(EXCLUSIVE) ଏକଦା ଷାଠିଏରୁ ଅଶୀ ଦଶକ ମଧ୍ୟରେ ଓଡ଼ିଶାରେ ଯେଉଁ ସିନେମା ତିଆରି ହେଉଥିଲା, ତାହା ହେଉଛି ଓଡ଼ିଆ ସିନେମାର ମାଇଲଖୁଣ୍ଟ। ଏହା ପୂର୍ବରୁ ବି ଅନେକ ସିନେମା ତିଆରି ହୋଇଛି। କିନ୍ତୁ, ଓଡ଼ିଆ ସାହିତ୍ୟକୁ ନେଇ ତିଆରି ହୋଇଥିବା ସର୍ବାଧିକ ସିନେମା ଏହାରି ଭିତରେ ନିର୍ମାଣ କରାଯାଇଛି। ଓଡ଼ିଆ ଉପନ୍ୟାସକୁ ନେଇ କାହ୍ନୁ ଚରଣଙ୍କ 'ଅଭିନେତ୍ରୀ', 'କା' ଓ 'ତୁଣ୍ଡ ବାଇଦ', ଉପେନ୍ଦ୍ର କିଶୋର ଦାସଙ୍କ 'ମଲାଜହ୍ନ', ବସନ୍ତକୁମାରୀ ଦେବୀଙ୍କ 'ଅମଡ଼ା ବାଟ', କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ 'ମାଟିର ମଣିଷ', ନନ୍ଦକିଶୋର ବଳଙ୍କ 'କନକଲତା', ଫକିର ମୋହନଙ୍କ 'ଛ ମାଣ ଆଠ ଗୁଣ୍ଠ', ବିଭୁତି ପଟ୍ଟନାୟକଙ୍କ 'ବଧୂ ନିରୁପମା', ସୁକାମିନୀ ନନ୍ଦଙ୍କ 'ଅଦିନ ମେଘ' ଆଦିକୁ ନେଇ ତିଆରି ହୋଇଛି ଓଡ଼ିଆ ସିନେମା। ସେହିପରି କାଳିଚରଣ ପଟ୍ଟନାୟକ, କମଳ ଲୋଚନ ମହାନ୍ତି, ଭଞ୍ଜ କିଶୋର ପଟ୍ଟନାୟକ, ବସନ୍ତ ମହାପାତ୍ର, ରଘୁନାଥ ମିଶ୍ର, ବିଜୟ ମିଶ୍ର, ମନୋରଞ୍ଜନ ଦାସ, ଗୋପାଳ ଛୋଟରାୟ ଏବଂ ରାମଚନ୍ଦ୍ର ମିଶ୍ରଙ୍କ ପରି ବିଶିଷ୍ଟ ନାଟ୍ୟକାରଙ୍କ ନାଟକ ଆଧାରରେ ମଧ୍ୟ ସିନେମା ତିଆରି ହୋଇଛି। ମହାପାତ୍ର ନୀଳମଣି ସାହୁ ଓ ମନୋଜ ଦାସଙ୍କ ଗପକୁ ଆଧାର କରି ଅପୂର୍ବ କିଶୋର ବୀର କେତେକ ସିନେମା ନିର୍ମାଣ କରିଛନ୍ତି। ଏହାପରେ ବି କେତେକ କାଁ ଭାଁ ଓଡ଼ିଆ ସାହିତ୍ୟକୁ ନେଇ ସିନେମା ତିଆରି କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

୧୯୬୦ରୁ ୧୯୭୦ ମଧ୍ୟରେ ଅମଡ଼ା ବାଟ, ଅଭିନେତ୍ରୀ, ମଲାଜହ୍ନ, କା, ମାଟିର ମଣିଷ, ଅଦିନ ମେଘ ଭଳି ସିନେମା ତିଆରି କରାଯାଇଛି। ସେହିପରି ଓଡ଼ିଆ ସିନେମାରେ ଆଉ ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ମନମୋହନ ମହାପାତ୍ର, ଯାହାଙ୍କ ସିନେମା ସିଏ ବଞ୍ଚିଥିଲା ବେଳେ କେହି ଓଡ଼ିଆ ଚିହ୍ନି ପାରି ନ ଥିଲେ। ତାଙ୍କର ସିନେମା ତିଆରି କରିବାର ଚମତ୍କାରିତା ଅନେକ ଜାତୀୟ ପୁରସ୍କାର ସାଉଁଟିଛି। 