Odisha Weather Update, ଭୁବନେଶ୍ୱର: ପାର୍ବଣରେ ଦାଉ ସାଧୁଛି ପ୍ରକୃତି! ମହାମାରୀ କୋରୋନା ପ୍ରକପ ପାଇଁ ଗତ ଦୁଇ ବର୍ଷର ପାର୍ବଣ ଋତୁ ଫିକା ପଡିଛି। ଏଥର କୋରୋନା ନାହଁ, ତଥାପି ରାଜ୍ୟବାସୀ ଦଶହରା ମାଜାରୁ ବଞ୍ଚିତ ହୋଇପାରନ୍ତି। କାରଣ ଏହି ଦଶହରାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସାଧାରଣତଃ ଅକ୍ଟୋବରରେ ଏକାଧିକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ବ୍ୟତୀତ ୧୯୯୯ର ମହାବାତ୍ୟା ଏହି ଅକ୍ଟୋବର ମାସରେ ଆସିଥିଲା। ତେଣୁ ଅକ୍ଟୋବର ଆସିବା ମାତ୍ରେ ସେହି ପୁରୁଣା ଦୃଶ୍ୟକୁ ମନେପଡେ ଓ ରାଜ୍ୟବାସୀଙ୍କ ଛାତିରେ ଛନକା ପଶିଯାଏ।


COMMERCIAL BREAK
SCROLL TO CONTINUE READING

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ପୁଣି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଣିପାଗ ଅନୁକୂଳ ରହିଛି। ଆଗାମୀ ୩ରୁ ୪ ଦିନ ମଧ୍ୟରେ ଦେଶର ଉତ୍ତର-ପଶ୍ଚିମ ଭାଗର ଅନେକ ଅଂଶ ଏବଂ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ଅଞ୍ଚଳର କିଛି ଭାଗରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହା ବ୍ୟତୀତ ୧ ଅକ୍ଟୋବରରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ସମ୍ଭାବନା ଅଛି। ଆଗାମୀ ୪  ଦିନ ରାଜ୍ୟରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି।


Also Read: Odisha Weather Update: ଆଶ୍ୱିନରେ ଶ୍ରାବଣ ଝଡ଼! ଅଧା ଓଡ଼ିଶାକୁ ଘାରିଲା ବର୍ଷା ଓ ବଜ୍ରପାତ ଡ଼ର


ସେପ୍ଟେମ୍ବର ୨୮ ଏବଂ ୨୯ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ମଙ୍ଗଳବାର ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାକୁ ବାଦ ଦେଲେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି। ଏହି ୧୯ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବୁଧବାର ମଧ୍ୟ ପଶ୍ଚିମ ଓଡିଶାରେ ଶୁଖିଲା ପାଗ ରହିବ। କିନ୍ତୁ କୋରୋପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଗୁରୁବାର କୋରାପୁଟ, ରାୟଗଡା ଓ ଗଜପତିରେ ବିକ୍ଷିପ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


 



ଅକ୍ଟୋବରରେ ପୁଣିଥରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦୁଇ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ବାଂଲାଦେଶ ଓ ପଶ୍ଚିମବଙ୍ଗ ସଂଲଗ୍ନରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ୩ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରହିବାର ସମ୍ଭାବନା ରହିଛି। ଅକ୍ଟୋବର ୨ରୁ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ।  ଅକ୍ଟୋବର ୩ରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି ଅକ୍ଟୋବର ୪ ଏବଂ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପ୍ରାକ୍‌ ଆକଳନ କରିଛି।