ବଢୁଛି ମାଟ୍ରିକ ପାସ ହାର; ବଢିବ ଯୁକ୍ତ ଦୁଇ କଲେଜ ସିଟ୍
ରାଜ୍ୟରେ ମାଟ୍ରିକ ପାସ ହାର ବଢିବା ପରେ ଯୁକ୍ତ ଦୁଇ କଲେଜ ସିଟ୍ ବଢାଇବାକୁ ଯୋଜନା ଚାଲିଛି।
ଭୁବନେଶ୍ୱର: ବଢିପାରେ ଯୁକ୍ତ ଦୁଇ ସିଟ୍। ରାଜ୍ୟରେ ଯୁକ୍ତ ସିଟ୍ ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ପାସ୍ କରିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଚଳିତ ୨୦୨୧-୨୨ ଶିକ୍ଷାବର୍ଷରେ ଜୁନିଅର କଲେଜ ସିଟ୍ ବଢ଼ାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ସରକାର। ଯେଉଁ ଜୁନିଅର କଲେଜ ଚାହିଁବେ ସେମାନେ ଆବେଦନ କରିପାରିବେ।
ସିଟ୍ ବୃଦ୍ଧି ପାଇଁ ୭ ଦିନ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସାମ୍ସ ପୋର୍ଟାଲ (SAMS Portal) ଜରିଆରେ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ କୁହାଯାଇଛି। ଆସନ୍ତା ୭ ଦିନ ଭିତରେ ଆବେଦନ କରିବା ପରେ ଉଚ୍ଚସ୍ତରୀୟ କମିଟି ସ୍ଥିତି ଉପରେ ବିଚାର କରି ନିଷ୍ପତ୍ତି ନେବେ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (Odisha Directorate of Secondary Education) ନିର୍ଦ୍ଦେଶକ ଜଣାଇଛନ୍ତି। ଚଳିତ ବର୍ଷ କେବଳ ରେଗୁଲାର ବର୍ଗରେ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଥିବା ବେଳେ ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି।