ବର୍ତ୍ତମାନ ସମୟରେ କିଡନୀ ଷ୍ଟୋନ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା । କିନ୍ତୁ ପ୍ରଥମରୁ ଏହି ରୋଗ ପ୍ରତି ଅଣଦେଖା କାରଣରୁ ଏହା ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ । କିଡନୀ ରକ୍ତକୁ ସଫା କରିବା ସହିତ ଶରୀରରୁ କ୍ଷତିକାରକ ପଦାର୍ଥକୁ ପରିସ୍ରା ମାଧ୍ୟମରେ ଶରୀରରୁ ବାହାର କରିଥାଏ । ଭୁଲ ଖାଇବା ଅଭ୍ୟାସ, ଦୀର୍ଘସମୟ ଧରି ଅତ୍ୟଧିକ ଔଷଧ ସେବନର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ କିଛି କ୍ଷତିକାରକ ପଦାର୍ଥ କିଡନୀରେ ଜମା ହୋଇଯାଇଥାଏ । ସମୟକ୍ରମେ ଏହା କିଡନୀ ଷ୍ଟୋନକୁ ରୂପାନ୍ତର ହୋଇଯାଇଥାଏ । 


COMMERCIAL BREAK
SCROLL TO CONTINUE READING

କିଡନୀ ଷ୍ଟୋନର ଲକ୍ଷଣ: 


ସାଧାରଣତ କିଡନୀରେ ପଥର ସୃଷ୍ଟି ଯୋଗୁଁ ଯନ୍ତ୍ରଣା ହୋଇଥାଏ । କିନ୍ତୁ ଏହି ଷ୍ଟୋନର ଆକାର ଓ ସ୍ଥିତି ଉପରେ ଅନ୍ୟ ସମସ୍ୟା ନିର୍ଭର କରିଥାଏ । ତେବେ କିଡନୀ ଷ୍ଟୋନର ଅନ୍ୟ ଲକ୍ଷଣ ଗୁଡ଼ିକ ମଧ୍ୟରେ-


ପାଦ ଏବଂ ପିଠିରେ ଅସହ୍ୟ ଯନ୍ତ୍ରଣା 
ଅନେକ ସମୟରେ ଜଙ୍ଘ ପର୍ଯ୍ୟନ୍ତ ଯନ୍ତ୍ରଣା 
ପେଟରେ ତୀବ୍ର ଯନ୍ତ୍ରଣା
ପରିସ୍ରାର ରଙ୍ଗ ପରିବର୍ତ୍ତନ
ପରିସ୍ରାରେ ରକ୍ତ ପଡ଼ିବା
ପରିସ୍ରା ସମୟରେ ଯନ୍ତ୍ରଣା
କେବେକେବେ ବାନ୍ତି ହେବା
ହଠାତ ଜ୍ୱର ଆସିବା
ଉଚ୍ଚ ରକ୍ତଚାପ
ଦେହରୁ ଅଧିକ ଝାଳ ବାହାରିବା


କିଡନୀରେ ସୃଷ୍ଟି ହେଉଥିବା ଏହି ଷ୍ଟୋନ କ୍ୟାଲସିୟମ୍, ଅକ୍ସାଲେଟ୍, ପୋଟାସିୟମ୍, ଫସଫରସ୍ ଏବଂ ୟୁରିକ୍ ଏସିଡରୁ ସୃଷ୍ଟି ହୋଇଥାଏ । କେତେକ କ୍ଷେତ୍ରରେ ଏହା ଜେନେଟିକ୍ ମଧ୍ୟ ହୋଇପାରେ । ଲୋକମାନେ କିଡନୀ ଷ୍ଟୋନ ସମସ୍ୟା ବିଷୟରେ ପ୍ରଥମରୁ ଅନୁଭବ କରିପାରନ୍ତି । କିନ୍ତୁ ଏହାକୁ ଅଣଦେଖା କରିଥାଆନ୍ତି । ଯେତେବେଳେ ଯନ୍ତ୍ରଣା ତୀବ୍ର ହୁଏ, ସେତେବେଳେ ଲୋକେ ଡାକ୍ତରୀ ପରାମର୍ଶ କରିଥାନ୍ତି । ଯଦି ଏହି ଷ୍ଟୋନର ଆକାର ଛୋଟ ଏବଂ ଶୀଘ୍ର ଚିହ୍ନଟ ହୁଏ, ତେବେ ରୋଗକୁ ଔଷଧ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରେ ।


କିଡନୀ ଷ୍ଟୋନର ଆକାର ଏବଂ ଏହାକୁ କିପରି ଚିହ୍ନଟ କରାଯିବ, ଏଥିପାଇଁ ଡାକ୍ତର କିଛି ପରୀକ୍ଷା କରିଥାନ୍ତି, ସେଗୁଡ଼ିକ ହେଉଛି:


ପରିସ୍ରା ପରୀକ୍ଷା
ରକ୍ତ ପରୀକ୍ଷା
ଏକ୍ସରେ
ଅଲଟ୍ରାସାଉଣ୍ଡ
ସିଟି ସ୍କାନ


ଯେତେବେଳେ ଷ୍ଟୋନର ଆକାର ବଡ଼ ହୋଇଥାଏ ଏବଂ ସଂଖ୍ୟା ଏକରୁ ଅଧିକ ହୋଇଥାଏ, ସେତେବେଳେ ସର୍ଜିରୀ କରାଯାଇଥାଏ । କିନ୍ତୁ ଅନେକ ସମୟରେ ଲୋକମାନେ ଭାବନ୍ତି ଯେ କିଡନୀରେ ଷ୍ଟୋନ ହେବା ପରେ କେବଳ ଯନ୍ତ୍ରଣା ହୋଇଥାଏ, କିନ୍ତୁ ତାହା ନୁହେଁ । ସମୟ ସହିତ ଏହାର ଅନେକ ଲକ୍ଷଣ ଦେଖାଯାଏ ।  ଠିକ୍ ସମୟରେ ଚିକିତ୍ସା କରା ନ ଗଲେ ଏହି ଷ୍ଟୋନଗୁଡିକ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।  ବେଳେବେଳେ ଷ୍ଟୋନ ୟୁରେଟରରେ ଅଟକି ରହିଥିବାରୁ ସମସ୍ୟା ଗୁରୁତର ହୋଇଯାଏ । ଏହି କାରଣରୁ କିଡନୀ କର୍କଟ ଏବଂ ମୂତ୍ର ରୋଗ ହେବାର ଆଶଙ୍କା ବହୁଗୁଣିତ ହୋଇଥାଏ । ବେଳେବେଳେ କିଡନୀ ଷ୍ଟୋନ ମଧ୍ୟ କିଡନୀ ଫେଲ୍ ର କାରଣ ହୋଇଥାଏ । 


କିଡନୀ ଷ୍ଟୋନ ପରି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣଙ୍କୁ  ଖାଦ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଶରୀର ପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ପାଣି ପିଇବା ସହ ଓଜନ ନିୟନ୍ତ୍ରଣ ରଖିବା ଆବଶ୍ୟକ । ମାଂସାହାର ବର୍ଜନ କରିବା ସହ ଖାଦ୍ୟରେ ଅଧିକ ପରିମାଣରେ ସବୁଜ ପନିପରିବା ସାମିଲ କରାଯିବା ଆବଶ୍ୟକ ।