ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ ସାବଧାନ, ଏଣିକି ଘରକୁ ଯିବ ଚାଲାଣ
ନିୟମ ଉଲ୍ଲଙ୍ଘନ କଲେ ସିଧାସଳଖ ଚାଲାଣ ଯାଇ ପହଞ୍ଚିବ ଘରେ । ଚାଲାଣ ଟଙ୍କା ପଇଠ ନ କଲେ ସେମାନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବ ଟ୍ରାଫିକ ଭାଓଲେସନ ଡିଟେକସନ ସିଷ୍ଟମ ବା DVDS । ପର୍ଯ୍ୟାୟ କ୍ରମେ ରାଜଧାନୀର ବିଭିନ୍ନ ଛକରେ ଏହା ବ୍ୟବହାର କରାଯିବ ।
ସରୋଜ ବେହେରା, ଭୁବନେଶ୍ୱର: ଟ୍ରାଫିକ ଉଲ୍ଲଂଘନକାରୀ ସାବଧାନ । ଏବେ ଆଉ ମିଳିବନି ମୋହଲତ । ନିୟମ ଉଲ୍ଲଙ୍ଘନ କଲେ ଘରେ ପହଞ୍ଚିବ ଚାଲାଣ । ନିୟମ ଭାଙ୍ଗିଥିବା ଦୋଷୀଙ୍କ ପଛରେ ଆଉ ଗୋଡାଇବ ନାହିଁ ପୋଲିସ । ରବିବାରଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ପୁଣି ଲାଗୁ ହେବ ନୂଆ ପରିବହନ ନିୟମ । ତିନି ମାସର କୋହଳ ପରେ ପୁଣି ଥରେ ଏହାକୁ ଲାଗୁ କରାଯାଉଛି । ହେଲେ ପୂର୍ବରୁ ହୋଇଥିବା ତିଛି ଅବହେଳାରୁ ବିଭାଗୀୟ କର୍ତ୍ତୃପକ୍ଷ ଶିକ୍ଷା ନେଇଛନ୍ତି । ଏବେ ନିୟମ ଉଲ୍ଲଙ୍ଘନକାରୀଙ୍କ ପଛରେ ନ ଗୋଡାଇ ସମ୍ପୂର୍ଣ୍ଣ ଚାଲାଣ ଘରକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ସମ୍ପୃକ୍ତ ଚାଲାଣ ପୋଲିସ କିମ୍ବା ପରିବହନ କାର୍ଯ୍ୟାଳୟରେ ପଇଠ ନ କଲେ ଦୋଷୀଙ୍କ ବିରୋଧରେ ନିୟମ ଅନୁଯାୟୀ ନିଆ ହେବ କାର୍ଯ୍ୟାନୁଷ୍ଠାନ ।
ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଏହି ନିୟମକୁ ଜୋରଦାର କରାଯିବ ତାହା ଉପରେ ଫୋକସ ଦିଆଯାଇଛି । ରାଜଧାନୀର ରୁପାଲି ଛକରେ ପ୍ରଥମ ଥର ପାଇଁ ବ୍ୟବହାର ହେବାକୁ ଯାଉଛି ଟ୍ରାଫିକ ଭାଓଲେସନ ଡିଟେକସନ ସିଷ୍ଟମ ବା DVDS । ଏହା ଦ୍ୱାରା ନିୟମ ଉଲ୍ଲଙ୍ଘନକାରୀଙ୍କ ଗାଡି ନମ୍ବରରୁ ଆଡ୍ରେସ ପାଇ ଡାକ ଜରିଆରେ ଚାଲାଣ ଘରକୁ ପଠାଯିବ । ପର୍ଯ୍ୟାୟ କ୍ରମେ ରାଜଧାନୀର ୮ଟି ଭିନ୍ନ ଭିନ୍ନ ଛକରେ ଏହି ବ୍ୟବସ୍ଥାକୁ ଲାଗୁ କରାଯିବ । ଯେଉଁ ଛକରେ DVDS ବ୍ୟବସ୍ଥା ନାହିଁ ସେଠାରେ ସିସିଟିଭି ଜରିଆରେ ଗାଡି ଚାଳକଙ୍କ ଉପରେ ନଜର ରଖାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।
ନୂଆ ନିୟମ ଲାଗୁ ହେବା ପରେ ଦେଶ ସାରା ଏହି ବ୍ୟବସ୍ଥାକୁ ଜୋରଦାର କରାଯାଇଥିଲା । ମଦ୍ୟପ ଗାଡି ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏବେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧରପଗଡ କରି ଗତ ୨୪ ଘଣ୍ଟାରେ ୧୬୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସବୁଠାରୁ ଅଧିକ ୨୭ ଜଣ ମଦୁଆ ଗଞ୍ଜାମ ଜିଲ୍ଲାରୁ ଧରାପଡିଛନ୍ତି । ପୂର୍ବରୁ ନିୟମ ଲାଗୁ ହେବା ପରେ ପୋଲିସ ଓ ଲୋକଙ୍କ ମଧ୍ୟରେ ତିକ୍ତତାକୁ ନଜରରେ ରଖି କୌଣସି ଜାଗାରେ ଜୋରଜବରଦସ୍ତ ଫାଇନ ଆଦାୟ କରିବାକୁ ମନା କରିଛନ୍ତି ସରକାର । ବଳ ପ୍ରୟୋଗ କରି ନିୟମ ମାନିବା ଶିକ୍ଷା ଦେବା ବଦଳରେ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଚାଲାଣ ଯୋଗେ ଫାଇନ ଆଦାୟ କରିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
ଲୋକଙ୍କ ଅସୁବିଧା ଦେଖି ରାଜ୍ୟ ସରକାର ଗାଡି ଲାଇସେନ୍ସ ପାଇଁ ୬ ମାସର କୋହଳ କରିସାରିଛନ୍ତି । ହେଲେ ଲୋକେ ଏବେ ବି ସେତିକି ସତର୍କ ହେଲା ଭଳି ଜଣାପଡୁନାହିଁ । ଡେଡଲାଇନ ଶେଷ ହେବାରୁ ଶେଷ ସପ୍ତାହରେ ଆରଟିଓ କାର୍ଯ୍ୟାଳୟରେ ଲାଗି ରହିଥିଲା ଭିଡ । ହେଲେ ସରକାର ଯେବେ ନିୟମ କୋହଳ ପାଇଁ ଘୋଷଣା କରିଛନ୍ତି ପୁଣି ଆରଟିଓ କାର୍ଯ୍ୟାଳୟ ଫାଙ୍କା ପଡିଛି । ଏଥିରୁ ସ୍ପଷ୍ଟ ବାରି ହେଉଛି ଲୋକେ ନିୟମକୁ ଫାଙ୍କି ଦିନ ଗଡାଇବା ଚଢା ଅନ୍ୟ କିଛି କରୁନାହାନ୍ତି । ଏବେ ଅପେକ୍ଷା ପୁଣି ୩ ମାସ ସରିବାକୁ ସେତେ ବେଳେ ପୁଣି ଆରଟିଓ କାର୍ଯ୍ୟାଳୟ ଆଗରେ ଭିଡ ଜମାଇବେ ନି ତ ଲୋକେ ସେଇଟା ଦେଖିବାକୁ ବାକି ରହିଲା ।