ଚାରୁ ଚନ୍ଦନ ଦାଶ: ଢେଙ୍କାନାଳରେ ପଢ଼ିଲାବେଳେ ଅନେକ ସେମିନାର ହେଉଥିଲା । ଆମକୁ ପଢ଼ାଇଲାବେଳେ ଜ୍ୟୋତି ସାର୍ ଅନେକ କଥା କହୁଥିଲେ । ସାମ୍ୱାଦିକତା କଣ, ସାମ୍ୱାଦିକତା କେମିକି କରାଯାଏ, ରିପୋର୍ଟିଂ କେମିତି କରାଯାଏ, ଖବର କେମିତି ଲେଖିବ ଏମିତି ଅନେକ କିଛି । ଆମେ ବି ଗପ ଭଳି ଶୁଣୁ ଶୁଣୁ ସାମ୍ୱାଦିକତା ବିଷୟରେ ଅନେକ କିଛି ଶୁଣୁଥିଲୁ । ଅନ୍ୟମନସ୍କ ହେଲେ ସାର୍ ଗାଳି ବି କରୁଥିଲେ । ସାର୍ ସେତେବେଳେ ଆମକୁ ଓଡ଼ିଆ ସାମ୍ୱାଦିକତା ଓ ଉତ୍କଳ ଦୀପିକା ବିଷୟରେ କହିଥିଲେ ।


COMMERCIAL BREAK
SCROLL TO CONTINUE READING

ଅଗଷ୍ଟ ୪, ଓଡ଼ିଆ ସାମ୍ୱାଦିକତା ଦିବସ । ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷରେ ଯେତେବେଳେ ଆଉଟୁପାଉଟୁ ହୋଇ ସାରା ଓଡ଼ିଶା କଙ୍କାଳ ସାଜି ଯାଇଥିଲା, ସେତେବେଳେ ଜନ୍ମ ନେଇଥିଲା ଉତ୍କଳ ଦୀପିକା । ଗୌରୀଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସ ଏହାକୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଗଢ଼ି ତୋଳିଥିଲେ । ତେବେ ଅକ୍ଷର ଅଭାବରୁ ସତେବେଳେ ପ୍ରଥମେ ଉତ୍କଳ ଦୀପିକା ଲିଥୋ ଜରିଆରେ ପ୍ରକାଶ ପାଇଥିଲା । ମିଶନାରୀ ମାନେ ଓଡ଼ିଆ ଅକ୍ଷର ଦେବାକୁ ମନା କରିଦେବାରୁ ଏପରି ଘଟଣା ସେତେବେଳେ ଘଟିଥିଲା । ଏହାପରେ କଟକ ପ୍ରିଟିଂ ପ୍ରେସର ପ୍ରତିଷ୍ଠାତାମାନେ କଲିକତା ଯାଇ ସେଠାକାର ମାଛୁଆ ବଜାର ଗଳିରେ ଅଧର ଚନ୍ଦ୍ର କର୍ମକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଅକ୍ଷର କାରଖାନାରେ ବରାଦ ଦେଇ ସୁନ୍ଦର ଓଡ଼ିଆ ଅକ୍ଷରମାନ ତିଆରି କରାଇ ଆଣିଥିଲେ । ଏହି ନୂଆ ଅକ୍ଷର ବ୍ୟବହାର କରି ୧୮୬୬ ଅଗଷ୍ଟ ୪ ତାରିଖରେ ଉତ୍କଳ ଦୀପିକା ଖବରକାଗଜ ପ୍ରକାଶ ପାଇଥିଲା । ଏଥିରେ ସବୁ ପ୍ରକାର ଖବର, ସମାଲୋଚନା ଓ ପର୍ଯ୍ୟାଲୋଚନା ମାନ ପ୍ରକାଶ ପାଉଥିଲା । ଇଂରେଜ ସରକାର ବିରୋଧରେ ବିପ୍ଳବାତ୍ମକ ଲେଖା ମାନ ଏଥିରେ ପ୍ରକାଶ ପାଉଥିଲା ।


ତେବେ ଏହା ପୂର୍ବରୁ ଓଡ଼ିଆ ସାମ୍ୱାଦିକତାର ଇତିହାସ ଆହୁରି ଅନେକ ରହିଛି ।  କଳିଙ୍ଗ ଯୁଦ୍ଧ ସମୟରେ ଖବର ଦିଆନିଆ ହେଉ, କି କୁଜି ବରପତ୍ର କାହାଣୀ ହେଉ ।  କୁଜି ବରପତ୍ର ଇତିହାସ ଏକ ମଜାଦାର କାହାଣୀ । ୧୭୨୦ ଖ୍ରୀଷ୍ଟାବ୍ଦ ବେଳକୁ କଟକ ଜିଲ୍ଲା ଆଠଗଡ଼ର କୁମାରପୁର ଗାଁରେ ସୁନ୍ଦର ଦାସ ନାମକ ଜଣେ ସାଧୁ ଥିଲେ । ପରେ ସେ ଜଣେ କୁଶଳୀ ଯୋଦ୍ଧା ଭାବେ ବେଶ୍ ଖ୍ୟାତି ଲାଭ କରିଥିଲେ । ଏହାପରେ ସାଧୁ ହେବା ପରେ ଚୌଦ୍ୱାର ନିକଟରେ ଏକ ବରଗଛ ମୂଳେ ସେ ରହୁଥିଲେ । ସେତେବେଳେ ମରାଠୀ ଶାସକ ତାଙ୍କର ଶିଷ୍ୟ ଥିଲେ । ପରେ ମିଶନାରୀମାନଙ୍କ ଚକ୍ରାନ୍ତରେ ତାଙ୍କୁ ଫସିବା ପରେ ସେ ଏକ ମାସ ଜେଲ ଦଣ୍ଡ ଭୋଗିଥିଲେ । ତେବେ ବରଗଛ ମୂଳେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଶ୍ରମର ନାଁ କୁଜିବର ଆଶ୍ରମ ଥିଲା ଏବଂ ସେଠାରୁ ସେ ଏକ ଖବରକାଗଜ ପ୍ରକାଶ କରୁଥିଲେ, ଯାହାର ନାଁ ଥିଲା କୁଜିବର ପତ୍ରିକା । ତାଳପତ୍ରରେ ବିଭିନ୍ନ ଖବର ଲେଖି ସେ ଏହାକୁ ପ୍ରକାଶ କରୁଥିଲେ ଏବଂ ତାଙ୍କର ଶିଷ୍ୟମାନେ ନକଲ କରି ବିଭିନ୍ନ ସ୍ଥାନକୁ ପଠାଉଥିଲେ । ସେହିପରି କୁଜିବର ପାଖରେ ପଦ୍ମପୁର ଗାଁରେ ହରିତାଳି ନାମକ ଆଉ ଏକ କାଗଜ ଦେଶୀୟ ପଦ୍ଧତିରେ ତିଆରି ହେଉଥିଲା, ଏବଂ ଏହି କାଗଜକୁ କଟକର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା । ଏଥିରୁ କେତୋଟି ସଂଖ୍ୟା ଲଣ୍ଡନ ମଧ୍ୟ ପଠାଯାଇଥିଲା ।



