ଭୁବନେଶ୍ୱର: ଆସନ୍ତାମାସ ଅର୍ଥାତ ଡିସେମ୍ବରରେ ଅବସର ନେବେ ରାଜ୍ୟ ପୋଲିସ ମୁଖିଆ। ଓଡିଶା ପୋଲିସରେ ଡିସେମ୍ବର ୩୧ ତାରିଖ DGP ଅଭୟଙ୍କ ଶେଷ ଦିନ ହେବ। ଏହି ଦିନ ସେ ଅବସର ନେଇ ପରିବେ ବୋଲି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଅବସର ନେବାକୁ ବାଧ୍ୟ ହେବେ ବୋଲି ଚର୍ଚ୍ଚା ଚାଲିଛି। 


COMMERCIAL BREAK
SCROLL TO CONTINUE READING

୧୯୮୬ ବ୍ୟାଚର IPS ଅଫିସର ଅଭୟ ୨୦୧୯ ଡିସେମ୍ବର ୯ ତାରିଖରେ ଓଡିଶା ପୋଲିସର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ସେ ଚଳିତ ବର୍ଷ ଜୁନ ୩୦ରେ ଅବସର ନେଇଥାନ୍ତେ। କିନ୍ତୁ ରାଜ୍ୟ ସରକାର ତାଙ୍କର ଅବସର ବୟସ ସମୟ ସୀମାକୁ ଆହୁରି ୬ ମାସ ବୃଦ୍ଧି କରିଥିଲେ। ଏହି ନିଷ୍ପତି ଅନୁସାରେ ଡିଜିପି ଅଭୟ ଏହି ଡିସେମ୍ବର ୩୧ରେ ଅବସର ନେବେ। ଏହାକୁ ରାଜ୍ୟ ସରକାର ଅନୁମତି ମଧ୍ୟ ଦେଇଛନ୍ତି। କିନ୍ତୁ ଅଭୟଙ୍କ କାର୍ଯ୍ୟକାଳ ଏପରି ବୃଦ୍ଧି କରିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବିରୁଦ୍ଧାଚରଣ ବୋଲି ବିବେଚନା କରାଯାଉଛି।


Also Read: ଅବସର ନେବେ ଡିଜିପି ଅଭୟ...


ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ, ଜଣେ ବ୍ୟକ୍ତି ଆଇବି, ସିବିଆଇ ନିର୍ଦ୍ଦେଶକ ଓ ପୋଲିସ ଡିଜି ଭଳି ପଦବୀରେ ସର୍ବନିମ୍ନ ୨ ବର୍ଷ ପାଇଁ ନିଯୁକ୍ତ ହେବେ। ତେବେ ଦାୟିତ୍ୱ ନେବା ସମୟରେ ଅଧିକାରୀଙ୍କ ଅବସର ନେବା ସମୟ ଅନ୍ୟୁନ୍ନ ୬ ମାସ ରହିବା ଆବଶ୍ୟକ। ତେବେ ସେ ଯେଉଁ ଦିନ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନ ଠାରୁ କାର୍ଯ୍ୟକାଳକୁ ୨ ବର୍ଷ ହିସାବ କରାଯିବ। ଏହି ନିୟମ ଆଧାରରେ DGP ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୮ରେ ଶେଷ ହେଉଛି। ଯଦି ସେ ଡିସେମ୍ବର ୩୧ରେ ଅବସର ନିଅନ୍ତି ତେବେ ତାଙ୍କର କାର୍ଯ୍ୟ ଅବଧି ୨୩ ଦିନ ଦେବ। ତେବେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଉପରେ ସମୀକ୍ଷା ପୁନଃ ସମୀକ୍ଷା ହୋଇପାରେ।


ସୂଚନାଯୋଗ୍ୟ, ଡିଜିପି ଅଭୟ ୧୯୮୬ ବ୍ୟାଚ, ଓଡିଶା କ୍ୟାଡରର IPS ଅଫିସର। ସେ ଓଡିଶାର ପଲିସ ମୁଖିଆ ହେବା ପୂର୍ବରୁ Sardar Vallabhbhai Patel National Police Academyର ମୁଖ୍ୟ ଥିଲେ। ଡିଜିପି ଅଭୟ, NCB, CBI, CRPF, BPR&D ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କୁ ଭାରତୀୟ ପୋଲିସ ପଦକ ଓ ରାଷ୍ଟ୍ରପତି ପଦକ ମିଳିଛି। ବୟସ ଅନୁସାରେ ଅଭୟ ୩୦ ଜୁନ ୨୦୨୧ରେ ଅବସର ନେଇଥାନ୍ତେ।