'ଶୀତ ରାତି', 'କ୍ଲାନ୍ତ ଅପରାହ୍ଣ', 'ମଝି ପାହାଚ' ଆଦି ସିନେମା ଓଡ଼ିଆ ସମାନ୍ତରାଳ ସିନେମା ତାଲିକାରେ ସିନେମା ବଞ୍ଚିଥିବା ଯାଏ ରହିଥିବ। ସେହିପରି ନିରଦ ମହାପାତ୍ରଙ୍କ ସିନେମା 'ମାୟା ମିରିଗ' କାନସ, ଲୋକାନ୍ନ, ହବାଇ, ହିଡିଲବର୍ଗ ପ୍ରଭୃତି ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କୃତ ହୋଇଥିଲା। ଏହାପରେ ୨୦୦୦ ମସିହା ଯାଏ ଅନେକ ଓଡ଼ିଆ ସିନେମା ତିଆରି ହୋଇଛି। ଏହାରି ଭିତରେ କେତେକ ନିଚ୍ଛକ କାହାଣୀ ଓ କେତେକ ଅନ୍ୟ ଭାଷାଭାଷୀ ଚଳଚ୍ଚିତ୍ରରୁ ରିମେକ୍ କରାଯାଇଥିଲା। କିନ୍ତୁ, ୨୦୦୦ ମସିହା ପରଠାରୁ ବଦଳି ଯାଇଥିଲା ଓଡ଼ିଆ ସିନେମାର ପରିଭାଷା। ଓଡ଼ିଆ ସିନେମାର ଦିଗ ଏକ ପଥ ହୁଡ଼ିଥିବା ପଥଚାରୀ ଭଳି ଆଗେଇ ଚାଲିଲା। କିନ୍ତୁ, ସବୁ ସଭ୍ୟତାର ଗୋଟିଏ ଯେମିତି ସମୟସୀମା ଥାଏ, ଆମ ଓଡ଼ିଆ ସିନେମାର ମଧ୍ୟ ସେମିତି ଏକ ସମୟସୀମା ରହିଥିଲା। ମାତ୍ର, ଏଇ ଦେଢ଼ରୁ ଦୁଇ ବର୍ଷ ଭିତରେ ଓଡ଼ିଆ ସିନେମାର ଯେଉଁ ପରିବର୍ତ୍ତନ ହୋଇଛି, ତାହା ପୁଣି ଥରେ ସେହି ସ୍ୱର୍ଣ୍ଣିମ ଯୁଗକୁ ମନ ଟାଣି ନେବାକୁ ବାଧ୍ୟ କରୁଛି।



ଏଇ ନିକଟରେ କେତେକ ଫିଲ୍ମ ଲୋକଲୋଚନକୁ ଆସିଛି। ନୀଳମାଧବ ପଣ୍ଡାଙ୍କ ଫିଲ୍ମ 'କାଲିର ଅତୀତ'। ସମୁଦ୍ର ଗର୍ଭରେ ହଜି ଯାଉଥିବା ସାତଭାୟାର କାହାଣୀକୁ ନେଇ ଏହି ସିନେମା ନିର୍ମିତ ହୋଇଛି। ସେହିପରି ଜଣେ କବି ଓ ଚିତ୍ରକରଙ୍କ ନିଚ୍ଛକ କାହାଣୀକୁ ନେଇ ତିଆରି ହୋଇଛି ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ସିନେମା 'କ୍ଷଣିକା: ଦି ଲଷ୍ଟ ଆଇଡିଆ'। ଏହି ନିର୍ଦ୍ଦେଶକଙ୍କ ଆଉ ଏକ ସିନେମା ହେଉଛି 'ଏଡିୟୁ ଗୋଡାର୍ଡ'। ଫରାସୀ ଚିତ୍ର ନିର୍ମାତା ଜନ୍ ଲୁକ୍ ଗୋଡାର୍ଡଙ୍କ ଉଦ୍ଦେଶ୍ୟରେ ଏହି ସିନେମା ଉତ୍ସର୍ଗୀକୃତ। ଏକ ଛୋଟିଆ ଗାଁର ଲୋକେ କିଭଳି ଫରାସୀ ଚିତ୍ରକୁ ଗ୍ରହଣ କରୁଛନ୍ତି, ତାକୁ ନେଇ ସିନେମାଟି ଗତିଶୀଳ ହୋଇଛି। ସେହିପରି ଦିନକ ପୂର୍ବରୁ ଏକ ସିନେମା ରିଲିଜ ହୋଇଛି, ଯାହାର ନାଁ 'ଚରିତ୍ର'। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆଦିବାସୀ ଜିଲ୍ଲା କୋରାପୁଟର ଏକ ସରକାରୀ କ୍ୱାର୍ଟର୍ସ ଏବଂ ଏହାର ଆଖପାଖ ଅଞ୍ଚଳରେ ନିର୍ଦ୍ଦେଶକ ଶିଶିର ସାହୁ ଓ ପିନାକୀ ସିଂ ଏକ ପ୍ରେମକାହାଣୀ ତିଆରି କରିଛନ୍ତି। ନିଖୁଳ କଳାର ପରିଭାଷାକୁ କଳାକାରମାନେ ଯେମିତି ରୂପେଲି ପରଦାରେ ଯେମିତି ପ୍ରତିପାଦିତ କରିଛନ୍ତି, ସେମିତି କ୍ୟାମେରା ଓ ସିନେମାଟୋଗ୍ରାଫି ମଧ୍ୟ କାହାଣୀକୁ ଗତିଶୀଳ କରିବାରେ ବେଶ୍ ସହାୟକ ହୋଇଛି। ଠିକ୍ ସେମିତି ଆଉ ଏକ ଓଡ଼ିଆ ସିନେମା ହେଉଛି 'କୋକୋଲି- ଫିସ୍ ଆଉଟ୍ ଅଫ୍ ୱାଟର୍'। ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଯୁବ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କ ଏହି ସିନେମା। ଏକ ପ୍ରେମ କାହାଣୀ ଛଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କିଭଳି ଓଡ଼ିଶାର ସମୁଦ୍ରକୂଳରେ ଥିବା ମତ୍ସ୍ୟଜୀବୀଙ୍କ ଉପରେ ପଡ଼ୁଛି, ତାକୁ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ସ୍ନେହାଶିଷ। ଏକଦା ନବେ ଦଶକରେ ଓଡ଼ିଶାରେ ଲୋକପ୍ରିୟତା ଅର୍ଜନ କରିଥିବା 'ସଖୀନାଚ'କୁ ନେଇ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏକ ସିନେମା ତିଆରି କରିଛନ୍ତି। 'ନାଚବାଲି' ଶୀର୍ଷକ ଏହି ସିନେମା ମଧ୍ୟ ଓଡ଼ିଶାର କଳା ଓ ସଂସ୍କୃତିକୁ ଜୀବିତ ରଖିବାର ପ୍ରୟାସ କରିଛି। ଆହୁରି ଅନେକ ଓଡ଼ିଆ ସିନେମା ତିଆରି ହେଉଛି।



ତେବେ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କ କହିବାନୁସାରେ, ମଝିରେ କେତେକ ସିନେମା ପାଇଁ ଲୋକମାନେ ଓଡ଼ିଆ ସିନେମା ପ୍ରତି ମନ ବଳାଉ ନ ଥିଲେ। କିନ୍ତୁ, ଧୀରେଧୀରେ ସେହି ଚିନ୍ତାଧାରାରେ ପରିବର୍ତ୍ତନ ଆସୁଛି। ଓଡ଼ିଶାରେ ଅନେକ ବିଷୟ ଅଛି, ଯାହାକୁ ନେଇ ସିନେମା ତିଆରି କରାଯାଇ ପାରିବ। ଏବେ ଅନେକ ଯୁବ ପ୍ରତିଭା ଆସୁଛନ୍ତି, ଯେଉଁମାନେ ଭଲ କାମ କରୁଛନ୍ତି। ଆଗକୁ ଏଥିରେ ନିଶ୍ଚିତ ଭାବେ ପରିବର୍ତ୍ତନ ଆସିବ। ଯେଉଁ ଦର୍ଶକମାନେ ଓଡ଼ିଆ ସିନେମା ଦେଖୁନାହାନ୍ତି, ସେମାନେ ମଧ୍ୟ ଆଗକୁ ଓଡ଼ିଆ ସିନେମା ଦେଖିବେ।



