କୋରୋନା ମୁକାବିଲା: ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ
ଅଦୃଶ୍ୟ କୋରୋନାକୁ ଠାବ କରିବା ଲାଗି ମେଘା ସ୍କ୍ରୀନିଂ କାର୍ଯ୍ୟକ୍ରମ ହାତକୁ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଗାମୀ ୩ ଦିନ ମଧ୍ୟରେ ଜିଲ୍ଲାରେ ସମସ୍ତ ବ୍ଲକ ଓ ଏନଏସିରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ ସ୍ୱତନ୍ତ୍ର ଟିମ ।
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଅଦୃଶ୍ୟ କୋରୋନାକୁ ଠାବ କରିବା ଲାଗି ମେଘା ସ୍କ୍ରୀନିଂ କାର୍ଯ୍ୟକ୍ରମ ହାତକୁ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଗାମୀ ୩ ଦିନ ମଧ୍ୟରେ ଜିଲ୍ଲାରେ ସମସ୍ତ ବ୍ଲକ ଓ ଏନଏସିରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ ସ୍ୱତନ୍ତ୍ର ଟିମ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାରଠାରୁ ଜିଲ୍ଲାରେ ୪୦ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସାଙ୍ଗକୁ ଟ୍ରାଭେଲ ହିଷ୍ଟ୍ରି ସଂଗ୍ରହ କରିବାକୁ ଲକ୍ଷ ରଖାଯାଇଛି । ସେପଟେ ମାସ୍କ ନ ପିନ୍ଧି ମାର୍କେଟକୁ ଆସୁଥିବା ଲୋକଙ୍କୁ ପରିବା, ରାସନ ଓ ମେଡିସିନ୍ ବ୍ରିକ୍ରି ଉପରେ ରୋକ ଲଗାଇଛି ବ୍ୟବସାୟୀ ସଂଘ ।
ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମେଘା ସ୍କ୍ରୀନିଂ କାର୍ଯ୍ୟକ୍ରମ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିଷ୍ପତ୍ତି କ୍ରମେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସେବିକା ଓ ଜଣେ ଶିକ୍ଷକଙ୍କୁ ନେଇ ଗଠିତ ଟିମ ପ୍ରତିଟି ଘର ଘର ବୁଲି ପଚାରି ବୁଝିବେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା । ଏଥିସହ ଟ୍ରାଭେଲ୍ ହିଷ୍ଟ୍ରିର ମଧ୍ୟ ତଥ୍ୟ ସଂଗ୍ରହ କରିବ ଟିମ୍ । ଯଦି କାହାର ଥଣ୍ଡା ,କାଶ ଓ ଜ୍ୱର ଭଳି ଲକ୍ଷଣ ଦେଖାଯାଏ, ତାହେଲେ ତୁରନ୍ତ ତାଙ୍କ ସ୍ୱାବ ଟେଷ୍ଟ କରାଯିବା ଲାଗି ଲକ୍ଷ ରହିଛି । ଗଞ୍ଜାମ ଜିଲ୍ଲାର ୨୨ ବ୍ଲକ, ୧୭ଟି ଏନଏସି ଓ ଦୁଇଟି ପୌରପାଳିକାରେ ୭ ଲକ୍ଷ ପରିବାରର ୪୦ଲକ୍ଷ ଲୋକଙ୍କ ସ୍ୱାାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରିବା ଲାଗି ଲକ୍ଷ୍ୟ ରଖିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏଥିଲାଗି ଉପଖଣ୍ଡସ୍ତରୀୟ ଉପଜିଲ୍ଲାପାଳ ଓ ବ୍ଲକ ସ୍ତରରେ ବିଡିଓମାନେ ତଦାରଖ କରିବେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ସାମୁହିକ ସ୍କ୍ରୀନିଂ କରାଜିବା ଦ୍ୱାରା ବିପଦକୁ ମୁକାବିଲା କରିବା ସହ କୋରୋନା ଚେନକୁ ଭାଙ୍ଗିବାରେ ବେଶ୍ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।
ସେପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ ଜଣାଇ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ ଆଉ ଟିକିଏ କଡାକଡି କରିଛି ବ୍ୟବସାୟୀକ ସଂଘ । ଦକ୍ଷିଣ ଓଡିଶାର ଏକ ମାତ୍ର ନିର୍ଭରଶୀଳ ବ୍ୟବସାୟୀକ ପେଣ୍ଠସ୍ଥଳୀ ବ୍ରହ୍ମପୁର ବଡ଼ ବଜାରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧି ଥିବା ବ୍ୟକ୍ତିଙ୍କୁ ସଉଦା, ପରିବା ଓ ମେଡିସିନ୍ ମଧ୍ୟ ବିକ୍ରି ନ କରିବା ଲାଗି ନିଷ୍ପତ୍ତି ନେଇଛି ସଂଘ ।