କ୍ୟାସ ଭ୍ୟାନରୁ ୨୪ ଲକ୍ଷ ଲୁଟିନେଲେ ଲୁଟେରା; ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି
ରେଶମନ ନଗରୀରେ ପୋଲିସକୁ ଖୋଲା ଚ୍ଯାଲେଞ୍ଜ ଲୁଟେରା।
ବ୍ରହ୍ମପୁର: କିଛି ଦିନର ବ୍ଯବଧାନ ପରେ ପୁଣି ଥରେ ବ୍ରହ୍ମପୁର ସହରରେ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ବୈଦ୍ୟନାଥପୁର ଥାନା ଅଞ୍ଚଳରୁ ସିରିଜ ଚୋରି ଘଟଣାରେ ଜଡିତ ଅଭିଯୁକ୍ତଙ୍କ ଟେର ମିଳିନଥିବା ବେଳେ ଏବେ ପୁଣି ଥରେ ପୋଲିସକୁ ଖୋଲା ଚ୍ଯାଲେଞ୍ଜ ଦେଇଛନ୍ତି ଡକାୟତ ଗ୍ୟାଙ୍ଗ।
ସହରର ବଡ ବଜାର ଥାନା ଠାରୁ କେଇ ମିଟର ଦୂର ଜନଗହଳପୂର୍ଣ୍ଣ ଶ୍ରୀରାମ ନଗର ଛକ ନିକଟରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମ କାଉଣ୍ଟରକୁ (Axis Bank ATM Counter) ଟଙ୍କା ଭରିବାକୁ ଯାଇଥିବା ଏଜିଏସ କମ୍ପାନୀ (AGS Company) ହାଇ ସିକ୍ଯୁରିଟି କ୍ୟାସ ଭ୍ୟାନ (High Security Cash Van) କୁ ବନ୍ଧୁକ ମୁନରେ ଅପହରଣ କରି ୨୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏ ଘଟଣାକୁ ୨୪ ଘଣ୍ଟା ପୂରି ଯାଇଥିଲେ ପୋଲିସ ହାତ ଖାଲିପଡିଛି। ଲୁଟ ପଛରେ ଆନ୍ତରାଜ୍ଯ ଲୁଟେରା ସମ୍ପୃକ୍ତ ରହିଥିବା ପୋଲିସ ଅନୁମାନ କରିବା ସହ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଛି।
ବ୍ରହ୍ମପୁର ସହରରେ (Berhampur Town) ପୋଲିସକୁ ଖୋଲା ଚ୍ଯାଲେଞ୍ଜ ଲୁଟେରା। ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥିତ ଏକ ଜନଗହଳ ପୂର୍ଣ୍ଣ ରାସ୍ତାରେ ବନ୍ଧୁକ ମୁନରେ ଟଙ୍କା ଭର୍ତ୍ତି କ୍ୟାସ ଭ୍ୟାନ (AGS Company Cash Van) ସହ ଏହାର ଡ୍ରାଇଭରକୁ ଅପହରଣ କରିନେଲେ ଲୁଟେରା। ଆଖି ପିଛୁଳାକେ ୨୪ ଲକ୍ଷ ଟଙ୍କା ଲୁଟିନେଲେ ମୁଖାଧାରୀ ଲୁଟେରା। ଅପହରଣ ହେବାର ଦୀର୍ଘ ସମୟ ପରେ ଅଚେତ ଅବସ୍ଥାରେ ଡ୍ରାଇଭର ସହ ଗାଡିକୁ ସୋରଳ ଗ୍ରାମ (Sorala Village) ନିକଟରୁ ଠାବ କରିଛି ପୋଲିସ।
Also Read: ପୁଣିଥରେ ସକ୍ରିୟ ହୋଇଉଠିଲା ଏରଗୁଲା ଗ୍ଯାଙ୍ଗ! ଗୋଟିଏ ରାତିରେ ୨ ଦୋକାନରୁ ଲୁଟିନେଲା ୧୫ ଲକ୍ଷ
