ଏଣିକି ଡମ୍ପିୟାର୍ଡକୁ ଯିବନାହିଁ ଅଳିଆ; ପ୍ରସ୍ତୁତ ହେବ ଜୈବିକ ସାର
ଏଣିକି ଅଳିଆରୁ ଜୈବିକ ସାର ପ୍ରସ୍ତୁତ କରିବ ବିଏମସି।
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜଧାନୀରେ ଉଦଘାଟନ ହେଲା ଦ୍ବିତୀୟ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ-ଏମସିସି (Micro Composting Centre-MCC)। ଭୁବନେଶ୍ୱର ମହାନଗର ନିଗମ-ବିଏମସି (BMC-Bhubaneswar Municpal Corporation)ପକ୍ଷରୁ ୩୨-୩୩ ନମ୍ବର ୱାର୍ଡ ପାଇଁ ଏମସିସି ପ୍ରକ୍ରିୟାକରଣ କେନ୍ଦ୍ର ନଭେମ୍ବର ୯ ତାରିଖ ସୋମବାର ଉଦଘାଟିତ ହୋଇଛି।
ଦକ୍ଷିଣ ପୂର୍ବ ମଣ୍ଡଳ ଅଧିନରେ ଏହା ପ୍ରଥମ ଏମସିସି କାର୍ଯ୍ୟକ୍ଷମ ହୋଇଛି। ମେସିନ ଓ କେନ୍ଦ୍ର ପୂଜାର୍ଚ୍ଚନା କରାଯାଇ ଶୁଭାରମ୍ଭ କରାଯାଇଛି। ବିଏମସିର ଏହି ଦୁଇଟି ୱାର୍ଡରୁ ବାହାରୁଥିବା ଓଦା ଅଳିଆ ଏଠାରେ ପ୍ରକ୍ରିୟାକରଣ କରାଯାଇ ଖତ ସାର ପ୍ରସ୍ତୁତ ହେବ। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ସାମିଲ ହୋଇ ଘର ଘର ବୁଲି ଅଳିଆ ସଂଗ୍ରହ କରିବା ସହ ପୃଥକୀକରଣ କରି ଏଠାରେ ଜୈବିକ ସାର (Organic Fertilizer)ପ୍ରସ୍ତୁତ କରିବେ। ଅଳିଆ ପଡିବାର ୪୩ ଦିନ ପରେ ଏଥିରୁ ସାର ବାହାରିବ। ଗୋଟିଏ ଏମସିସି କେନ୍ଦ୍ରରେ ୧୪ ଟି ପିଟ୍ ରହିଛି।
ପର୍ଯ୍ୟାୟକ୍ରମେ ପ୍ରତି ପିଟ୍ ରେ ଅଳିଆ ପକାଯିବ, ଏହାସହ କୁଣ୍ଡା, ଗୋବର ଓ ଦହିର ଏକ ମିଶ୍ରଣ ଏଥିରେ ମିଶାଯିବ। ପରେ ଏହାକୁ ମେସିନ ଦ୍ବାରା ଗୁଣ୍ଡ କରାଯାଇ ସାର ପ୍ରସ୍ତୁତ ହେବ। ଯାହାକୁ ପରେ ବିଭିନ୍ନ କୃଷି କ୍ଷେତ୍ରରେ ବ୍ୟବହାର କରାଯିବା ସହ ବର୍ତ୍ତମାନ ଓୟୁଏଟି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା କହିଛନ୍ତି ବିଏମସି କର୍ତ୍ତୃପକ୍ଷ। ଏପରି ଭୁବନେଶ୍ବରରେ ସର୍ବମୋଟ ୪୩ଟି ଏମସିସିର କାର୍ଯ୍ୟ ଚାଲିଛି। ସମସ୍ତ କାର୍ଯ୍ୟ ଶେଷ ହେବା ପରେ ଆଉ ଦାରୁଠେଙ୍ଗ ଡମ୍ପିଂୟାର୍ଡ (Dumping Yard)ନିକଟକୁ ଅଳିଆ ଯିବ ନାହିଁ।