Govt Contractual Employees, ଭୁବନେଶ୍ୱର: ସ୍ଥାୟୀ ପରେ ପୁନଃନିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୂଜା ଭେଟି ମିଳିଛି। ଗତ ସପ୍ତାହରେ ୩ ପ୍ରତିଶତ ମହଙ୍ଗାଭତ୍ତା ବୃଦ୍ଧି ପାଇଥିଲା। ଆଉ ପୂଜା ପୂର୍ବରୁ ଏବେ ପୁନଃନିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ବେତନ ବୃଦ୍ଧି କରାଯାଇଛି। ଗୁରୁବାର ଅର୍ଥ ବିଭାଗର ୨୦୧୮ ମାର୍ଚ୍ଚର ମେମୋରାଣ୍ଡମ ସଂଖ୍ୟା ୭୦୨୨/ଏଫ୍ ରେ ସଂଶୋଧନ ଦାବିକୁ ସରକାର ଗ୍ରହଣ କରିଛନ୍ତି। ଓଆରଏସପି ୨୦୧୭ର ନିୟମ ଅନୁସାରେ ଏମାନେ ଅକ୍ଟୋବର ପହିଲାରୁ ମାସିକ ସର୍ବନିମ୍ନ ୧୦ ହଜାରରୁ ସର୍ବାଧିକ ୫୦ ହଜାର ଟଙ୍କା ପାଇବେ। ଅନ୍ୟପଟେ ୭୦ ହଜାର ସରକାରୀ ଠିକା କର୍ମଚାରୀ ସ୍ଥାୟୀ ନିଯୁକ୍ତି ଅପକ୍ଷାରେ ଅଛନ୍ତି। 


COMMERCIAL BREAK
SCROLL TO CONTINUE READING

ସରକାରୀ ଚାକିରିରୁ ଅବସର ନେଲା ପରେ ମଧ୍ୟ ରାଜ୍ୟ ସରକାର କିଛି କର୍ମଚାରୀ ଓ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦେଉଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏମାନଙ୍କୁ ନିଯୁକ୍ତି ମିଳିଛି। ଓଆରଏସପି ୨୦୧୭ର ନିୟମ ଅନୁସାରେ, ପୁନଃନିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସପ୍ତଦଶ ସ୍ତରରେ ବେତନ ଦିଆଯାଉଛି। ଅର୍ଥ ବିଭାଗର ୨୦୧୮ ମାର୍ଚ୍ଚର ମେମୋରାଣ୍ଡମ ସଂଖ୍ୟା ୭୦୨୨/ଏଫ୍ ରେ ସଂଶୋଧନ ପରେ ଏମାନଙ୍କ ଦରମା ବୃଦ୍ଧି ହୋଇଛି। ଅକ୍ଟୋବର ପହିଲାରୁ ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ ବେତନ ସ୍ତରର କର୍ମଚାରୀ ୧୦ ହଜାର, ପଞ୍ଚମରୁ ଦଶମ ୨୦ ହଜା, ଏକାଦଶରୁ ତ୍ରୟୋଦଶ ୩୫ ହଜାର, ପଞ୍ଚଦଶରୁ ଷୋଡଶ ୪୬ ହଜାର ଓ ସପ୍ତଦଶ ବେତନ ସ୍ତରରେ ଥିବା କର୍ମଚାରୀ ୫୦ ହଜାର ଟଙ୍କା ଦରମା ପାଇବେ। ତବେ ଅବସରପ୍ରାପ୍ତଙ୍କ ପେନସନ ଏ ଟିଆଇରେ ଏହି ନିୟମ ଲାଗୁ ହେବ ନାହିଁ।


Also Read: Govt Contractual Employees: ଲୋକସେବା ଭବନରେ ହଲଚଲ ଆରମ୍ଭ, ଦଶହରା ପୂର୍ବରୁ ମିଳିପାରେ ଖୁସି ଖବର


ଏହା ବ୍ୟତୀତ ଏକ ନିର୍ଦ୍ଧିଷ୍ଟ କ୍ୟାଡରରେ ଏଣ୍ଟ୍ରୀ ଲେଭଲରେ ଖାଲିଥିବା ପଦବୀର ୫୦ ପ୍ରତିଶତ ପର୍ଯ୍ୟନ୍ତ ନିଯୁକ୍ତି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦିଆଯାଇପାରିବ। ଏଥିପାଇଁ ଅର୍ଥ ବିଭାଗର ଅନୁମତି ଆବଶ୍ୟକ ନାହିଁ, କିନ୍ତୁ ୫୦ ପ୍ରତିଶତରୁ ଅଧିକ ହେଲେ ମନ୍ତ୍ରାଳୟର ସହମତି ଜରୁରୀ। କେତେକ କ୍ଷେତ୍ରରେ ଏକ ନିର୍ଦ୍ଧିଷ୍ଟ ଅବଧି ପାଇଁ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ମିଳିପାରେ। ତେବେ ସାମ୍ବିଧାନିକ ପଦବୀ, ବୋର୍ଡ କିମ୍ବା କମିଶନ, ଏଲୋପାଥି ଡାକ୍ତର ଓ ମଡିକାଲ କଲେଜ ପ୍ରଫେସର କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ନିଯୁକ୍ତି ପାଇଁ ଅର୍ଥ ମନ୍ତ୍ରାଳୟ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ସହମତି ଲୋଡା ନାହିଁ ବୋଲି ଗରୁବାର ଅର୍ଥ ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। 


ସେପଟେ ରାଜ୍ୟ ସରକାରଙ୍କ ୭୦ ହଜାର ଠିକା କର୍ମଚାରୀ ଜର୍ଜରିତ ଅବସ୍ଥାରେ କାଳାଦିପାତ କରୁଛନ୍ତି। ସ୍ୱଳ୍ପ ଦରମାରେ ସେମାନଙ୍କୁ ପରିବାର ଚଳାଇବାକୁ ପଡୁଛି। ତେଣୁ ଦୀର୍ଘ ସମୟ ହେଲା ସେମାନେ ସ୍ଥାୟୀ ନିଯୁକ୍ତି ସହ ଚୁକ୍ତି ଭିତ୍ତିକ ନିଯୁକ୍ତି ନୀତି ଉଚ୍ଛେଦ କରିବାକୁ ଦାବି କରୁଛନ୍ତି। ସରକାର ଏମାନଙ୍କ ଦାବି ଉପରେ ସେପ୍ଟେମ୍ବର ୨୬ ସୁଦ୍ଧା ନିଷ୍ପତ୍ତି ନେବାର ଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଥିରେ କୌଣସି ଅଗ୍ରଗତି ଦେଖିବାକୁ ମିଳିନାହିଁ। ତେବେ ସଚିବାଳରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଉପରେ ଆଲୋଚନା ହେଉଥିବା ଖବର ମିଳିଛି। ଅନ୍ୟପଟେ ସରକାର ଦେଇଥିବା ପ୍ରତିଶୃତି ଅନୁସାରେ ଦୁର୍ଗ ପୂଜା ପୂର୍ବରୁ ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନକଲେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିରାଟ ଆନ୍ଦୋଳନ ହେବ। ଏଥର ୭୦ ହଜାର କର୍ମଚାରୀଙ୍କ ସହିତ ସେମାନଙ୍କ ପରିବାର ମଧ୍ୟ ଆନ୍ଦୋଳନରେ ସାମିଲ ହେବେ ବୋଲି ଠିକା କର୍ମତାରୀ ସଙ୍ଘ ଚେତାବନୀ ଦେଇଛି।