ଧନଦାତ୍ରୀଙ୍କ ଧାନବେଣୀ; ପ୍ରତିଯୋଗିତାରେ ବଞ୍ଚିଛି ପରମ୍ପରା
ଧୀରେ ଧୀରେ ପାରମ୍ପରିକ ଧାନବେଣୀ ତିଆରି ପାଇଁ ଗ୍ରାମାଞ୍ଚଲରେ ଆଗ୍ରହ କମି ଯାଉଥିବା ବେଳେ ଧାନବେଣୀ ତିଆରି ନେଇ ସଚେତନତା ସୃଷ୍ଟି ପାଇଁ ସମ୍ବଲପୁର ଜିଲ୍ଲାର ଅନ୍ଧାରୀ ଗ୍ରାମରେ ନିଆରା ଧାନବେଣୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ସମ୍ବଲପୁର: ମାର୍ଗଶୀର ମାସ ହେଉଛି ଓଡିଆଙ୍କ ପାଇଁ ଏକ ପବିତ୍ର ମାସ। ଶ୍ରଦ୍ଧାଳୁ ଏହି ମାସରେ ମା ଲକ୍ଷ୍ମୀଙ୍କ କୃପାଲାଭ କରିଥାନ୍ତି। କିନ୍ତୁ ମାର୍ଗଶୀର ମାସ ଗୁରୁବାରର ଏକ ବିଶେଷ ସ୍ୱତନ୍ତ୍ରତା ରହିଛି। ଏହି ସମୟରେ କିଏ କେଉଁ ଢଙ୍ଗରେ ମା ଲକ୍ଷ୍ମୀଙ୍କର ଆରାଧନା କରିଥାନ୍ତି। ସେମିତି ଏକ ପରମ୍ପରା ସମ୍ବଲପୁରର କିଛି ଅଞ୍ଚଳ ରହିଛି, ଯେଉଁଠାରେ ଗୁରୁବାର ଦିନ ଧାନରେ ତିଆରି ସ୍ୱତନ୍ତ୍ର ବେଣୀ ମାଧ୍ୟମରେ ମା ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ। ଧୀରେ ଧୀରେ ଏହି ପାରମ୍ପରିକ ଧାନବେଣୀ ତିଆରି ପାଇଁ ଗ୍ରାମାଞ୍ଚଲରେ ଆଗ୍ରହ କମି ଯାଉଥିବା ବେଳେ ଧାନବେଣୀ ତିଆରି ନେଇ ସଚେତନତା ସୃଷ୍ଟି ପାଇଁ ସମ୍ବଲପୁର ଜିଲ୍ଲାର ଅନ୍ଧାରୀ ଗ୍ରାମରେ ନିଆରା ଧାନବେଣୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏକା ସାଥିରେ ଧାଡି ବାନ୍ଧି ବସିଥିଲେ ବହୁ ସଂଖ୍ୟାରେ ମହିଳା। ହାତରେ ଥିଲା ଧାନ କେଣ୍ଡା ଓ ସମସ୍ତେ ବ୍ୟସ୍ତତା ସହକାରେ ଧାନ ବେଣୀ ଗୁନ୍ଥିବାରେ ଲାଗିପଡିଥିଲେ। ଏମିତି କିଛି ଦୄଶ୍ୟ ସମ୍ବଲପୁର ଜିଲ୍ଲାର ଜୁଯୋମୁରା ବ୍ଳକ ଅନ୍ଧାରୀ ଗ୍ରାମରେ ଦେଖିବାକୁ ମିଳିଛି। ଶନିବାର ଗ୍ରାମର ମହିଳାମାନଙ୍କ ମଧ୍ୟରେ ନିଆରା ଧାନ ବେଣୀ ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଉ ବିଜେତାଙ୍କୁ ଆୟୋଜକଙ୍କ ଦ୍ୱାରା ଆକର୍ଷଣୀୟ ପୂରସ୍କାର ମଧ୍ୟ ଦିଆଯାଇଛି।
Also Read: ନିନ୍ଦା ପରେ ନିର୍ଦୟ CEOଙ୍କ ଭାଙ୍ଗିଲା ନିଦ; ୯୦୦ କର୍ମଚାରୀଙ୍କୁ ବିଦାକରି ନେଲେ ଏହି ନିଷ୍ପତ୍ତି
ବର୍ତ୍ତମାନ ସମୟରେ କାର୍ଯ୍ୟବ୍ୟସ୍ତତା ଭିତରେ ଆଗ ଭଳି ଆଉ ମାର୍ଗଶୀର ମାସ ଗୁରୁବାରରେ ମା ଲକ୍ଷ୍ମୀଙ୍କ ଠାରେ ପୁଜାର୍ଚ୍ଚନା ପାଇଁ ଧାନବେଣୀ ତିଆରି କରିବା ପାଇଁ ଆଗ୍ରହ ସାଧାରଣରେ ଦେଖାଦେଉନାହି। ଏଥିପାଇଁ ଅନ୍ଧାରୀ ଗ୍ରାମର ସଞ୍ଜିବ ବିଶ୍ୱାଶ ନାମକ ଜଣେ ଯୁବକ ଗ୍ରାମରେ ଏହି ପୁରୁଣାପରମ୍ପରାକୁ ଉଜ୍ଜିବିତ ରଖିବାକୁ ମହିଳାଙ୍କ ମଧ୍ୟରେ ଧାନବେଣୀ ତିଆରି କରିବା ଉପରେ ନିଆରା ପ୍ରତିଯୋଗିତାର ଆୟୋଜନ କରିଥିଲେ। ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।
ଯୁଜୁମୁରା ବ୍ଲକ କୟାକୁଦ ଗ୍ରାମପଞ୍ଚାୟତର ଅନ୍ଧାରୀ ଗ୍ରାମରେ ହୋଇଥିବା ଏହି ନିଆରା ଧାନବେଣୀ ତିଆରି ପ୍ରତିଯୋଗିତାରେ ଗ୍ରାମର ୮୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୁବ ସୁନ୍ଦର ଭାବରେ ଧାନବେଣୀ ତିଆରି କରି ରାଧା ସିଂ ନାମକ ମହିଳା ପ୍ରତିଯୋଗୀ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି ପ୍ରତିଯୋଗିତା ମାଧ୍ୟମରେ ଓଡିଶାର ପାରମ୍ପରିକ ଧାନବେଣୀ ତିଆରି ପରମ୍ପରାକୁ ବଞ୍ଚାଇ ରଖିବାକୁ ପ୍ରୟାସ କରାଯାଇଥିବା ପ୍ରତିଯୋଗିତା ପ୍ରତିଯୋଗୀ ଓ ଆୟୋଜକ କହିଛନ୍ତି।