ଥମୁନି ବେଆଇନ ପକ୍ଷୀ ଚାଲାଣ, ସବୁ ଜାଣି ଚୁପ ବସିଛି ବନ ବିଭାଗ !
ଦେଶରେ ପ୍ରଥମ ଥର ପାଇଁ ଯେଉଁ ବନ୍ୟ ପକ୍ଷୀ ରଖିବା ଉପରେ ବ୍ୟାନ ଲାଗିଥିଲା ସେହି ପକ୍ଷୀ ହେଉଛି ଶୁଆ । ବିଶେଷ କରି ରିଙ୍ଗ ନ୍ୟାକ୍ ବା ଆଲେକ୍ସାଣ୍ଡ୍ରିଆନ ପାରାକିଟ୍ କୁହାଯାଉଥିବା ଏହି ଶୁଆକୁ ଘରେ ରଖିବା ଉପରେ ଲାଗିଛି ବ୍ୟାନ୍ ।
ସରୋଜ ବେହେରା, ଭୁବନେଶ୍ୱର: ରାଜ୍ୟରେ ବେଧଡକ ଚାଲିଛି ବନ୍ୟଜନ୍ତୁଙ୍କ ଚୋରା ଚାଲାଣ । କେତେବେଳେ ଜଙ୍ଗଲରୁ ଆଣି ତ ଆଉ କେତେ ବେଳେ ଏମାନଙ୍କ ଶିକାର କରି ଚାଲିଛି ଚାଲାଣ । ଏଭଳି ଏକ ଜନ୍ତୁ ହେଉଛି ଶୁଆ । ରାଜ୍ୟରେ ଏହାକୁ ପାଳିବା ବିକ୍ରି କରିବା ଉପରେ ଲାଗିଛି ରୋକ । ହେଲେ ଦୁର୍ଭାଗ୍ୟର କଥା ଖୋଧ ରାଜଧାନୀ ଆଖପାଖରେ ଏବେ ଶୁଆ ବେପାରୀ ଖୁଲମଖୁଲା ଚଲାଇଛନ୍ତି ସେମାନଙ୍କ ବେପାର । ହେଲେ ବନ ବିଭାଗର ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ହେଉ ବା ଏଭଳି ଚୋରାଚାଲାଣ ରୋକିବାକୁ ଥିବା କ୍ରାଇମବ୍ରାଞ୍ଜ ଏସଟିଏଫ ସବୁ ଜାଣି କିଛି ନ ଜାଣିଲା ପରି ଚୁପ ହୋଇ ବସିଯାଇଛନ୍ତି ।
ଦେଶରେ ପ୍ରଥମ ଥର ପାଇଁ ଯେଉଁ ବନ୍ୟ ପକ୍ଷୀ ରଖିବା ଉପରେ ବ୍ୟାନ ଲାଗିଥିଲା ସେହି ପକ୍ଷୀ ହେଉଛି ଶୁଆ । ବିଶେଷ କରି ରିଙ୍ଗ ନ୍ୟାକ୍ ବା ଆଲେକ୍ସାଣ୍ଡ୍ରିଆନ ପାରାକିଟ୍ କୁହାଯାଉଥିବା ଏହି ଶୁଆକୁ ଘରେ ରଖିବା ଉପରେ ଲାଗିଛି ବ୍ୟାନ୍ । ହେଲେ ଏବେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ନିରୀହ ପକ୍ଷୀର ଚୋରା ଚାଲାଣ ଚାଲିଛି । ଏବେ ଆମେ ଯେଉଁ ଭିଡିଓ ଦେଖାଇବୁ ତାହାକୁ ଦେଖି ଆପଣ ମାନେ ମଧ୍ୟ ଚକିତ ହୋଇଯିବେ । କାରଣ ଲୋକଙ୍କ ପାଇଁ ଚୋରା ବେପାରୀମାନେ ଏହି ପକ୍ଷୀମାନଙ୍କୁ ଘରେ ରଖିବା ସହ ଏମାନଙ୍କ ପ୍ରଜନନ ମଧ୍ୟ କରୁଛନ୍ତି । ପରେ ଏଗୁଡିକୁ ୮ ଶହରୁ ୧୫ ଶହ ଟଙ୍କାରେ ବିକ୍ରି କରୁଛନ୍ତି ବୋଲି କହିଛନ୍ତି ପକ୍ଷୀପ୍ରେମୀ କୁଷଲ ।
