଭରରେ ମୋଟ ୩୬ ରନ୍ ଦେଇଥିଲେ।