ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଫେରିଲା ଶୀତ ଆଉ ଥରିଉଠିବ ରାଜ୍ୟ। ଓଡିଶାରେ ପ୍ରଥମ ଥର ପାଇଁ ଶୀତ ଲହରି (Cold Wave) ନେଇ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଥରହର ପରିସ୍ଥିତି ନେଇ ଭୀଷଣ ଶୀତ ଲହରୀ ଦେଖାଦେବାର ସମ୍ଭାବନା ରହିଛି। 


COMMERCIAL BREAK
SCROLL TO CONTINUE READING

ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ୫ ଜିଲ୍ଲା ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ, ବରଗଡ ଜିଲ୍ଲାରେ ଭୀଷଣ ଶୀତ ଲହରି ନେଇ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଏବଂ ୧୧ ଜିଲ୍ଲା କୋରାପୁଟ, କନ୍ଧମାଳ, ବାଲେଶ୍ବର, କେଉଁଝର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡା, ଢେଙ୍କାନାଳ, କଟକ, ଦେବଗଡରେ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି କେନ୍ଦ୍ର।


ଏହି ଜିଲ୍ଲାରେ ଥଣ୍ଡା ପାଗ (Cold Weather) ସହ କୋହଲା ପବନ (Cold Wind) ବହିବା ଦ୍ବାରା ଜନଜୀବନ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବିଶେଷକରି ରାତି ସମୟରେ ଘରେ ରହିବା ସହ ୨ ଚକିଆ ଯାନରେ ଯାତାୟତ କରିବାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲି ୨୧ ତାରିଖରେ ମଧ୍ୟ ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ଆସନ୍ତା ୨୨ ତାରିଖ ସକାଳ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ। 


ଏହାସହ ଆସନ୍ତା ୩-୪ ଦିନ ମଧ୍ୟରେ ଅଭ୍ୟନ୍ତରୀଣ ଓଡିଶାରେ ପାଗ ଅପରିବର୍ତ୍ତିତ ରହିବା ସହ ଉପକୂଳ ଓଡିଶାରେ ତାପମାତ୍ରା ସ୍ବଭାବିକ ଠାରୁ ୩-୪ ଡିଗ୍ରୀ ତଳେ ରହିବା ନେଇ ଆକଳନ କରାଯାଇଛି। ଅପରପକ୍ଷେ ରବିବାର ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଥଣ୍ଡା ସହର ଭାବେ ପରିଗଣିତ ହେବା ସହ ଝାରସୁଗୁଡାରେ ୭.୬, ବାରିପଦାରେ ୮.୫, ଅନୁଗୁଳରେ ୮.୬, କୋରାପୁଟରେ ୮.୬, ଦାରିଙ୍ଗବାଡିରେ ୯.୦, ଭବାନୀପାଟଣାରେ ୯.୨, ବଲାଙ୍ଗୀରରେ ୯.୪, କେନ୍ଦୁଝରରେ ୯.୫,  ବୌଦ୍ଧରେ ୧୦.୫, ତାଳଚେରରେ ୧୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି କଟକରେ ୧୧ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୩.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।