ଭୁବନେଶ୍ୱର: ପାଖେଇ ଆସୁଛି ଦଶହରା। ଦିନ ଦେଇଟା ପରେ ଆରମ୍ଭ ହେବ ଦୂର୍ଗାପୂଜା । ଚଳିତ ବର୍ଷ କୋରୋନା କଟକଣା ଭିତରେ କଟିବ ପାର୍ବଣ ଋତୁ (Parvan Season)। ରାଜ୍ୟରେ କୋଭିଡ ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ଜାରି କରିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ-ବିଏମସି (BMC-Bhubaneswar Municpal Corporation) ପକ୍ଷରୁ ମଧ୍ୟ ରାଜଧାନୀ ପୂଜା ମଣ୍ଡପ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି।  


COMMERCIAL BREAK
SCROLL TO CONTINUE READING

ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଆଦି ପର୍ବ ଲାଗି ଏସବୁ ଗାଇଡଲାଇନ୍ ଜାରି କରି ପ୍ରଚାର ଗାଡି ବୁଲାଇଛି ବିଏମସି। ୪ ଫୁଟ୍ ମୂର୍ତ୍ତି ଉଚ୍ଚତା ଏବଂ ମାଇକ ଯୋଗେ ମନ୍ତ୍ର ଉଚ୍ଚାରଣକୁ ବାରଣ ନେଇ ପୂଜା ମଣ୍ଡପ କମିଟି ମଧ୍ୟରେ ଅସନ୍ତୋଷ ଥିଲେ ସୁଦ୍ଧା ପ୍ରଶାସନର ଗାଇଡଲାଇନ ମାନି ଉସ୍ତ୍ରବ ପାଳିବାକୁ ପ୍ରସ୍ତୁତ ହେଉଛନ୍ତି। ନିରାଡମ୍ବର ପୂଜା ସହ ମୂର୍ତ୍ତୀ ଗଢା ଶେଷ ପର୍ଯ୍ୟାୟରେ ଥିବା ବେଳେ ଅନଲାଇନ ଦର୍ଶନକୁ ପ୍ରାଧାନ୍ୟ ଦେଇଥିବା ପୂଜା ମଣ୍ଡପ ପକ୍ଷରୁ କୁହାଯାଇଛି।  


ବିନା ଆଡମ୍ବରରେ ପୂଜାବିଧି ବ୍ୟତୀତ କୌଣସି ଯାକଜମକରେ ଆୟୋଜନ ନକରିବାକୁ କୁହାଯାଇଛି। ପୂଜାରେ ଶ୍ରଦ୍ଧାଳୁଙ୍କୁ ସାମିଲ ନକରିବାକୁ ନିର୍ଦ୍ଦେଶ ରହିଛି। ମଣ୍ଡପରେ ପୂଜା ହେବାକୁ ଯାଉଥିବା ମୂର୍ତ୍ତୀକୁ ୪ ଫୁଟ୍ ମଧ୍ୟରେ ସୀମିତ ରଖିବାକୁ ଜଣାଇ ଦିଆଯାଇଛି। ମଣ୍ଡପ ଚାରିପଟକୁ ଆବଦ୍ଧ କରିବା ସହ ସର୍ବସାଧାରଣ ଦର୍ଶନକୁ ବାରଣ କରାଯାଇଛି। ଡାକବାଜି ଯନ୍ତ୍ରର ବ୍ୟବହାର ନ କରିବା ସହ ଏକ ସମୟରେ ପୂଜକ ଓ କର୍ତ୍ତାଙ୍କୁ ମିଶାଇ ସର୍ବମୋଟ ୭ ଉର୍ଦ୍ଧ୍ୱ ଲୋକଙ୍କ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି। 


ଜନଗହଳି ନ କରିବା ପୂଜା ମଣ୍ଡପ ଉଦ୍ଦେଶ୍ୟରେ ଜଣାଇ ଦେଇଛି ପ୍ରଶାସନ। ଏହା ସହିତ ପୂଜା କମିଟି ପକ୍ଷରୁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳକୁଦ, ମନୋହାରୀ ସାମଗ୍ରୀ ଦୋକାନ, ଲଟେରୀ ଆଦି କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି। ଏହା ସହିତ କୋରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ଆନୁଷଙ୍ଗୀକ ଗାଇଡଲାଇନ୍ସ ମାନିବାକୁ ଜଣାଇ ଦିଆଯାଇଛି। ପ୍ରଶାସନ ଦ୍ୱାରା କରାଯାଇଥିବା ଅସ୍ଥାୟୀ ପୋଖରୀରେ ନିରାଡମ୍ବର ମୂର୍ତ୍ତୀ ବିସର୍ଜନ ହେବ । କୌଣସି ବ୍ୟକ୍ତି କିମ୍ବା ବ୍ୟବସାୟିକ ଅନୁଷ୍ଠାନକୁ ପୂଜା ମଣ୍ଡପ ନିକଟରେ ଗହଳି ନକରିବାକୁ କୁହାଯାଇଛି। ଏସବୁ କଟକଣାକୁ ପାଳନ କରି ପୂଜା କରିବେ ବୋଲି ମଣ୍ଡପ ପକ୍ଷରୁ ପ୍ରସ୍ତୁତି କରିଥିବା ବେଳେ ଇ- ଦର୍ଶନ (Online Darshan) ବ୍ୟବସ୍ଥା କରୁଥିବା କହିଛନ୍ତି ମଣ୍ଡପ କର୍ତ୍ତୃପକ୍ଷ। 


ମୂର୍ତ୍ତି ଗଢା ଜୋରସୋର ଚାଲିଥିବା ବେଳେ ମାଟି ଓ ରଙ୍ଗକାମ ଚାଲିଛି।  ଚଳିତ ମାସ ୧୭ ତାରିଖରୁ ନବଦିନାତ୍ମକ ପୂଜା ଆରମ୍ଭ ହେବ।  ଏହା ପରେ ୨୨ ତାରିଖ ଷଷ୍ଠୀରେ ବିଲ୍ୱବରଣ, ଏହା ପରେ ସପ୍ତମୀ, ଅଷ୍ଟମୀ, ନବମୀ, ଦଶହରା ପାଳନ କରି ମା'ଙ୍କୁ ବିସର୍ଜନ କରାଯିବ। ଚଳିତ ବର୍ଷ ମୂର୍ତ୍ତି ଉଚ୍ଚତାକୁ ନେଇ ଅସନ୍ତୋଷ ଥିବା ସତ୍ତ୍ୱେ ପ୍ରଶାସନର ନିର୍ଦ୍ଦେଶାବଳୀ ମାନି ପୂଜା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଭିନ୍ନ ପୂଜା କମିଟି। ଏହା ବ୍ୟତୀତ ଶୃଙ୍ଖଳା ରକ୍ଷା ପାଇଁ କୁହାଯାଇଛି। ତେବେ ବିଏମସି ନିୟମର ଉଲ୍ଲଂଘନ କଲେ ଆବଶ୍ୟକୀୟ ଦଣ୍ଡ ବିଧାନ ସହ ଜରିମାନା ଆଦାୟ କରାଯିବ ବୋଲି ଜଣାଇ ଦିଆଯାଇଛି। ଏହାସହ ପ୍ରଚାର ଗାଡି ବୁଲାଇ ପୂଜା ମଣ୍ଡକୁ ଏବାବଦରେ ସଚେତନ କରାଉଛି ବିଏମସି।