ଭୁବନେଶ୍ୱର: ରାଜ୍ୟକୁ ପୁଣି ଘାରିଛି କୋରୋନା ଭୟ। ଦେଶରେ ଚତୁର୍ଥ ଲହରର ସଂକ୍ରମଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଛନ୍ତି ୩ ହଜାରରୁ ଅଧିକ  ନୂଆ ସଂକ୍ରମିତ। ଦିଲ୍ଲୀ ସମେତ ଉତ୍ତର ଭାରତରେ ସଂକ୍ରମଣ ହାର ବଢୁଥିବା ଏବେ ରାଜ୍ୟରେ ମଧ୍ୟ ସଂକ୍ରମଣ ହାର ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୩-୪ ସପ୍ତାହ ମଧ୍ୟରେ ଓଡିଶାରେ ପୁଣି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଖୋଦ ସ୍ୱାସ୍ଥ୍ୟ ବିଭାଗ ପୂର୍ବାନୁମାନ କରିଛି। ଏଭଳି ସ୍ଥିତିରେ କୋଭିଡ ଗାଇଡ ଲାଇନ କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। 


COMMERCIAL BREAK
SCROLL TO CONTINUE READING

ପୂର୍ବରୁ ଦିଲ୍ଲୀରେ ସଂକ୍ରମଣ ବଢିବାର କିଛି ଦିନ ପରେ ରାଜ୍ୟରେ ସଂକ୍ରମଣ ବଢିବାର ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ କରୁଛି ରାଜ୍ୟ। ହସ୍ପିଟାଲ ଠାରୁ ଆରମ୍ଭ କରି ଔଷଧ, ଅକ୍ସିଜେନ ସହ ବିଭିନ୍ନ ଆନୁଷଙ୍ଗୀକ ବ୍ୟବସ୍ଥା ସରଛି। ଏମିତି କି ଯଦି ସଂକ୍ରମଣ ବଢେ ତାହାଲେ ହସ୍ପିଟାଲ ତୁରନ୍ତ ଖୋଲାଯିବାକୁ ଯୋଜନା କରାଯାଇଛି। ହେଲେ ବର୍ତ୍ତମାନ ସଂକ୍ରମଣ ୧୦-୨୦ ମଧ୍ୟରେ ରହିଛି। ରାଜ୍ୟ ସରକାର କୋଭିଡ ସଂକ୍ରମଣକୁ ଚେକ୍ ଦେବା ପାଇଁ ସବୁ ପ୍ରକାର ପ୍ରକ୍ରିୟାକୁ ଆପଣାଇଛନ୍ତି। ଟିକାକରଣ ବଢ଼ାଯାଉଛି। ହେଲେ ସମସ୍ତେ କୋରୋନା କଟକଣା ମାନିବାକୁ ପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। 


ବିଭିନ୍ନ ରାଜ୍ୟରେ ଏବେ ସଂକ୍ରମଣ ବଢୁଛି। ସଂକ୍ରମଣ ବଢିବା ସହ ନୂଆ ଭାରିଏଣ୍ଟ ମଧ୍ୟ ଆସୁଛି। ସାମାନ୍ୟ ଅବହେଳା ମଧ୍ୟ ବିପଦ ଆଣିପାରେ। ସରକାର ଏଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବାର ଆବଶ୍ୟକତା ରହିଛି। କେବଳ ସ୍ୱାସ୍ଥ୍ୟ ଭିତ୍ତିଭୁମି ନୁହେଁ କଟକଣାକୁ ମଧ୍ୟ କଠୋର କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂର୍ଯ୍ୟ ପ୍ରକାଶ ଚୈଧୁରୀ। ବୁଧବାର ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କୋଭିଡ଼ ସ୍ଥିତିର ସମୀକ୍ଷା କରିଛନ୍ତି। ଆଉ ଉଭୟ କେନ୍ଦ୍ର ଓ ରାଜ୍ୟର ସହଯୋଗ ଓ ସମନ୍ୱୟ କାମନା କରିଛନ୍ତି। ସାଧାରଣ ଲୋକେ କୋରୋନା ମହାମାରୀକୁ ନେଇ କିଛି ଦିନ ଧରି ଆଶ୍ୱସ୍ତ ହୋଇଥିବାବେଳେ ଏବେ ଏଭଳି ଖବର ଚିନ୍ତାର କାରଣ ସାଜିଛି। ସାଧାରଣ ଜୀବନଯାପନ ସ୍ୱାଭାବିକ ହୋଇଥିବାବେଳେ ଆସ୍ତେ ଆସ୍ତେ ଜୀବନ ଜୀବିକା ସ୍ୱାଭାବିକ ଆଡକୁ ଯାଉଛି। ଏବେ ପୁଣି ଏଭଳି ଖବର ଲୋକଙ୍କୁ ଚିନ୍ତାରେ ପକାଇଛି। ହେଲେ ତୃତୀୟ ଲହର ବେଳେ ଆସିଥିବା ଓମିକ୍ରନ ଭ୍ୟାରିଆଣ୍ଟ ସେତେଟା ଘାତକ ନ ହେଲେ ମଧ୍ୟ ଶୀଘ୍ର ବ୍ୟାପିଥିଲା। ଚତୁର୍ଥ ଲହରର ଭ୍ୟାରିଆଣ୍ଟ କେତେ ବ୍ୟାପକ ଓ କେତେ ଘାତକ ହେବ ତାହା ଉପରେ ରହିଛି ନଜର।