MKCGରେ ରୋଗୀ ସମ୍ପର୍କୀୟଙ୍କ କାରନାମା, ପ୍ରସୂତି ୱାର୍ଡକୁ ଯିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଲା ଅଭିଯୁକ୍ତ
ଅଭିଯୁକ୍ତ ଯୁବକ ତାରିଣି ମହାପାତ୍ରକୁ ପୋଲିସ ଗିରଫ କରିଛି ।
ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜରେ ଅଭାବନୀୟ ଘଟଣା । ପ୍ରସୂତି ୱାର୍ଡକୁ ଯିବା ପାଇଁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ିଦେଲେ ସମ୍ପର୍କୀୟ । ଫଳରେ ଡାକ୍ତରଙ୍କ କାନ ଛିଣ୍ଡି ଯାଇଛି । ପୀଡ଼ିତ ଡାକ୍ତର ଜଣକ ହେଲେ ପ୍ରସୂତି ବିଭାଗର ସକିଲ ଖାନ । ତେବେ ଉକ୍ତ ଡାକ୍ତରଙ୍କ ବ୍ୟତୀତ ଅନ୍ୟ ୬ ଡାକ୍ତର ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ତାରିଣି ମହାପାତ୍ରକୁ ପୋଲିସ ଗିରଫ କରିଛି ।
ପୁରା ଘଟଣା ଥିଲା ଏପରି । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଭିଯୁକ୍ତ ତାରିଣି ମହାପାତ୍ରଙ୍କ ଜଣେ ସମ୍ପର୍କୀୟ ପ୍ରସୂତି ପାଇଁ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କୁ ଦେଖା କରିବା ପାଇଁ ୱାର୍ଡ ଭିତରକୁ ପଶିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । ହେଲେ ଏହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ମନା କରିଥିଲେ । ଆଉ ଏଥିରେ ଉତ୍ତଜିତ ହୋଇ ସମ୍ପୃକ୍ତ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ଅନ୍ୟ ଡାକ୍ତରଙ୍କ ମଧ୍ୟ ଆକ୍ରମଣ କରାଯାଇଛି ।
ଅଭିଯୋଗ ପରେ ଅଭିଯୁକ୍ତ ତାରିଣି ମହାପାତ୍ରକୁ ପୋଲିସ ଗିରଫ କରିଛି । ତାଙ୍କ ଘର ତାରା ତାରିଣି ଅଞ୍ଚଳରେ ବୋଲି ଜଣାପଡ଼ିଛି ।