ମନ୍ତ୍ରୀଙ୍କ ଘରକୁ ଟମାଟ ମାଡ; ଜାଲ ସାର୍ଟିଫିକେଟ ମାମଲାର ଗିରଫଦାରୀ କେବେ?
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘର ଉପରକୁ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଓ ଫେକ ସାର୍ଟିଫିକେଟ ଯୋଗେ ଆଡ଼ମିଶନ ପ୍ରସଙ୍ଗରେ ଶନିବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ।
ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘର ଉପରକୁ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଓ ଫେକ ସାର୍ଟିଫିକେଟ ଯୋଗେ ଆଡ଼ମିଶନ ପ୍ରସଙ୍ଗରେ ଶନିବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ। ସେଲ୍ଫ ଫାଇନାନ୍ସିଂ କୋର୍ସ ରେ ଛାତ୍ରଛାତ୍ରୀ ଙ୍କ ସଂଖ୍ୟା, ବିଶ୍ବ ବିଦ୍ୟାଳୟର ସମୁଦାୟ ବିଦ୍ୟାର୍ଥୀଙ୍କ ୨୦% ରେ ସୀମିତ ରହିବ। ଛାତ୍ର କଂଗ୍ରେସ ର ଯୁକ୍ତି, ସରକାରୀ ବିଶ୍ବବିଦ୍ୟାଳୟରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ଲଗାଇବା ଦ୍ୱାରା ଗରିବ ମେଧାବୀ ଛାତ୍ର ଛାତ୍ରୀ ପ୍ରଫେସନାଲ କୋର୍ସରୁ ବାଦ ପଡିବେ। ଏହାଦ୍ୱାରା ଘରୋଇ ଶିକ୍ଷାଅନୁଷ୍ଠାନ ଗୁଡିକ ସେହି କୋର୍ସ ଲାଗି ଅଧିକ କୋର୍ସ ଫି ନେଇ ଲାଭବାନ ହେବେ। ଛାତ୍ର କଂଗ୍ରେସ ଅଭିଯୋଗ କରିଛି ଯେ, ଘରୋଇ ଶିକ୍ଷାଅନୁଷ୍ଠାନ ସହ ସରକାରଙ୍କ ମଧୁଚନ୍ଦ୍ରିକାର ଏହା ହେଉଛି ପ୍ରତିଫଳନ।
ଏବେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଖୋଲୁଛି ଜାଲ୍ ସାର୍ଟିଫିକେଟରେ କଲେଜ ଆଡମିଶନ ପେଡି। ବିଗତ ୩ ବର୍ଷର ତଥ୍ୟ ଯାଞ୍ଚ କରିବା ପରେ ରାଜ୍ୟର ଏକ ନମ୍ବର ବିଜେବି ମହାବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ୍ ଦେଇ ନାମଲେଖାଇଥିବା କର୍ତ୍ତୁପକ୍ଷ ଜାଣିବାକୁ ପାଇଛନ୍ତି। ଏନେଇ କଲେଜ କର୍ତ୍ତୃପକ୍ଷ ଭୁବନେଶ୍ୱର ବଡଗଡ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଭଦ୍ରକରୁ ଭୁବନେଶ୍ୱର ଯାଏଁ ଚେର ଜାଲ ପ୍ରମାଣପତ୍ର ଜରିଆରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ସିଟକୁ ହାତାଉଛନ୍ତି ସାଧାରଣ ବର୍ଗର ପିଲା। ତେବେ ଭଦ୍ରକରୁ ୨୮ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ପରେ ଏବେ ବିଜେବି କଲେଜରୁ ଚିହ୍ନଟ ହୋଇଛନ୍ତି ୮ଜଣ ଛାତ୍ରଛାତ୍ରୀ।
ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଭିନ୍ନକ୍ଷମଙ୍କ ପାଇଁ ଶତକଡା ୩ ପ୍ରତିଶତ ସିଟ ସଂରକ୍ଷିତ ରହିବା ବ୍ୟବସ୍ଥା ରହିଛି, ଫଳରେ ସାଧାରଣ ବର୍ଗଙ୍କ ଭଳି ଦିବ୍ୟାଙ୍ଗ ମଧ୍ୟ ସଂରକ୍ଷଣ ବ୍ୟବସ୍ଥାରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇପାରିବେ। ହେଲେ ଏହି ସିଟ୍ ଗୁଡ଼ିକ ବେଆଇନ ଭାବେ ହାତେଇବାରେ ସକ୍ଷମ ହୋଇଛନ୍ତି କିଛି ସକ୍ଷମ ଛାତ୍ରଛାତ୍ରୀ। ବିଗତ ୩ ବର୍ଷର ଭିନ୍ନକ୍ଷମ ସାର୍ଟିଫିକେଟ ଯାଞ୍ଚ ବେଳେ ବିଜେବି କଲେଜରୁ ୮ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ପଢୁଥିବା ଜଣାପଡିଛି। ସେଥିରୁ ୫ଜଣ ଛାତ୍ରୀ ଓ ୩ଜଣ ଛାତ୍ର ଥିବା ବେଳେ ୪ଜଣ କଟକ ଓ ଅନ୍ୟ ୪ଜଣ ଭଦ୍ରକ ସିଡିଏମ୍ଓଙ୍କ କାର୍ଯ୍ୟାଳୟରୁ ସାର୍ଟିଫିକେଟ ଦାଖଲ କରିଥିବା ଜଣାପଡିଛି। ଏନେଇ କଲେଜ ଅଧ୍ୟକ୍ଷ ବଡଗଡ ଥାନାରେ ଏତଲା ଦେଇଛନ୍ତି।
ଏହା ଦ୍ୱାରା ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଭିନ୍ନକ୍ଷମ। ଏନେଇ ରାଜ୍ୟରେ ସକ୍ରିୟ ଥିବା ରାକେଟର ପର୍ଦ୍ଦାଫାସ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି। ଘଟଣା ପରେ ପୋଲିସ ପକ୍ଷରୁ କଲେଜରୁ ସମସ୍ତ କାଗଜପତ୍ର ଓ ଜାଲ ସାର୍ଟିଫିକେଟକୁ ଜବତ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଯାହାର ସମ୍ପୃକ୍ତି ଆସିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି। କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ନୁହେଁ ବରଂ ଜାଲ ପ୍ରମାଣପତ୍ର ଜରିଆରେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ପ୍ରକୃତ ଭିନ୍ନକ୍ଷମ ବଞ୍ଚିତ ହେଉଥିବା ଅଭିଯୋଗ ଆଣିଛି ରାଜ୍ୟ ଭିନ୍ନକ୍ଷମ ସଂଘ।
ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ଆଇନ ଅନୁଯାୟୀ ଦଣ୍ଡିତ ହେବା ସହ ବିଭାଗୀୟ ତର୍ଜମା କରି ପଦକ୍ଷେପ ନେବେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ସେପଟେ ଏବେ ମଧ୍ୟ ବିଜେବି କଲେଜ କୁ ୮ ଜିଲ୍ଲାରୁ ମଗାଯାଇଥିବା ଯାଞ୍ଚ ରିପୋର୍ଟ ମିଳିନଥିବା କହିଛନ୍ତି ଅଧ୍ୟକ୍ଷ। ତେଣୁ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି। ଅପରପକ୍ଷେ ଏହି ପ୍ରଥାକୁ ସମୂଳେ ନାଶ କରିବା ଦାବିରେ ପ୍ରତିବାଦ କରିଛି ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ। ଅନ୍ୟପଟେ ଏହି ଘଟଣା ସମ୍ନାକୁ ଆସିବାର ଅନେକ ଦିନ ବିତି ଯାଇଛି। ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି। ହେଲେ ଏଯାବତ କର୍ଯ୍ୟନୁଷ୍ଠାନ ଶୂନ।