ଆଜ୍ଞା ହଁ । ଏ ହେଉଛି ସେହି ପକ୍ଷୀ ଯାହାକୁ ବେପାରୀମାନେ ରାସ୍ତା କଡରେ ବିକ୍ରି କରିଚାଲିଛନ୍ତି । ଆଉ ପ୍ରଶାସନ ଆଖି ଥାଇ ବି ଅନ୍ଧ ପାଲଟିଯାଇଛି । ଏ ହେଉଛି ବ୍ୟସ୍ତ ବହୁଳ ଭୁବନେଶ୍ୱର ପୁରୀ ରାସ୍ତା । ଭୁବନେଶ୍ୱରରୁ ମାତ୍ର ୨୦ କିଲୋମିଟର ଦୂର ପିପିଲି ନିକଟର ଦୃଶ୍ୟ । ରାସ୍ତାରେ ଯିବା ଆସିବା ଲୋକଙ୍କୁ ଏହି ବେପାରୀମାନେ ଶୁଆକୁ ବିକ୍ରି କରିଚାଲିଛନ୍ତି । ଆଇନ ଅନୁଯାୟୀ ଏହାକୁ ବିକ୍ରି କରିବା କିମ୍ବା ରଖିବା ଉପରେ ରୋକ ଲାଗିଥିଲେ ମଧ୍ୟ ବେଧଡକ ଭାବେ ରାସ୍ତା ଉପରେ ଚାଲିଛି ଏହାର ବେପାର । ହେଲେ ଆମ ପ୍ରଶାସନ ଆଖି ବନ୍ଦ କରି ରହିଛି । ଏହାକୁ କିଭଳି ରୋକାଯିବ ସେଥିପାଇଁ ଜି ଓଡିଶା ଟିମ୍ ଚାହିଁଥିଲା ଏହାର ରୁଟ୍ ପାଖକୁ ପହଂଚିବା ପାଇଁ । ହେଲେ ଏହାକୁ ଖୋଜି ବାହାର କରିବା ଆମ ପାଇଁ ଏତେ ସହଜ ନ ଥିଲା । ଏଥିପାଇଁ ଆମେ କିଛି ପଶୁପ୍ରେମୀଙ୍କ ସହଯୋଗ ନେଇଥିଲୁ । ଆଉ ଶୁଆ ବିକ୍ରି କରୁଥିବା ବେପାରୀଙ୍କ ଗଡ ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲୁ । ହେଲେ ସେ ଭିତରେ ପଶି ଯାହା ଦେଖିଲୁ ନିଜ ଆଖି ଉପରେ ବଶ୍ୱାସ କରିପାରିଲୁ ନାହିଁ । ଗୋଟାଏ କି ଦୁଇଟି ନୁହଁ ଶହ ଶହ ଶୁଆକୁ ଏମାନେ ଅନ୍ଧାରିଆ ଘର ରଖି ଚାଲିଛି ବେପାର କହିଛନ୍ତି ଅବୈତନିକ ବନ୍ୟ ପ୍ରାଣୀ ସଂରକ୍ଷକ ଶୁଭେନ୍ଦୁ ମଲ୍ଲିକ ।
ମାସ ଦୁଇମାସର ଶୁଆ ଛୁଆ ଠାରୁ ଆରମ୍ଭ କରି ଅଣ୍ଡାରୁ ବାହର କରି ସେମାନଙ୍କୁ କରାଯାଉଛି ବେପାର । ଏଥିରେ ଲାଗିଛନ୍ତି ପୁରା ପରିବାର ଲୋକେ । ସେମାନେ ଏହାକୁ ଏଭଳି ଚୋରାଚାଲାଣ କରୁଛନ୍ତି ଯେ ଅନ୍ୟ କାହା ଉପରେ ସନ୍ଦେହ ହେଲେ ସେମାନଙ୍କୁ ମାରିବାକୁ ମଧ୍ୟ ବେପାରୀମାନେ ପଛ ଘୁଂଚା ଦେବେ ନାହିଁ । ଅଣ୍ଡାରୁ ବାହାରୁଥିବା ଛୁଆଙ୍କ ରୋମ ବାହାରିନଥିବା ବେଳେ ସେ ଗୁଡିକୁ ବେପାରୀମାନେ ରଖି ବଡ କରିଥାନ୍ତି । ଆଉ ପରେ ସେ ଗୁଡିକୁ ଏମାନେ ବିକ୍ରି କରିଥାନ୍ତି । ଏ ପକ୍ଷୀଗୁଡିକୁ ଡିମାଣ୍ଡ ଏତେ ଅଛି ଯେ ଅଫ ଲାଇନ ଛାଡି ଏମାନେ ଏବେ ଅନ ଲାଇନରେ ମଧ୍ୟ ଶୁଆ ବିକ୍ରି କରିବା ଆରମ୍ଭ କରି ଦେଇଛନ୍ତି ।