ସେହିପରି ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ମତରେ, 'କ୍ୟାପିଟାଲ-ଆଇ' ସିନେମା ସମୟରୁ ମୁଁ ଓଡ଼ିଆ ସିନେମାର ପରିବର୍ତ୍ତନ ବିଷୟରେ କହି ଆସୁଛି। ଓଡ଼ିଆ ସିନେମାର ଭବିଷ୍ୟତ କେବଳ ଯୁବପିଢ଼ିଙ୍କୁ ନେଇ ହିଁ ସମ୍ଭବ। ଏମାନେ ନ ଆସିଲେ କେବେ ବି ପରିବର୍ତ୍ତନ ହେବନି। ଧୀରେଧୀରେ ଏହି କ୍ଷେତ୍ର ପ୍ରତି ଯୁବପିଢ଼ି ଆକୃଷ୍ଟ ହେଉଛନ୍ତି। କିଛିବର୍ଷ ପୂର୍ବେ ଓଡ଼ିଆ ସିନେମା ଜଗତରେ କେତେକ ସମସ୍ୟା ରହିଥିଲା। ପୁରୁଣା ଲୋକମାନେ ସେଇ ଚିରାଚରିତ ଢଙ୍ଗରେ ସିନେମା ତିଆରି କରୁଥିଲେ। ବ୍ୟବସାୟିକ ସିନେମା ତିଆରି କରିବା ଲକ୍ଷ୍ୟରେ ସେମାନେ ଅନ୍ୟ ସିନେମାରୁ କପି କରୁଥିଲେ। କିନ୍ତୁ, ଏବେ ତାହା ପରିବର୍ତ୍ତନ ହେଉଛି। ଯୁବ ପ୍ରତିଭାମାନେ ଏକ ଲକ୍ଷ୍ୟ ନେଇ ପରିଶ୍ରମ କରି ସିନେମା ତିଆରି କରୁଛନ୍ତି। ତେଣୁ, ମୁଁ ଆଶାବାଦୀ ଯେ, ଆଗାମୀ ୫ରୁ ୬ ବର୍ଷ ଭିତରେ ଓଡ଼ିଆ ସିନେମାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ।



ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ କହିବାନୁସାରେ, ପ୍ରଥମେ କଳାକାରମାନେ ଭଲ କାହାଣୀ ବାଛନ୍ତୁ। ସେହିପରି ଦିନକୁ ଦିନ ଯୁବପିଢ଼ି ସିନେମା ପ୍ରତି ଆକର୍ଷିତ ହେଉଥିବାବେଳେ ଟେକ୍ନୋଲୋଜି ମଧ୍ୟ ବିକଶିତ ହେଉଛି। ତେଣୁ, ଆଗାମୀ ଦିନରେ ଓଡ଼ିଆ ସିନେମା ଜଗତର ଭବିଷ୍ୟତ ଉଜ୍ଜଳମୟ ହେବ। ପ୍ରକୃତିଙ୍କ ଏକ ନୂଆ ସିନେମା ଆସୁଛି, ଯାହାର ନାଁ 'ପ୍ରତ୍ୟାଘାତ'। ଏହା ସମ୍ପୂର୍ଣ୍ଣ ନାରୀ କୈନ୍ଦ୍ରିକ। ବାସ୍ତବରେ ବଦଳିଛି ଚିନ୍ତାଧାରା, ବଦଳୁଛି ସିନେମା ନିର୍ମାଣର କୌଶଳ। ପୁଣି ଥରେ ଓଡ଼ିଆ ସିନେମା ଆଜି ବିଶ୍ୱ ଦରବାରରେ ମୁଣ୍ଡ ଟେକି ଗର୍ବର ସହ କହୁଛି ଆମେ ଓଡ଼ିଆ ଏବଂ ଏକ ନିଚ୍ଛକ ତଥା ନିରୁତା କାହାଣୀକୁ ଚଳଚ୍ଚିତ୍ର ରୂପ ଦେବାରେ ଆମ ତୁଲ ଆଉ କେହି ହେବେ ନାହିଁ। ଆଜି ହୁଏତ ନିରଦ ମହାପାତ୍ର ପୁନର୍ଜନ୍ମ ନେଇ ନ ପାରନ୍ତି। ତାଙ୍କ ଉତ୍କୃଷ୍ଟ ଉତ୍ପାଦ ହୁଏତ ଆଉଥରେ ରୂପେଲି ପରଦାରେ ଦୋହରା ଯାଇ ନ ପାରେ। କିନ୍ତୁ ଆଜିର ନୂଆ ପିଢ଼ି ବା ଚଳଚ୍ଚିତ୍ର କ୍ଷେତ୍ରରେ କିଛି ଗୋଟିଏ ଗବେଷଣା କରିବାର ସାମର୍ଥ୍ୟ ରଖିଥିବା ଯୁବପିଢ଼ି ସବୁବଳେ ପାରମ୍ପରିକ ବାଟଛାଡ଼ି ଛାତିରେ ଅମଡ଼ା ବାଟରେ ଯିବାର ଦମ୍ଭ ରଖନ୍ତି। ତାଙ୍କର ସେହି ଦମ୍ଭ ଭିତରୁ ହିଁ ଜନ୍ମନିଏ ଗୋଟିକ ପରେ ଗୋଟିଏ କାଳଜୟୀ କୃତି।