ଚନ୍ଦନ ପାଇକରାୟ, ଭୁବନେଶ୍ୱର: ବିପଦ ଆଶଙ୍କାରେ ରାଜ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳ। ଭାଷାକୁ ଗୁରୁତ୍ବ ନ ଦେଲେ ଏମିତି ଓଡିଶାରେ ଚାଲିବ ପଡୋଶୀ ରାଜ୍ୟଙ୍କ ରାଜ। ଏବେ ଚାରିପଟୁ ଷଣ୍ଢୁଆଶି ଆକ୍ରମଣ ଚାଲିଥିବା ବେଳେ ନିଘୋଡ ନିଦରେ ଶୋଇଛନ୍ତି ରାଜ୍ୟ ସରକାର।


COMMERCIAL BREAK
SCROLL TO CONTINUE READING

ରାଜ୍ୟକୁ ଚାରିପଟୁ ବିପଦ ମାଡିଆସୁଛି। ପଡୋଶୀ ରାଜ୍ୟ ଓଡିଶା ସୀମା ଭିତରକୁ ପଶି ଆସିଲେଣି। ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ସହ ସୀମା ବିବାଦ ଜୋର ଧରିଛି। ସୀମାନ୍ତବର୍ତ୍ତୀ ଗାଁରେ ପଶି ଏମାନେ ଦାଦାଗିରି ଚଳାଇଛନ୍ତି। ହେଲେ ରାଜ୍ୟ ସରକାର ଶୀଥିଳତା ନୀତି ଆପଣାଇଛନ୍ତି। ଯାହା ରାଜ୍ୟ ପାଇଁ ବିପଦ ଡାକି ଆଣୁଛି।


ଏବେ ସୀମା ବିବାଦକୁ ନେଇ ସମସ୍ତେ ଏକାଠି ହେବାର ସମୟ ଆସିଛି। ସର୍ବଦଳୀୟ ବୈଠକ ଡକାଇବା ସହ ବିଧାନସଭାରେ ଏକ କମିଟି ଗଠନ କରିବା ନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଆପୋଷ ବୁଝାମଣାରେ ଦୀର୍ଘଦିନର ସାମସ୍ୟା ଦୂର ହୋଇପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି। 


କେନ୍ଦ୍ରମନ୍ତ୍ରୀଙ୍କ ଚିଠିପରେ ଏବେ ସମସ୍ତ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ସମସ୍ୟାକୁ ନେଇ ବହୁ ପୂର୍ବରୁ ବିଧାନସଭାରେ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ତେବେ ଏଥିରେ ବାଚସ୍ପତି ହସ୍ତକ୍ଷେପ କରି ସରଜମିନ ତଦନ୍ତ କରିବା ସହ ସମାଧାନ ନେଇ ଆଲୋଚନା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ସେପଟେ ଏହି ପରିସ୍ଥିତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ ବୋଲି କଂଗ୍ରେସ କହିଛି।


ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ ମାଡି ଆସିଲାଣି। ଓଡିଶା ସୀମାର ପାଖାପାଖି ୫ କିମି ପଶି ଆସିବା ସହ କୋଟିଆ ଅଞ୍ଚଳରେ ମାଛଚାଷ କରିବା ପାଇଁ ପୋଖରୀ ଖୋଲିଲାଣି। ଓଡିଶା-ପଶ୍ଚିମବଙ୍ଗ ସୀମାରେ ପଶ୍ଚିମବଙ୍ଗ ଏକାପାଖିଆ ଭେବେ ସୀମାରେଖାକୁ ପଶିଆସି ସୁବର୍ଣ୍ଣରେଖା ନଦୀପଠାରୁ ବାଲି ଉଠାଇନେଉଛି। ସେହିପରି ଝାଡଖଣ୍ଡ ସୀମାନ୍ତ ଗ୍ରାମରେ ପସି ଖଣି ଖୋଳୁଛି। ଛତିଶଗଡ ବି ନୂଆପଡା ଅଞ୍ଚଳରେ ପଶି ଜମି ମାପଚୂପ କରୁଛି। 


