ଭୁବନେଶ୍ୱର: ଓଡିଶାର ୫ ଜିଲ୍ଲାରେ କୋରୋନା ସଂକ୍ରମଣ ହଠାତ ବୃଦ୍ଧି ପାଇବା ନେଇ ରାଜ୍ୟ ସରକାରଙ୍କୁ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ଗତମାସ ଶେଷ ସପ୍ତାହରେ ୫ ଜିଲ୍ଲାରେ ହଠାତ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଚିଠି ଉପରେ ସଫେଇ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ଢେଙ୍କାନାଳ, ସମ୍ବଲପୁରରେ କିଛି ସଂକ୍ରମଣ ବୃଦ୍ଧି ପାଇବା ପରେ କଣ୍ଟେନମେଣ୍ଟ କରାଯାଇଛି। ଏହାପରେ ସଂକ୍ରମଣ ହାରକମିଛି। 


COMMERCIAL BREAK
SCROLL TO CONTINUE READING

କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ରର ଚିଠି ଚାବୁକ୍ ପରେ ରାଜ୍ୟ ସରକାର ରବିବାର ସଫେଇ ଦେଇଛନ୍ତି। କିଛି ଦିନ ହେବ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟ ସରକାରଙ୍କୁ ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ତାଗିଦ କରିଛନ୍ତି। ନିଜ ଚିଠିରେ ସଚିବ ରାଜେଶ ଭୁଷଣ ଦର୍ଶାଇଛନ୍ତି ଯେ, ଗତ ମାସ ୨୬ ତାରିଖ ସୁଦ୍ଧା ରାଜ୍ୟରେ ପ୍ରତି ସପ୍ତାହରେ ୪ ଲକ୍ଷ ଏକ ହଜାରରୁ ଅଧିକ ଟେଷ୍ଟ କରାଯାଉଥିଲା। ହେଲେ ଚଳିତ ମାସରେ ଏହି ସଂଖ୍ୟା କମି ୩ ଲକ୍ଷ ୮୮ ହଜାରରେ ପହଂଚିଛି। 


ରାଜ୍ୟର ୬ ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କେଉଁଝର, ଅନୁଗୁଳ ଓ ବଲାଙ୍ଗୀର ଆଦି ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ ବୃଦ୍ଧି ପାଇଥିଲା। ଗୋଟାଏ ପଟେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିନ୍ତା ପ୍ରକାଶ କରିଛନ୍ତି। ହେଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଏହି ରିପୋର୍ଟକୁ ସେତେ ଖରାପ ସ୍ଥିତି ନୁହଁ ବୋଲି ସ୍ବାସ୍ଥ୍ୟ ନିର୍ଦେଶକ   କହିଛନ୍ତି। 


Also Read: ଦେଶରେ Omicron ଆକ୍ରାନ୍ତ ସଂଖ୍ୟା ୫କୁ ବୃଦ୍ଧି, ଜାଣନ୍ତୁ ସମସ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ


 


ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ବିଜୟ ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ସେଭଳି କୌଣସି ଜିଲ୍ଲାରେ ହଠାତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ। ଜାତୀୟ ସ୍ତରଠାରୁ ଓଡିଶା ଭଲ ସ୍ଥିତିରେ ରହିଛି। ଓମିକ୍ରୋନ ନେଇ WHO କିମ୍ବା ଆନ୍ତର୍ଜାତିକ ସ୍ତରରେ ସେଭଳି କୌଣସି ଗୁରୁତର ହେବା ସୂଚନା ମିଳିନାହିଁ। ଯେଉଁମାନେ ସଂକ୍ରମିତ ଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ କଡା ନଜର ରଖାଯାଇଛି। ହେଲେ ଅନେକ ଯାତ୍ରୀ ଭୟରେ ସେମାନଙ୍କ ପରିଚୟ ଗୋପନ ରଖି ଲୁଚିବା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି।  


ରାଜ୍ଯରେ ପ୍ରତିଦିନ ୫୯ ହଜାର ଟେଷ୍ଟ କରାଯାଉଛି। ଓଡିଶାରେ ପଜିଟିଭ ହାର .୪% ଥିବା ବେଳେ ଭାରତରେ ରହିଛି ୧.୧%। ରାଜ୍ଯରେ ଟେଷ୍ଟିଂ ହାର ଏକ ଲଷରେ ୪ ହଜାର ଥିବା ବେଳେ ଜାତୀୟ ସ୍ତରରେ ଏହା ୨୬୮୫ ରହିଛି। ଫାଟାଲିଟି ରେଟ ରାଜ୍ଯରେ .୮% ରହିଥିବା ବେଳେ ଜାତୀୟ ସ୍ତରରେ ୧.୩% ରହିଛି। ଆମ ରାଜ୍ଯ ଜାତୀୟ ସ୍ତରରୁ ଭଲ ସ୍ଥିତିରେ ରହିଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।


