Odisha Weather Update, ଭୁବନେଶ୍ୱର: ରବିବାର ଠାରୁ ରାଜ୍ୟରେ ପ୍ରବଳ ବର୍ଷିବା ସମ୍ଭାବନା ଅଛି। ବିଶେଷ କରି ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁୟାୟୀ, ରବିବାର ଓ ସୋମବାର ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଆସନ୍ତା ୧୭ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


COMMERCIAL BREAK
SCROLL TO CONTINUE READING

ଦକ୍ଷିଣ ବଙ୍ଗୋପସାଗର ମଧ୍ୟ ଭାଗରେ ଅବସ୍ଥିତ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋମବାର ଅର୍ଥାତ୍ ୧୦ ତାରିଖ ଯାଏ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 


Also Read: Killer Lollypop: ନାବଳକର ଜୀବନ ନେଲା ଲଲିପପ୍! ପରିବାର ଆଣିଲେ ଏମିତି ଅଭିଯୋଗ


ସେହିପରି ଅକ୍ଟୋବର ୧୧ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ବଜ୍ରପାତ ଓ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାୟାଇଛି। ୧୧ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବାରେ ବିଳମ୍ବ ହେଉଥିବାରୁ ଚଳିତ ଥର ଶୀତ ବିଳମ୍ବରେ ଆସିବ ବୋଲି ସୂଚନା ରହିଛି।


ଅନ୍ୟପଟେ ଦଶହର ପରି ଦୀପାବଳି ମଜା ମଧ୍ୟ ବର୍ଷାରେ ଧୋଇ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୧୭ ତାରିଖରେ ବଙ୍ଗୋପସାଗରରେ ଚତୁର୍ଥ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଦକ୍ଷିଣ ଥାଇଲାଣ୍ଡ ଉପକୂଳ ଓ ସଂଲନ୍ନ ଆଣ୍ଡାମାନ ସାଗରରେ ଏହି ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ପୂର୍ବ ଘୁର୍ଣ୍ଣିବଳୟ ଅପେକ୍ଷା ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ଅଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଘୁର୍ଣ୍ଣିବଳୟ ସମ୍ପୂର୍ଣ୍ଣ ଚିତ୍ର ଓ ଗତିପଥ ସ୍ପଷ୍ଟ ହୋଇନାହିଁ।