ବାଘ ନୁହେଁ, ବିଲେଇ: ଗାଁରେ ଜଙ୍ଗଲୀ ଜନ୍ତୁ ପ୍ରବେଶକୁ ନେଇ ଭୟଭୀତ ଗ୍ରାମବାସୀ
ଗାଁରେ ଜଙ୍ଗଲୀ ଜନ୍ତୁ ପ୍ରବେଶକୁ ନେଇ ଭୟଭୀତ ଗ୍ରାମବାସୀ ।
ସରୋଜ ବେହେରା, ଭୁବନେଶ୍ୱର
ଗାଁରେ ଜଙ୍ଗଲୀ ଜନ୍ତୁ ପ୍ରବେଶ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ଆଉ ଏହାକୁ ଠାବ କରିବାକୁ ନେଇ ଠେଙ୍ଗାବାଡି ଧରି ଜଙ୍ଗଲକୁ ବାହାରି ପଡିଥିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ନିକଟସ୍ଥ ଦେଉଳି ଗାଁରେ ।
ସୋମବାର(ଅଗଷ୍ଟ ୧୭, ୨୦୨୦) ଭୋର ସମୟରେ ଗାଁରେ ବାଘ ପଶିଥିବା ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ଆଉ ଏହି ଜଙ୍ଗଲୀ ଜୀବକୁ ଠାବ କରିବା ନେଇ ଗାଁର କିଛି ଲୋକ ଠେଙ୍ଗା ବାଡି ଧରି ନିକଟସ୍ଥ ଜଙ୍ଗଲ ଅଭିମୁଖେ ବାହାରି ପଡିଥିଲେ । ଦେଉଳି ଗାଁରେ ବାଘର ପ୍ରବେଶକୁ ନେଇ ସୃଷ୍ଟି ହୋଇଥିବା ଆତଙ୍କ ବାବଦରେ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ବନବିଭାଗ ।
ଏଠାରେ ଦେଖିବାକୁ ମିଳିଥିବା ପାଦ ଚିହ୍ନ(pug mark) ବାଘର ନା ଅନ୍ୟ କେଉଁ ଜନ୍ତୁର ତାହାର ଅନୁସନ୍ଧାନ କରିଥିଲା ବନ ବିଭାଗ । ଶେଷରେ ତଦନ୍ତରୁ ଏହା ଜଣା ପଡିଥିଲା ଏହି ପାଦ ଚିହ୍ନ ଜଙ୍ଗଲୀ ଭୂଆଁ ବିଲେଇର, ବାଘର ନୁହେଁ । ଏହି ପାଦ ଚିହ୍ନକୁ ନେଇ ଗ୍ରାମବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଖୋର୍ଦ୍ଧା ଡିଏଫଓ (Khurdha DFO) କହିଛନ୍ତି।