ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ନୂଆ ରୂପ ପାଇବ ରାଜ୍ୟର ଏକମାତ୍ର ସରକାରୀ ଷ୍ଟୁଡିଓ । କଳିଙ୍ଗ ଷ୍ଡୁଡିଓକୁ ‌'ଷ୍ଟେଟ୍‌ ଅଫ୍‌ ଦି ଆର୍ଟ' ସିନେମା ଷ୍ଟୁଡିଓ ଭାବେ ବିକଶିତ କରାଯିବ । ଆଧୁନିକ ସିନେମା ଷ୍ଟୁଡିଓର ସମସ୍ତ ସୁବିଧା ଏଠାରେ ଉପଲବ୍ଧ ରହିବ । ଏହାସହ ପର୍ଯ୍ୟଟନ ଓ ସାମାଜିକ କେନ୍ଦ୍ର ଭାବେ ଏକ ଆକର୍ଷଣର କେନ୍ଦ୍ର ପାଲଟିବ । କଳିଙ୍ଗ ଷ୍ଟୁଡିଓର ଏହି ନବ କଳେବରରେ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପୁନର୍ବିନ୍ୟାସ ଯୋଜନାକୁ ଅନୁମୋଦନ ଦିଆଯିବା ପରେ ଏପରି ଆଶା ସଂଚାର ହୋଇଛି ।


COMMERCIAL BREAK
SCROLL TO CONTINUE READING

ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ମାଡରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା କଳିଙ୍ଗ ଷ୍ଟୁଡ଼ିଓ (Kalinga Studio) କୁ ଭିନ୍ନ ଓ ଅତ୍ୟାଧୁନିକ ସୁବିଧା ଦେବାକୁ ଆରମ୍ଭ ହୋଇଯାଇଛି ପ୍ରୟାସ । ଏବେ କେବଳ ଶୁଟିଂ ହେବ ତା ନୁହେଁ ବରଂ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳା ହେବ । ସିନେମା ଶିଳ୍ପ କ୍ଷେତ୍ରରେ କଳିଙ୍ଗ ଷ୍ଟୁଡ଼ିଓର ଅବଦାନ ଓ ଭବିଷ୍ୟତ ଅଭିବୃଦ୍ଧିକୁ ବିଚାର କରି ପ୍ରଶାସନିକ ସ୍ତରରେ ଏଭଳି ନିଷ୍ପତ୍ତି ହୋଇଛି । ଯେଉଁଥି ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୬ ଏକର ଜାଗାରେ ନିର୍ମିତ ଏହି ଷ୍ଟୁଡ଼ିଓରେ ବର୍ତ୍ତମାନ ଇନଡୋର ଶୁଟିଂ ସ୍ଥାନ, ଖୋଲା ଉଦ୍ୟାନ, ମନ୍ଦିର, କୁଡ଼ିଆ ଓ ରେକର୍ଡିଂ ପରୀକ୍ଷାଗାର ରହିଛି । ଯାହା ବର୍ତ୍ତମାନ ମାସକୁ ଲକ୍ଷାଧିକ ଟଙ୍କାର ରାଜସ୍ୱ (Revenue) ଆଦାୟ କରୁଛି । ଏବେ ନବୀକରଣ ହେଲେ ନୂଆ ନିଯୁକ୍ତି ସୃଷ୍ଟି କରିବା ସହ ଓଡ଼ିଆ ସିନେମା ଶିଳ୍ପର ଉନ୍ନତି ହେବ ବୋଲି ଲକ୍ଷ୍ୟ ରହିଥିବା ଓଡିଶା ଚଳଚ୍ଚିତ୍ର (Odisha Cinema) ବିକାଶ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି ।



Also Read: ବମ୍ପର ଅଫର: ଏହିଠାରେ ଏକଟଙ୍କାରେ ମିଳୁଛି ପେଟ୍ରୋଲ


ନୂତନ ଯୋଜନା ମୁତାବକ ନୂଆ ଷ୍ଟୁଡିଓ କୁ ମୁଖ୍ୟତଃ ୩ ଟି ଜୋନରେ ବିଭକ୍ତ କରାଯାଇଛି ଯାହା ଇଡ଼କୋ (Idco) ମାଧ୍ୟମରେ ବିକଶିତ ହେବ । ଜୋନ ୧ ରେ ଇନଡୋର ଷ୍ଟୁଡିଓ ଫ୍ଲୋର, ଶୁଟିଂ ମୁଖଶାଳା, ଫିଲ୍ମ ଟେକ ଜୋନ୍, ବ୍ୟବସାୟିକ ସ୍ଥାନ ଓ କ୍ୟାଫେଟେରିଆ ରହିବ । ସେହିଭଳି ଜୋନ୍ ୨ ରେ ଆଉଡୋର ଶୁଟିଂ ସୁବିଧା, ବିଷୟ ଭିତ୍ତିକ ଶୁଟିଂ ସ୍ଥାନ, କିଡ୍ସ ଜୋନ, ଦୁର୍ଗ ଦୃଶ୍ୟ, ସ୍ନୋ ୱାର୍ଲଡ଼, ଆଡ଼ଭେଞ୍ଚର ଲ୍ୟାଣ୍ଡ ଆଦି ରହିବ । ଏହାସହ ଜୋନ ୩ ରେ ଫୁଡ଼ କୋର୍ଟ, କର୍ମକର୍ତାଙ୍କ ପାଇଁ ରହିବା ବ୍ୟବସ୍ଥା ସହ ସାମାଜିକ କାମ ବା ବିବାହ ବ୍ରତ ପାଇଁ ସ୍ଥାନ ରହିବ । ତେବେ ଏହାକୁ ସିନେପ୍ରେମୀ (Cinema Lover) ଓ ସମୀକ୍ଷକ ସ୍ବାଗତ କରିଥିବା ବେଳେ ଏହି ଗୋଟିଏ ଷ୍ଟୁଡିଓ ସମେତ ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ପ୍ରେକ୍ଷାଳୟର ରକ୍ଷଣାବେକ୍ଷଣା ତଥା ସ୍ଥାୟିତ୍ବ ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି ସିନେ ସମୀକ୍ଷକ ଦିଲ୍ଲୀପ ହାଲି ।


Also Read: ରାଜ୍ୟ ସରକାରଙ୍କ ୨୦୦ କୋଟିର ସମଲେଇ ଯୋଜନା ଘୋଷଣା


ଏଥିରେ କଟକସ୍ଥିତ ବିଜୁ ପଟ୍ଟନାୟକ ସିନେମା (Biju Patnaik Cinema) ଓ ଦୂରଦର୍ଶନ (Doordarshan) ପ୍ରତିଷ୍ଠାନରୁ ଶିକ୍ଷାଲାଭ କରୁଥିବା ଓଡ଼ିଆ ଯୁବକ, ଯୁବତୀମାନେ ଏହି କୁଶଳୀ ମାନବ ସମ୍ବଳ ଆଧୁନିକ ସିନେମା ଷ୍ଟୁଡିଓ ବିକାଶରେ ବିଶେଷ ସହାୟକ ହେବେ ବୋଲି କୁହାଯାଇଛି । ଆସନ୍ତା ୨୦୨୨ ଶେଷ ସୁଦ୍ଧା ଏହି ଯୋଜନା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଇଡ଼କୋ ମାଧ୍ୟମରେ କାମ ହେବାକୁ ଥିବାବେଳେ ଖୁବ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ।


Edited: Zee Odisha Desk