ଗୋଟାଏ ପଟେ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ନେଇ ଚିନ୍ତା ଜୋରଧରିଥିବା ବେଳେ ବିଦେଶରୁ ଓମିକ୍ରୋନ ରୋଗୀ ଭାରତ ଆସିବା ପୁଣି ଚିନ୍ତା ବଢାଇବା ଆରମ୍ଭ କରିଛି। ଯଦିଓ ଓଡିଶାରେ ସେଭଳି କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି ହେଲେ ମଧ୍ୟ ଯେଉଁମାନେ ବାହାର ଦେଶରୁ ରାଜ୍ୟକୁ ଆସିଛନ୍ତି ସେମାନଙ୍କ ଟେଷ୍ଟିଂ କରିବା ସହ ସେମାନଙ୍କ ନମୁନାକୁ ଜେନମ ସିକ୍ୟୁଆନ୍ସିଂ ପାଇଁ ପଠାଇବାକୁ ଚେଷ୍ଟା କରାଯାଉଛି। ଓମିକ୍ରୋନକୁ ନେଇ WHO କିମ୍ବା ଆନ୍ତର୍ଜାତିକ ସ୍ତରରେ ସେଭଳି କୌଣସି ଫାଟାଲିଟି ହେବାର ସୂଚନା ମିଳିନାହିଁ।


Also Read: ଦେଶରେ Omicron ଆତଙ୍କ; ଦାନା ବାନ୍ଧିଲା ତୃତୀୟ ଲହର, ଓଡ଼ିଶାକୁ ବି ବିପଦ


ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଏବେ ବି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି। ନୋଟିଫାଏଡ ଦେଶରୁ କିଛି ଲୋକ ଆସିଛନ୍ତି ସେମାନଙ୍କ ବିଶ୍ଲେଷଣ ଚାଲିଛି। ବିଦେଶରୁ ରାଜ୍ୟକୁ କେତେ ଲୋକ ଆସୁଛନ୍ତି, ପ୍ରତିଦିନ କେନ୍ଦ୍ର ସରକାରଙ୍କ ଠାରୁ ତଥ୍ୟ ଅଣାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି। ଯେଉଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଅଛି, ତାହା ରୋଗ ଅଧିକ କରୁଥିବା, ଗୁରୁତର ହେବା କିମ୍ବା ମୃତ୍ୟୁ ହେଉଥିବା ନେଇ କୌଣସି ତଥ୍ୟ ନାହିଁ। WHO ବି କହୁଛି, ମୃତ୍ୟୁ ବା ଗୁରୁତର ହାର ବହୁତ କମ। ଟିକା କାମ କରୁଛି ନା ନାହିଁ, ସେନେଇ ବି ତଥ୍ୟ ନାହିଁ। ଟିକା ନିର୍ମାତା ମଧ୍ୟ କହୁଛନ୍ତି, ଓମିକ୍ରୋନ ଉପରେ ଟିକା କାମ କରୁଛି। ତେଣୁ ଆତଙ୍କିତ ନ ହୋଇ ଟିକାକରଣ ଜାରି ରଖିବା ଓ କୋଭିଡ ଅନୁରୂପ ନିୟମ ମାନିବା।


ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୫ ଶହରୁ ଅଧିକ ଯାତ୍ରୀ ବିଭିନ୍ନ ଜିଲ୍ଲାକୁ ଆସିସାରିଛନ୍ତି। ହେଲେ ଅନେକ ଜିଲ୍ଲାରେ ବିଦେଶ ଫେରନ୍ତା ଲୋକେ ନିଜ ପରିଚୟ ଗୁପ୍ତ ରଖିବା ସହ ପ୍ରଶାସନକୁ ସହଯୋଗ କରୁନଥିବା ଅଭିଯୋଗ ମଧ୍ୟ ଆସିଛି। ଏଭଳି ସ୍ଥିତିରେ ସେମାନଙ୍କୁ ଚିହ୍ନଟ କରି ଜିଲ୍ଲା ସ୍ତରରେ ପରିଚୟ ଦେବାକୁ ସାଧାରଣ ଜନତାଙ୍କୁ ସ୍ବାସ୍ଥ୍ୟ ବିଭାଗ ନିବେଦନ କରିଛି। ଅନ୍ୟପଟେ ଦିଲ୍ଲୀରେ ପ୍ରଥମ ଓମିକ୍ରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ଦେଶରେ ଓମିକ୍ରୋନ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।