ସେପଟେ ରାଜ୍ୟ ସରକାର ଘଟଣାକୁ ନେଇ ନା ସ୍ବର ଉଠାଉଛନ୍ତି ନା ଆଇନଗତ ପଦକ୍ଷେପ ନେଉଛନ୍ତି। ଏଭଳି ସ୍ଥଳେ ରାଜ୍ୟର ଅଖଣ୍ଡତା ରକ୍ଷା କରିବା ଏବଂ ପଡୋଶୀ ରାଜ୍ୟର ଦାଦାଗିରି ରୋକିବା ପାଇଁ କେନ୍ଦ୍ରମମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗେଇ ଆସିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ସଂଘୀୟ ବ୍ୟବସ୍ଥାରେ ଆପୋଷ ଆଲୋଚନାରେ ଓଡିଶା ମୁଖ୍ୟ ଭୂମିକା ଗ୍ରହଣ କରୁ। ଆବଶ୍ୟକ ପଡ଼ିଲେ ଆଇନଗତ ପଦକ୍ଷେପ ନେବା ପାଇଁ ବିଚାର କରାଯାଉ। ଓଡ଼ିଶାର ଲୋକଙ୍କୁ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ କରା ନଯାଉ। ଆପୋଷ ବୁଝାମଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନେବା ନେବା ପାଇଁ ବି କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।


ଓଡିଶାର ୩୦ଟି ଜିଲ୍ଲାରୁ ୧୪ଟି ଜିଲ୍ଲା ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ,
ଛତିଶଗଡ, ଝାଡଖଣ୍ଡ ସହ ସୀମା ସେୟାର କରୁଛି। ଐତିହାସିକ, କାଟୋଗ୍ରାଫିକ୍ ଓ ଭୌଗଳିକ କାରଣରୁ ଓଡିଶାର ଏହି ପଡୋଶୀ ରାଜ୍ୟ ଗୁଡିକ ସହ ସୀମା ତଥା ଜଳ ବିବାଦର ଏକ ଦୀର୍ଘ ଇତିହାସ ରହିଛି। ତେଣୁ ଏହି ବିବାଦର ଅନ୍ତ ଘଟାଇବା ପାଇଁ କଡା ପଦକ୍ଷେପ ସହ ସର୍ବଦଳୀୟ ବୈଠକ ଡକାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ପରାମର୍ଶକୁ ବିଜେଡି ଓ ବିଜେପି ପକ୍ଷରୁ ସ୍ବାଗତ କରାଯିବା ସହ ଏବେ ସମସ୍ତେ ଏକାଠି ହୋଇ ଏ ଘଟଣାକୁ ଗୁରୁତର ସହ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। 


ସେପଟେ କେନ୍ଦ୍ରମନ୍ତ୍ରୀ ଚିଠିକୁ କଂଗ୍ରେସର ସ୍ବାଗତ କରିଛି। ହେଲେ ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ର ସରକାର ମୁଖ୍ୟ ଭୁମିକା ଗ୍ରହଣ କରିପାରିବେ। ପ୍ରଧାମନ୍ତ୍ରୀଙ୍କ ସହ ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରନ୍ତୁ। କେବଲ ଚିଠି ଲେଖିଦେଲେ ହେବ ନାହିଁ ବୋଲି କଂଗ୍ରେର ବରିଷ୍ଠ ନେତାମାନେ କହିଛନ୍ତି।


ଅନ୍ୟପଟେ ରାଜ୍ୟ ସରକାର ଏହି ଘଟଣା ନେଇ ରାଜ୍ୟ ସରକାରଙ୍କ ଶିଥିଳତା ନୀତି ପଡୋଶୀ ରାଜ୍ୟକୁ ଖୋରାକ ଯୋଗାଉଛି। ବର୍ତ୍ତମାନ ସମୟ ଆସିଛି ଅଖଣ୍ଡ ଓଡିଶାକୁ ଖଣ୍ଡ ଖଣ୍ଡ କରିବା ପାଇଁ ପଡୋଶୀ ରାଜ୍ୟ ଯେଉଁ ଉଦ୍ୟମ କରୁଛନ୍ତି ତାହାର ପ୍ରତିବାଦ ପ୍ରତ୍ୟକ ସ୍ତରରୁ ହେବା ଆବଶ୍ୟକ। ତୁରନ୍ତ ଏହି ଘଟଣାର ସମାଧାନ କରିବା ନେଇ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ପଦକ୍ଷେପ ନ ନେଲେ ଆଗାମୀ ଦିନରେ  କୋରାପୁଟ ବନ୍ଦ ଡାକରା ଦିଆଯିବ ବୋଲି କଂଗ୍ରେସ ଚେତାନବୀ ଦେଇଛି।