ଘଟଣାକ୍ରମ ଥିଲା କିଛି ଏମିତି। ୧୮ ତାରିଖ ବୁଧବାର ସମୟ ପ୍ରାୟ ୧୨ଟା। ବ୍ରହ୍ମପୁର ସହରର ବଡ ବଜାର ଥାନା (Berhampur Bada Bazar) ଠାରୁ କେଇ ମିଟର ଦୂରରେ ଅବସ୍ଥିତ ଶ୍ରୀରାମ ନଗର ଛକ ନିକଟରେ ଥିବା ଏକ୍ସିସ ବ୍ୟାଙ୍କ (Shreeram Nagar Axis Bank) ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଲାଗି ପହଞ୍ଚିଥିଲା ଏଜିଏସ କମ୍ପାନୀ ହାଇ ସିକ୍ୟୁରିଟି ଭ୍ୟାନ। ଏଟିଏମରେ ଟଙ୍କା ଭର୍ତ୍ତି ଲାଗି ବନ୍ଧୁକଧାରୀ ସିକ୍ୟୁରିଟି ସହ ଜମାକାରୀ ଏଟିଏମ ଭିତରକୁ ଯାଇଥିବା ସମୟରେ ହଠାତ୍ ଏକ ସ୍କୋର୍ପିଓ ଗାଡିରେ ଆସି ସେଠାରେ ପହଞ୍ଚି ଥିଲେ କିଛି ମୁଖାଧାରୀ ଲୁଟେରା।
ପୂର୍ବ ଯୋଜନା ମୁତାବକ ବନ୍ଧୁକ ମୁନରେ ଡ୍ରାଇଭର ସହ ଭ୍ୟାନକୁ ସେଠାରୁ ଅପହରଣ କରି ନେବା ପରେ ବ୍ରହ୍ମପୁର ଉପକଣ୍ଠ ସୋରଳ ଗ୍ରାମ ନିକଟରେ ଡ୍ରାଇଭରକୁ ଅଚେତ କରି ୨୪ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ ଟଙ୍କା ଲୁଟିବାକୁ ଆସିଥିବା ଡକାୟତ। କିଛି ସମୟ ପରେ ଟେକ୍ନୋଲୋଜି ଆଧାର କରି ଅଚେତ ଅବସ୍ଥାରେ ଡ୍ରାଇଭର ସହ ଗାଡିକୁ ଉଦ୍ଧାର କରିଥିଲା ପୋଲିସ। ଚେତା ଫେରିବା ପରେ ଘଟଣା ସମ୍ପର୍କରେ କହିଥିଲେ ଡ୍ରାଇଭର।
Also Read: ସିରିଜି ବୋମା ମାଡ ପରେ ଶାନ୍ତି ସ୍ଥାପନ ପାଇଁ ବ୍ୟାପକ ପୋଲିସ ବଳ ମୁତୟନ
ଏନେଇ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ତନାଘନା ଆରମ୍ଭ କରିଥିବା ବେଳେ ଗାଡିରେ ଲାଗି ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଏହି ଲୁଟ ପଛରେ ଆନ୍ତଃରାଜ୍ଯ ଡକାୟତି ଗ୍ୟାଙ୍ଗର ସମ୍ପୃକ୍ତ ଥିବା ପୋଲିସ ଅନୁମାନ କରିବା ସହ ବଡ ବଜାର ସହ ଟାଉନ ଥାନା ପୋଲିସକୁ ନେଇ ଏକ ମିଳିତ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ପୋଲିସ। ସେପଟେ ଗାଡିର ଡ୍ରାଇଭରକୁ ମଧ୍ୟ ପୋଲିସ ନିଜ ସ୍କାନରରେ ରଖିବା ସହ ଗାଡିର ସିକ୍ଯୁରିଟି ଗାର୍ଡ ସହ କର୍ମଚାରୀଙ୍କୁ ମଧ୍ୟ ପଚରାଉଚୁରା କରୁଛି ପୋଲିସ। ଅତି ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।