ବ୍ରହ୍ମପୁର(ରାଧେଶ୍ୟାମ ଆଚାର୍ଯ୍ୟ): ରେଶମୀ ନଗରୀ ବ୍ରହ୍ମପୁର (Silk City Berhampur) ସହରର ମଧ୍ୟ ଭାଗରେ ରହିଥିବା ରାମଲିଙ୍ଗମ ପୋଖରୀର ଆଧୁନୀକିକରଣ କାର୍ଯ୍ୟରେ (Modernnization Work) କିଛି ଦିନ ଧରି କୋରୋନା (Corona) ବାଧକ ସାଜି ଥିବା ବେଳେ ପୁଣି ଥରେ ଯୁଦ୍ଧକାଳୀନ ଭିତ୍ତିରେ ପୁଣି ଥରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟ ଚଳିତ ବର୍ଷ ଏପ୍ରିଲରେ ଶେଷ କରିବା ନିମନ୍ତେ ଲକ୍ଷ୍ୟ କରାଯାଇଥିବା ବେଳେ କୋରୋନା ଯୋଗୁଁ ଏହା ସମ୍ଭବପର ହୋଇପାରିନଥିଲା । 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ପୋଖରୀର କାର୍ଯ୍ୟ ୯୦ ପ୍ରତିଶତ ହୋଇଥିବା ବେଳେ ସେପ୍ଟେମ୍ବର ମାସ ହେବ ବୋଲି ଲକ୍ଷ୍ୟ ରଖିଛି ବ୍ରହ୍ମପୁର ମହାନଗର ନିଗମ-ବିଏମସି (Berhampur Municpal Corporation-BMC)। ଆସନ୍ତା ଅକ୍ଟୋବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରବାସୀଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପକୁ ଉତ୍ସର୍ଗୀକୃତ କରିବା ଲାଗି ଯୋଜନା ହୋଇଥିବା ବେଳେ ପୋଖରୀର ମଧ୍ୟ ଭାଗରେ ରହିଥିବା ୩୦ ଫୁଟର ଶିବଙ୍କ ପ୍ରତିମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।


ଆଉ ମାତ୍ର କିଛି ଦିନ ପରେ ଚମକି ଉଠିବ ରେଶମ ନଗରୀ । କାରଣ ସହରର ମଧ୍ୟଭାଗରେ ରହିଥିବା ରାମଲିଙ୍ଗମ ପୋଖରୀ (Ramlingam Pond) ପାଲଟିବ ଆକର୍ଷଣର କେନ୍ଦ୍ରବିନ୍ଦୁ । ଏହି ଜଳାଶୟର ଆଧୁନିକିକରଣ କାର୍ଯ୍ୟ ଏବେ ଜୋରସୋରରେ ଜାରି ରହିଛି । ଏପ୍ରିଲ ମାସରେ ଏହାର କାର୍ଯ୍ୟ ଶେଷ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ କୋରୋନା ପ୍ରଭାବରେ ଏହି କାମ ଧିମେଇ ଯାଇଥିଲା । ହେଲେ ବର୍ତ୍ତମାନ ପୁଣି ଥରେ ପୋଖରୀର ଆଧୁନିକିକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।


ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଗଲାଣି । ଏହି ପୋଖରୀ ମଧ୍ୟରେ ୱିଙ୍ଗ୍ ଗ୍ୟାଲେରୀ, ଓଭରହେଡ ୱାର୍କିଂ ଟ୍ରାକ, ଫାଉଣ୍ଟେନ, ଗାର୍ଡେନ୍, ଫୁଡକୋର୍ଟ ସହ ଲୋକଙ୍କ ମନୋରଞ୍ଜନ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ହେବ । ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ଅକ୍ଟୋବର ମାସରେ ଲୋକାର୍ପିତ ହେବା ଲାଗି ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ବିଏମସି କମିଶନର ।


ପୋଖରୀକୁ ଲାଗି ରହିଥିବା ରାମଲିଙ୍ଗେଶ୍ୱର ମନ୍ଦିରର ନାମରେ ଏହାକୁ ନାମକରଣ କରାଯାଇଛି । ପୋଖରୀର ମଧ୍ୟ ଭାଗରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଶିବଙ୍କ ପ୍ରତିମୂର୍ତ୍ତିର ମଧ୍ୟ ସ୍ଥାପନ କରାଯାଉଛି । ଯାହା ପୋଖରୀର ସୁନ୍ଦରତାକୁ ବଢାଇବ । ବ୍ରହ୍ମପୁର ସହରରେ ମନୋରଞ୍ଜନ ନିମନ୍ତେ ସେଭଳି କୌଣସି ବ୍ୟବସ୍ଥା ନଥିବା ବେଳେ ଯଥାଶୀଘ୍ର ରାମଲିଙ୍ଗମ ପୋଖରୀର ଆଧୁନିକିକରଣ ହେଲେ ସହରବାସୀ ବେଶ ଉପକୃତ ହେବା ସହ ସହର ଆହୁରି ସୁନ୍ଦର ଦେଖାଯିବ । ଆଉ ବିଳମ୍ବ ନକରି ଯଥାଶୀଘ୍ର ଏହାର କାର୍ଯ୍ୟ ଶେଷ କରିବାକୁ ସହରବାସୀ ଦାବି କରିଛନ୍ତି ।