ସଚେତନତାରେ ଅଟକିଛି ସାଇବର ତଦନ୍ତ, ଧରାପଡୁନାହାନ୍ତି ୱେବସାଇଟ ହ୍ୟାକର
ସାଧାରଣ ୱେବସାଇଟ ସହ ସରକାରୀ ୱେବସାଇଟ ମାନଙ୍କୁ ମଧ୍ୟ ସାଇବର ଅପରାଧୀମାନେ କରୁଛନ୍ତି ଟାର୍ଗେଟ
ସରୋଜ ବେହେରା, ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସାଇବର ଅପରାଧ । ସାଧାରଣ ୱେବସାଇଟ ସହ ସରକାରୀ ୱେବସାଇଟ ମାନଙ୍କୁ ମଧ୍ୟ ସାଇବର ଅପରାଧୀମାନେ କରୁଛନ୍ତି ଟାର୍ଗେଟ । ଆଉ ଲୋକଙ୍କଠାରୁ ଲୁଟି ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା । ଏଥିରେ ସରକାରୀ କଳର ଅବହେଳା ସ୍ପଷ୍ଟ ବାରି ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ସାଇବର ସିକ୍ୟୁରିଟି ସପ୍ତାହ ।
ସୁରକ୍ଷିତ ନାହିଁ ସରକାରୀ ୱେବ ସାଇଟ । ଏହାର ଫାଇଦା ନେଉଛନ୍ତି ସାଇବର ଠକ । ତଦନ୍ତ ଢିଲା ଭାବରେ ଚାଲୁଥିବାରୁ ଧରାପଡୁନାହାନ୍ତି ସାଇବର ଠକ । କେତେବେଳେ ସରକାରୀ କଲେଜ ତା ଆଉ କେତେବେଳେ ରାଜସ୍ୱ ବିଭାଗର ୱେବସାଇଟ ହେଉଛି ହ୍ୟାକ । ସରକାରୀ କଳରେ ଥିବା ଗଳା ବାଟରେ ଫାଇଦା ଉଠାଉଛନ୍ତି ଅପରାଧୀ । ୱେବସାଇଟରେ ଥିବା ତଥ୍ୟକୁ ହ୍ୟାକ କରି ଅପରାଧୀ କରୁଛନ୍ତି ବ୍ଲାକମେଲ । ଚୋର ଚୋରି କରି ଗଲା ପରେ ଏବେ ଚିନ୍ତା ପଶିଛି ସରକାରଙ୍କ । ଏଥିପାଇଁ ପାଇଁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ସରକାରୀ ୱେବ ସାଇଡକୁ ଟ୍ରିପଲ ଆଇଟି ସହଯୋଗରେ ଅଡିଟ କରି ବୈଷୟିକ ଜ୍ଞାନକୌଶଳ ବିଭାଗ ସବୁ ୱେବସାଇଟକୁ ଅପଲୋଡ କରିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।
କେବଳ ୨୦୧୯ରେ ଓଡ଼ିଶା ସରକାରଙ୍କ ୬୦ଟି ୱେବସାଇଟ ହ୍ୟାକ ହୋଇଥିଲା । ଅପରାଧୀମାନେ ୱେବସାଇଟ ହ୍ୟାକ କରିବା ସହ ତଥ୍ୟ ନେଇ ଏହା ବଦଳରେ ଟଙ୍କା ମଧ୍ୟ ମାଗିଥିଲେ । କିଏ କାହିଁକି ଏ ସବୁ ୱେବସାଇଟ ହ୍ୟାକ କରୁଥିଲା ତାହାକୁ ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ମଧ୍ୟ କରାଯାଇଥିଲା । ହେଲେ ଫଳ ଶୂନ । କୌଣସି ଗୋଟାଏ ବି ମାମଲାରେ ପୋଲିସ ସାଇବର ହ୍ୟାକରଙ୍କୁ ଧରିବାରେ ସଫଳ ହୋଇପାରିନାହିଁ । NIC ଓ OCAC ଭଳି ସଂସ୍ଥା ଥିବା ବେଳେ ସରକାରୀ ଅଧିକାରୀମାନେ ଥ୍ରାର୍ଡ ପାର୍ଟି ଦ୍ୱାରା ୱେବସାଇଟ ତିଆରି କରୁଥିବାରୁ ଏଭଳି ମାମଲା ବୃଦ୍ଧି ପାଉଥିବା କହିଛନ୍ତି ଟ୍ରିପଲ ଆଇଟିର ଡିନ୍ । ଇଏତ ଗଲା ସରକାରୀ ୱେବସାଇଟ ହ୍ୟାକର କଥା ଅପରାଧ ରେକର୍ଡ ଦେଖିଲେ ଓଡ଼ିଶାରେ ସାଇବର ଅପରାଧିକ ମାମଲା ୧୫୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୬ରେ ଓଡ଼ିଶାରେ ୩୧୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ବୃଦ୍ଧି ପାଇ ୭ ଶହରୁ ଅଧିକକୁ ବୃଦ୍ଧି ପାଇଥିଲା । ୨୦୧୯ରେ ମଧ୍ୟ ଏଭଳି ମାମଲା ଥମିବାର ନାଁ ଧରୁ ନ ଥିଲା । ଓଡ଼ିଶା ପୋଲିସ ଏହାକୁ ନେଇ ଯେତିକି ସମ୍ବେଦନଶୀଳ ଅଛି ବୋଲି କହୁଛି ତାହା କିନ୍ତୁ ସାଧାରଣରେ ପ୍ରତିଫଳିତ ହୋଇପାରୁନାହିଁ ।
ଓଡ଼ିଶାରେ ସାଇବର ଅପରାଧ ରୋକିବା ତଥା ଅପରାଧୀଙ୍କୁ ଧରିବା ପାଇଁ ୪ଟି ସାଇବର ଥାନା ଥିବା ବେଳେ ଆହୁରି ୪ଟି ଥାନା ତିଆରି କରିବାକୁ ଯୋଜନା କରାଯାଇଥିଲା । ହେଲେ ଏହି ସବୁ ପ୍ରତିଶ୍ରୁତି ଏବେ ବି ପାଣିର ଗାର ହୋଇ ରହିଛି । ସେପଟେ ଲୋକେ ଏବେ ବି ସାଇବର ସମ୍ପର୍କୀୟ ଠକେଇ ନେଇ କେଉଁଠି ଅଭିଯୋଗ କରିବେ ତାହା ଜାଣି ପାରୁନାହାନ୍ତି । ଲୋକଙ୍କୁ ସଚେତନ ସହ ବର୍ତ୍ତମାନ ଡିଜି ଏହାକୁ ଗୁରୁତର ସହ ନେଇଛନ୍ତି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ।