ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜଧାନୀରେ ମୋ ବସ୍ ସେବା ଠପ୍ । ଘଣ୍ଟା ଘଣ୍ଟା ଧରି ବନ୍ଦ ରହିଲା ସେବା । ଘରୋଇ ବସ କର୍ମଚାରୀ ଓ ମୋ ବସ କର୍ମଚାରୀଙ୍କ ମଧ୍ୟରେ ହାତାହାତି ଫଳରେ ସହରରେ ବସ୍ ସେବା ବ୍ୟାହତ ହୋଇଛି । ତେବେ ପରେ କର୍ତ୍ତୃପକ୍ଷଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ମାମଲା ଥଣ୍ଡା ପଡିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଗୁରୁବାର ସକାଳେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଡିପୋରେ ଥିବା ମୋ ବସ କର୍ମଚାରୀ ଓ ଘରୋଇ ବସ କର୍ମଚାରୀଙ୍କ ମଧ୍ୟରେ ମତଭେଦକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଡିପୋରେ କ୍ରୁଟ ପକ୍ଷରୁ ପରିଚାଳିତ ମୋ ବସର କର୍ମଚାରୀ କ୍ୟାପଟେନ ଓ ଗାଇଡମାନେ ଆନ୍ଦୋଳନ କରିବା ସହ ଗାଡି ଚଳାଇ ନ ଥିଲେ । ସେମାନଙ୍କ ଅଭିଯୋଗ ଥିଲା ଯେ ସେଠାରେ ଦୀର୍ଘ ଦିନ ହେବ ଘରୋଇ ବସ କର୍ମଚାରୀମାନେ ଯାତ୍ରୀଙ୍କ ଯାତାୟତକୁ ନେଇ ନାଲିଆଖି ଓ ଗୁଣ୍ଡାଗର୍ଦ୍ଦି କରିଆସୁଛନ୍ତି । ଏତେଦିନ ଧରି ଜୁଲମ ପରେ କ୍ରୁଟ କର୍ତ୍ତୃପକ୍ଷଙ୍କୁ କହିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । 


ତେବେ ଗୁରୁବାର ହଠାତ ସାମାନ୍ୟ ବଚସାରୁ ଘରୋଇ ବସ କର୍ମଚାରୀ, ମୋ ବସ କର୍ମଚାରୀଙ୍କ ଉପରକୁ ହାତ ଉଠାଇବା ସହ ପୋଲିସ ଉପସ୍ଥିତିରେ ମାରପିଟ୍ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ହଙ୍ଗାମା ହେବା ସହ ସକାଳ ପହରୁ ଦିନ ତମାମ ଘଣ୍ଟା ଘଣ୍ଟା ଧରି ବସ ସେବା ବନ୍ଦ ରହିଥିଲା । ପୋଲିସ ଓ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାରମ୍ବାର ବୁଝାସୁଝା ପରେ କଲେ ବି ଏହାର ସ୍ଥାୟୀ ସମାଧାନ ଦାବି ନେଇ କ୍ୟାପଟେନ ଓ ଗାଇଡମାନେ ଜିଦରେ ଅଟଳ ଥିଲେ । ଡିପୋରୁ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ମାତ୍ରାଧିକ ବସ ଦୀର୍ଘ ସମୟ ଧରି ବନ୍ଦ ରହିବା ଫଳରେ ଯାତ୍ରୀମାନେ ମଧ୍ୟ ନାହିଁ ନ ଥିବା ହଇରାଣ ହୋଇଥିଲେ ।


ଶେଷରେ କ୍ରୁଟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ବାରମ୍ବାର ହସ୍ତକ୍ଷେପ ପରେ ଆଗାମୀ ଦିନରେ ଏପରି ଘଟଣାର କିପରି ପୁନରାବୃତ୍ତି ନ ହେବ, ସେନେଇ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏପରିକି ପୁନର୍ବାର ଏପରି ଘଟଣା ଘଟିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ପରେ ସଂଧ୍ୟାରେ ଜିଦରୁ ଓହରିଥିଲେ କର୍ମଚାରୀ । ଆଜିଠୁ ସ୍ୱାଭାବିକ ଭାବେ ବସ୍ ଚଳାଚଳ କରିବ ବୋଲି କର୍ମଚାରୀମାନେ କହିଛନ୍ତି ।


ଆହୁରି ପଢନ୍ତୁ; ଅଭୁଲା-19: ଏହି ତୁଙ୍ଗ ନେତାଙ୍କୁ ହରାଇଛି ଦେଶ