Weather Alert: ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି
ବର୍ତ୍ତମାନ ଏକ ଟ୍ରଫ୍ ଲାଇନ ରାଜସ୍ଥାନ ଦେଇ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି।
ଭୁବନେଶ୍ୱର: ପାଖେଇ ଆସୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ହେବ ଘନୀଭୂତ। ଉପକୂଳ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଶନିବାର ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ତଥା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ।
ସେପଟେ ବର୍ତ୍ତମାନ ଏକ ଟ୍ରଫ୍ ଲାଇନ ରାଜସ୍ଥାନ ଦେଇ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି। ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କେତେକ ଜିଲ୍ଲା ଉଦ୍ଦେଶ୍ୟରେ ପ୍ରବଳ ଘଡଘଡି ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)। ରବିବାର ସକାଳ ସାଢେ ୮ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେଉଁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ ଜିଲ୍ଲାରେ କିଛି ସ୍ଥାନରେ ଘଡଘଡି ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି କେନ୍ଦ୍ର। ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି।