ଭୁବନେଶ୍ବର: ରାଜ୍ୟରେ ବର୍ଷକୁ ବର୍ଷ ବୃଦ୍ଧିପାଉଛି ସାପ କାମୁଡ଼ାଜନିତ ମୃତ୍ୟୁ । ଏହି କାରଣରୁ ଓଡ଼ିଶାରେ ବର୍ଷକୁ ପ୍ରାୟ ୮ଶହରୁ ଉର୍ଦ୍ଧ୍ୱ ନାଗରିକ ପ୍ରାଣ ହରାଉଛନ୍ତି । ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜନସାଧାରଣଙ୍କ ଯୋଗଦାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ । ଏଣୁ ରାଜ୍ୟରେ ସାପ କାମୁଡା ଓ ଏନେଇ ହେଉଥିବା ଧନଜୀବନହାନୀକୁ ହ୍ରାସ କରିବା ପାଇଁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏକ ଅନୁଧ୍ୟାନମୂଳକ ଗବେଷଣା ହାତକୁ ନିଆଯାଇଛି। ସାପ-ମଣିଷ ମୁକାବିଲାକୁ ହ୍ରାସ କରିବା ତଥା ଏହି ସମସ୍ୟାର ସମାଧାନ ନିମନ୍ତେ ଏମ୍‌ସର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ ପକ୍ଷରୁ ଏହି ଗବେଷଣା ଖୁବ୍‌ଶୀଘ୍ର ଆରମ୍ଭ ହେବ।  ଗୁରୁତ୍ବ ପୂର୍ଣ୍ଣ କଥା ହେଉଛି ସ୍ନେକ୍‌ ହେଲ୍ପଲାଇନ ସହିତ ମିଳିତ ଭାବରେ ଏମ୍‌ସ ଭୁବନେଶ୍ବର ସାପ କାମୁଡ଼ାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ମୋବାଇଲ୍ ଆପ୍ଲିକେସନ୍ ଏବଂ ୱେବସାଇଟ୍ ବିକଶିତ କରିଛି, ଯାହା ଖୁବ୍ ଶୀଘ୍ର ଉପଲବ୍ଧ ହେବ । 


COMMERCIAL BREAK
SCROLL TO CONTINUE READING

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ପାଇଲଟ୍ ପ୍ରକଳ୍ପ ଭାବେ ଭୁବନେଶ୍ବର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ପ୍ରାୟ ୪୦୦ ପରିବାରକୁ ଏହି ଗବେଷଣାମୂଳକ ଅଧ୍ୟୟନରେ ସାମିଲ କରାଯିବ। ପରବର୍ତ୍ତୀ ସମୟରେ ଏହା ସମଗ୍ର ରାଜ୍ୟରେ କରାଯିବାକୁ ଯୋଜନା ରହିଥିବା ଏମ୍‌ସ ଭୁବନେଶ୍ବର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର୍‌ ତଥା ଏହି ଗବେଷଣାର ମୁଖ୍ୟ  ଅନୁସନ୍ଧାନକାରୀ ଡ. ସୁଦିପ୍ତ ରଞ୍ଜନ ସିଂ ପ୍ରକାଶ କରିଛନ୍ତି ।  


  • ଭୁବନେଶ୍ବର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ ହେବ ଗବେଷଣା 

  • ପ୍ରାଥମିକ ଭାବେ ଅଧ୍ୟୟନରେ ସାମିଲ ହେବେ ୪ଶହ ପରିବାର  

  • ସ୍ନେକ୍‌ ହେଲ୍‌ପଲାଇନର ୧୦ ସ୍ବେଚ୍ଛାସେବୀଙ୍କୁ ଏମ୍‌ସରେ ଦିଆଯିବ ତାଲିମ 

  • ସାପ କାମୁଡ଼ାରେ ରାଜ୍ୟରେ ବର୍ଷକୁ ହେଉଛି ୮ ଶହରୁ ଉର୍ଦ୍ଧ୍ୱ ମୃତ୍ୟୁ  


ସାପ କାମୁଡ଼ିବାକୁ ରୋକିବା ଉପରେ ଜ୍ଞାନ, ମନୋଭାବ ଏବଂ ଅଭ୍ୟାସ (କେଏପି)କୁ ନେଇ ଏହି ଅଧ୍ୟୟନ ଆଗକୁ ବଢ଼ିବ। ଯେଉଁ ଘରୁ ସାପ ଉଦ୍ଧାର ହୋଇଛି, ଉକ୍ତ ପରିବାରର ସଦସ୍ୟଙ୍କ ମଧ୍ୟରେ ସାପ କାମୁଡ଼ିବା ପରେ ପ୍ରାଥମିକ ଚିକିତ୍ସା, ଏହାକୁ ରୋକିବା ଉପରେ ଜ୍ଞାନ, ମନୋଭାବ ଏବଂ ଏ ନେଇ ରହିଥିବା ପାରମ୍ପିକ ଅଭ୍ୟାସ ସମ୍ପର୍କରେ ଲୋକମାନଙ୍କ ନିକଟରୁ ତଥ୍ୟ ସଂଗ୍ରହ କରାଯିବ। ସ୍ନେକ୍‌ ହେଲ୍‌ପଲାଇନ୍‌ର ସ୍ବେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଏହି ଗବେଷଣା ହେବ ବୋଲି ଡ. ସିଂ ସୂଚନା ଦେଇଛନ୍ତି। ଏହି ସ୍ବେଚ୍ଛାସେବୀମାନେ ସାପ ଉଦ୍ଧାର କରୁଥିବା ପରିବାରର ସଦସ୍ୟଙ୍କ ନିକଟରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବେ। କେଉଁ କେଉଁ ପ୍ରତିଷେଧକ ନେଲେ ସାପ ଘରକୁ ପଶିପାରିବ ନାହିଁ, ଉପଯୁକ୍ତ ପ୍ରାଥମିକ ଚିକିତ୍ସା ପଦ୍ଧତି, ପ୍ରଚଳିତ ଗୁଣିଗାରେଡ଼ି ଭଳି ପୁରାତନ ପରମ୍ପରା, ସାପ କାମୁଡ଼ିବା ପରେ ମାନସିକସ୍ତରରେ ଆଚରଣ ଏବଂ ଘରୋଇ ପରିସରରେ ସାପର ଅନୁପ୍ରବେଶ, ପ୍ରଜନନ ଏବଂ କାମୁଡ଼ିବା ପାଇଁ ପ୍ରତିଷେଧକ ଅଭ୍ୟାସ ବିଷୟରେ ଅଧ୍ୟୟନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟିରେ ମଧ୍ୟ ଏହି ଗବେଷଣା କାର୍ଯ୍ୟ କରିବ। ପ୍ରଶ୍ନଗୁଡ଼ିକ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ।  


ଏହି ଅଧ୍ୟୟନ ପାଇଁ ସ୍ନେକ୍‌ ହେଲ୍ପଲାଇନର ୧୦ ଜଣ ସ୍ବେଚ୍ଛାସେବୀଙ୍କୁ ସୋମବାର ନମୁନା ସଂଗ୍ରହର ପଦ୍ଧତି ବିଷୟରେ ଫୋରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ବିଶେଷଜ୍ଞମାନେ ତାଲିମ ଦେଇଥିଲେ। ବିଭାଗ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପ୍ରଶ୍ନର ତତ୍ୟ ସଂଗ୍ରହ ପରେ ଅନୁସନ୍ଧାନକାରୀମାନେ ସାପ ଏବଂ ସାପ କାମୁଡ଼ା ବିଷୟରେ ଜନସାଧାରଣଙ୍କ ଜ୍ଞାନର ଉନ୍ନତି ପାଇଁ ସଚେତନତାମୂଳକ ଲିଫଲେଟ୍ ମଧ୍ୟ ବଣ୍ଟାଯିବ।  


ସ୍ନେକ୍‌ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି ଅଧ୍ୟୟନ ପାଇଁ ସଂଯୋଜକ ଭାବେ କାର୍ଯ୍ୟ କରିବେ। ବିଭାଗୀୟ ମୁଖ୍ୟ ଡ. ମନୋଜ କୁମାର ମହାନ୍ତି ଏହି ଗବେଷଣାର ସହଅନୁସନ୍ଧାନକାରୀ ଭାବେ ଦାୟିତ୍ବ ନିର୍ବାହ କରିବେ।  


ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁସାରେ ସର୍ପ ଦଂଶନ ଏକ ଅବହେଳିତ ଟ୍ରପିକାଲ୍‌ ରୋଗ। ଦିନକୁ ଦିନ ଏନେଇ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ସାପ କାମୁଡ଼ା ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସାର ଉପଲବ୍ଧତା ଅଛି, ତଥାପି ଅଧିକାଂଶ ଲୋକ ପାରମ୍ପାରିକ ଚିକିତ୍ସା ପଦ୍ଧତି ଯେପରିକି ଝଡ଼ାଫୁଙ୍କା ଆଦିର ସାହାଯ୍ୟ ନିଅନ୍ତି ଏବଂ ଡାକ୍ତରଖାନାକୁ ବିଳମ୍ବରେ ଆସୁଥିବା ଅଧ୍ୟୟନର ଅନୁସନ୍ଧାନକାରୀ ଡ. ସୁଦିପ୍ତ ସିଂ ପ୍ରକାଶ କରିଛନ୍ତି। ଯାହାଫଳରେ ଜୀବନହାନୀର ଯଥେଷ୍ଟ ଆଶଙ୍କା ରହିଛି। ଏଣୁ ଏନେଇ ରାଜ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି ଏବଂ କ୍ଷୟକ୍ଷତିକୁ ହ୍ରାସ କରିବା ନିମନ୍ତେ ଏହି ଅଧ୍ୟୟନର ପରିକଳ୍ପନା କରାଯାଇଛି। ଏନେଇ ଭୁବନେଶ୍ବରର ନାଗରିକଙ୍କ ସହଯୋଗ ଲୋଡିଛନ୍ତି ଡ. ସିଂ।