ସରୋଜ ବେହେରା, ଭୁବନେଶ୍ୱର: କୋରୋନା ଯୋଗୁଁ ଦୀର୍ଘ ମାସେ ହେବ ଲୋକେ ଘରେ ଲକଡାଉନ୍ ହୋଇ ରହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଛାଡି ଦେଲେ ବାହାରକୁ ଯିବାକୁ ମନା କରାଯାଇଛି । ଏଭଳି ପରିସ୍ଥିତିରେ ରୋଗୀଙ୍କୁ ହସ୍ପିଟାଲ ନେବା, ଅସୁବିଧାରେ ପଡିଥିବା ଲୋକଙ୍କୁ ସୁବିଧା ଯୋଗାଇବା ଭଳି କାମରେ ଲାଗିପଡିଛି ଡାୟଲ 100 । କମିଶନରେଟ ପୋଲିସ କଣ୍ଟ୍ରୋଲ ରୁମ ଅଧିନରେ ଥିବା ଏହି ବ୍ୟବସ୍ଥା ଟୁଇନ ସିଟି ବାସିନ୍ଦାଙ୍କୁ ସେମାନଙ୍କ ଅସୁବିଧାରୁ ବାହାର କରିବାରେ ବେଶ ସହାୟକ ହୋଇଛି । କୋରୋନା ବଢ଼ିବା ବେଳେ ଲୋକଙ୍କୁ ସହାୟତା ଯୋଗାଇ ଦେବାରେ କମିଶନରେଟ ପୋଲିସ ବେଶ ତତ୍ପର ହୋଇ ଉଠିଛି ।


COMMERCIAL BREAK
SCROLL TO CONTINUE READING

ହ୍ୟାଲୋ ପୋଲିସ କଣ୍ଟ୍ରୋଲ ରୁମ ଆପଣଙ୍କ କି ସହାୟତା କରିପାରେ । ଏଭଳି କିଛି ଶବ୍ଦ ଆସିଥାଏ ଯେତେ ବେଳେ ଆପଣ ନିଜ ଫୋନରେ ଡାୟଲ କରନ୍ତି ୧୦୦ ନମ୍ବରକୁ । କାନରେ ଇଅର ଫୋନ ଆଉ ଅନବରତ ଫୋନ କଲ । ଏଭଳି କିଛି ଦୃଶ୍ୟ ହେଉଛି କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ । ଦିନ ଥିଲା ଏହି କଣ୍ଟ୍ରୋଲ ରୁମକୁ ଆସୁଥିଲା ଚୋରି, ତସ୍କରି, ଦୁର୍ଘଟଣା ଭଳି ଘଟଣା ପାଇଁ ଫୋନ କଲ୍ । ହେଲେ ଏବେ ଆସୁଛି କେବଳ ସାହାର୍ଯ୍ୟ ପାଇଁ ଫୋନ୍ । କୋରୋନା ପାଇଁ ଦୀର୍ଘ ମାସେ ହେବ ଚାରି ଆଡ଼େ ଲକଡାଉନ ଥିବା ବେଳେ ଏବେ ଲୋକଙ୍କ ପାଇଁ ଦୁତ ସାଜିଛନ୍ତି ଏହି ପୋଲିସ କର୍ମଚାରୀ । ଲୋକଙ୍କୁ ଯେଭଳି କୌଣସି ଅସୁବିଧା ନହେବ, ସେଥିପାଇଁ ଲାଗି ପଡିଛନ୍ତି ଏମାନେ । କୋରୋନା ଲକଡାଉନ୍ ବେଳେ ଏହି ପୋଲିସ ଅଧିକାରୀଙ୍କ ସହଯୋଗ ପାଇଁ ଲୋକେ ମଧ୍ୟ ଅନେକ ଲାଭ ପାଉଛନ୍ତି । ବିଶେଷ କରି ସ୍ୱାସ୍ଥ୍ୟ ସେବା ପାଇଁ ଦିନକୁ ଆସୁଛି ହଜାର ହଜାର ଫୋନ୍ କଲ୍ । କିଏ କେଉଁଠି ଫସି ରହିଛନ୍ତି ସେମାନଙ୍କୁ ଖାଇବା ପାଇଁ ଦେବାଠାରୁ ଆରମ୍ଭ କରି ଲୋକଙ୍କ ଘରେ କୌଣସି ଅସୁବିଧା ସବୁ ବେଳେ ଏମାନେ ଲାଗିପଡିଛନ୍ତି ସେବାରେ । ପୋଲିସ ଦାୟୀତ୍ୱରେ ରହି ଏଭଳି ସାହାର୍ଯ୍ୟ କରିବା ନିଜକୁ ଆତ୍ମସନ୍ତୋଷ ଦେଇଥାଏ ବୋଲି କହିଛନ୍ତି ପୋଲିସ କଣ୍ଟ୍ରୋଲ ରୁମ ଇନଚାର୍ଜ ବାନାମ୍ବର ସେଠୀ । 


ସମୟ ଥିଲା ଦିନକୁ ପ୍ରାୟ ୨ ହଜାର ଫୋନ କଲ୍ ଆସୁଥିଲା କଣ୍ଟ୍ରୋଲ ରୁମକୁ । ହେଲେ ଏବେ ଏହି ସଂଖ୍ୟା ବଢ଼ି ଦିନକୁ ପ୍ରାୟ ୬ ହଜାର ୫ ଶହ କଲରେ ପହଞ୍ଚିଛି । କୋରୋନା ସଂକ୍ରମଣ ନେଇ ରାଜ୍ୟରେ ଲକଡାଉନ୍ ଆରମ୍ଭ ହେବା ବେଳେ ଡାୟଲ 100କୁ ଫୋନ ଆସିବା ସଂଖ୍ୟା ୧୦୦୦୦ରେ ପହଞ୍ଚିଥିଲା । ଏତେ ସଂଖ୍ୟାରେ ଆସିଥିବା ଫୋନ କଲକୁ କଣ୍ଟ୍ରୋଲ କରିବା ପାଇଁ କଣ୍ଟ୍ରୋଲ ରୁମରେ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇ ୭୫ ରଖାଯାଇଥିଲା । ପ୍ରତ୍ୟେକ ସିଫ୍ଟରେ କେବଳ ଭୁବନେଶ୍ୱରରେ ୨୫ ଜଣ ଅଧିକାରୀ ରହି ଲୋକଙ୍କ ଅସୁବିଧା ଶୁଣି ସେମାନଙ୍କ ସମାଧାନର ବାଟ ଦେଖାଉଥିଲେ । ସେଭଳି କଟକରେ ମଧ୍ୟ ପ୍ରତ୍ୟେକ ସିଫ୍ଟରେ ୧୦ ଜଣ ଅଧିକାରୀଙ୍କୁ ନିୟୋଜିକ କରାଯାଇଛି । 



ବିଶେଷ କରି ଲୋକେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ପୋଲିସକୁ ଅବଗତ କରୁଥିବା ବେଳେ ଘରର ଅନ୍ୟାନ୍ୟ ଅସୁବିଧା ନେଇ ମଧ୍ୟ ଲୋକେ ପୋଲିସକୁ ଜଣାଉଛନ୍ତି । ଧୋର୍ଯ୍ୟର ସହ ଏହି ଅଧିକାରୀମାନେ ଲୋକଙ୍କ ଅଭିଯୋଗ ଶୁଣି ସେମାନଙ୍କୁ ନିର୍ଦ୍ଧାରିତ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କହିଥାନ୍ତି । ଏଥିପାଇଁ ସମସ୍ତ ପୋଲିସ ଅଧିକାରୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥାଏ । ଲୋକଙ୍କୁ ସବୁ ପ୍ରକାର ସାହାଯ୍ୟ ଦେବା ପୋଲିସର ମୁଖ୍ୟ କାମ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କୋରୋନା ପାଇଁ ଘରେ ରହି ଲଢ଼େଇ କରିବାକୁ ଲୋକଙ୍କୁ ବୁଝାଉଥିବା ପୋଲିସ ଅଧିକାରୀ ଆମମାନଙ୍କ ପାଇଁ ନିଜେ ଦିନ ରାତି ଏକ କରିଦେଇଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କୁ ଲୋକଙ୍କ ସହଯୋଗ ଏହି ଯୁଦ୍ଧକୁ ଶେଷ ପର୍ଯ୍ୟାୟକୁ ନେବ ବୋଲି ଆଶା କରାଯାଉଛି ।