କେବଳ ପିପିଲି ନୁହଁ ରାଜ୍ୟର ଅନେକ ଜିଲ୍ଲା ଯେଭଳି ଜଗତସିଂହପୁର, କେନ୍ଦ୍ରାପଡା ଓ ଅନ୍ୟାନ୍ୟ ଜିଲ୍ଲାରେ ଚାଲିଛି ଏହାର ଚୋରା ଚାଲାଣ । ହ୍ୱାଟସ୍ ଆପ ଗ୍ରୁପ କରି ଏହି ବେପାରୀମାନେ ସେମନଙ୍କ ଗ୍ରାହକଙ୍କ ସହ ମୂଲଚାଲ କରୁଛନ୍ତି । ଆଉ ପୂର୍ବ ନିର୍ଦ୍ଧାରିତ ଜାଗାରେ ଡେଲିଭରି କରାଯାଉଛି । ଏତେ ହେବା ପରେ ବି ପ୍ରଶାସନିକ ଅଧିକାରୀମାନେ ଚୁପ ହୋଇ ଶୁଆ ବଂଶ ଲୋପ ହେବାକୁ ଅପେକ୍ଷା କରିବସିଛନ୍ତି । ଶୁଆ ବଂଶ ଲୋପ ହେବାଠାରୁ ଏହାକୁ ରୋକିବା ପାଇଁ ସରକାର ନିୟମ କରିଛନ୍ତି ।
ଏ ସବୁ ପକ୍ଷୀମାନଙ୍କୁ ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ସେଡିଉଲ 4 ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏମାନଙ୍କୁ ଘରେ ରଖିବା ତଥା ବିକ୍ରି କଲେ ୬ ବର୍ଷର ଜେଲ ଦଣ୍ଡ ତଥା ୫ ହଜାର ଟଙ୍କା ଯାଏ ଜରିମାନା ରହିଛି । ହେଲେ ସରକାରୀ ଆଇନକୁ ବେଖାତିର କରି ରାସ୍ତା କଡରେ ଚାଲିଛି ଏହାର ଚୋରାଚାଲାଣ । ପୂର୍ବରୁ ବଜ୍ରକାପ୍ତା, କଲରାପତରିଆ ଭଳି ଜନ୍ତୁ ଚୋରାଚାଲାଣ ରୋକିବା ପାଇଁ କାର୍ଯାନୁଷ୍ଠାନ ନିଆଯାଉଥିବା ବେଳେ ଏବେ ଶୁଆ ଭଳି ନିରୀହ ପକ୍ଷୀଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ହାତ ବାନ୍ଧି ବସି ପଡିଛନ୍ତି । ବାରମ୍ବାର ଏ ନେଇ ଅବଭିଯୋଗ କଲେ ମଧ୍ୟ ମାନବ ସମ୍ବଳ ଅଭାବର ଦ୍ୱାହି ଦେଇ ଏମାନେ ନିଜ ଉପରୁ ଦୋଷ ଲଉଟାଇବାକୁ ଚେଷ୍ଟା କରୁଛନ୍ତି । ଜିଲ୍ଲା ବନ୍ୟ ପ୍ରାଣୀ ଅଧିକ୍ଷକଙ୍କୁ ଏ ନେଇ ଦାୟୀତ୍ୱ ଦିଆଯାଇଛି ବୋଲି କହି ନିଜ ଦୋଷ ଛଡାଇବାକୁ ଚେଷ୍ଟା କରିଛନ୍ତି ପିସିସିଏଫ ହରିଶଙ୍କର ଉପାଧ୍ୟାୟ । ପରିସ୍ଥିତି ଏଭଳି ଆସିଲାଣି ଯେ କିଛି ଦିନ ମଧ୍ୟରେ ଚିଲ ଶାଗୁଣା ଭଳି ଶୁଆ ମଧ୍ୟ ଆଉ ଆକାଶରେ ଉଡିବା ଦେଖିବା ସ୍ୱପ୍ନ ହୋଇଯିବ ।