ତେବେ ଉତ୍କଳ ଦୀପିକା ହେଉ କି ସମ୍ୱାଦ ବାହିକା, ଦି ପ୍ରେସ ହେଉ କି ଉତ୍କଳ ଦର୍ପଣ, ସମସ୍ତଙ୍କର ଥିଲା ସ୍ୱତନ୍ତ୍ର ପରିଚୟ ।  କଟକରୁ ଉତ୍କଳ ଦୀପିକା, ବାଲେଶ୍ୱରରୁ ସମ୍ୱାଦ ବାହିକା ଓ ସମ୍ୱଲପୁରରୁ ହିତୈଶିଣୀ ସେତେବେଳେ ପ୍ରକାଶିତ ହେଉଥିଲା । ନଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ ବେଳେ ଏହି ଖବରକାଗଜ ଗୁଡ଼ିକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।


ଗୌରୀ ଶଙ୍କର ରାୟଙ୍କ ବିୟୋଗ ପରେ ନୀଳମଣି ବିଦ୍ୟାରତ୍ନ ଉତ୍କଳ ଦୀପିକାର ସଂପାଦକ ଭାବେ ଦାୟିତ୍ୱ ନେଇଥିଲେ ।  ମାତ୍ର, ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ସେହି ବର୍ଷ ହିଁ ଉତ୍କଳ ଦୀପିକା ବନ୍ଦ ହୋଇଯାଇଥିଲା । ତେବେ ଏହା ବନ୍ଦ ହେବାର କିଛିଦିନ ପୂର୍ବରୁ ଦୈନିକ ସମ୍ୱାଦପତ୍ର ଭାବେ ପ୍ରକାଶିତ ହୋଇଥିଲା । ଏହା ପରେ 'ଆଶା ଓ ନିଅ' ଓଡ଼ିଶା ନାମକ ଖବରକାଗଜ ପ୍ରକାଶ ପାଇଥିଲା । ଅବଶ୍ୟ ଏହା ପୂର୍ବରୁ ୧୯୧୯ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ସାପ୍ତାହିକ ଭାବେ 'ସମାଜ'କୁ ପ୍ରକାଶ କରିଥିଲେ । ୧୯୩୦ରୁ ଏହା ଦୈନିକ ଭାବେ ପ୍ରକାଶ ପାଇଥିଲା । ଏହାପରେ ପ୍ରଜାତନ୍ତ୍ର, କଳିଙ୍ଗ (ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିଲାବେଳେ), ଇଣ୍ଟର୍ଣ୍ଣ ଟାଇମ୍ସ ଭଳି ଖବରକାଗଜ ବାହାରିଥିଲା ।


ଆଜି ଅନେକ ଖବରକାଗଜ ଅଛି । କେତେକଙ୍କର ନିଜସ୍ୱ ଆଜେଣ୍ଡା ବି ଅଛି । ଓଡ଼ିଶାରେ ଆଜି ଛୋଟ ବଡ଼ କରି ପ୍ରାୟ ତିନି ଶହରୁ ଅଧିକ ଖବରକାଗଜ ଅଛି । ସେଥିରୁ କେତେକ ସାପ୍ତାହିକ, କେତେକ ପାକ୍ଷିକ ଓ ଆଉ କେତେକ ଦୈନିକ ।


ଆଜି ସାମ୍ବାଦିକତାର ପରିଭାଷା ବଦଳିଛି।  ଆଧୁନିକ ଯୁଗରେ ଖବରର ସଜ୍ଞା ମଧ୍ୟ ବଦଳିଛି। ଚୁଟିକିରେ ନିଜ ସ୍ମାର୍ଟଫୋନରେ ସାରା ଦୁନିଆର ଖବର ଜାଣି ହେଉଛି।ଟେକ୍ନୋଲୋଜି ଯୁଗରେ ଡିଜିଟାଲ ଏବଂ ସାମାଜିକ ଗଣମାଧ୍ୟମର ଭୂମିକା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। କିନ୍ତୁ ଏହାରି ଭିତରେ ବି ଖବରକାଗଜର ବାସ୍ନା ଅହରହ ଗୁଞ୍ଜରିତ ହେଉଛି।