BJP Mission: ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳୀୟ ନେତୃତ୍ୱ ସେହି ରାଜ୍ୟଗୁଡ଼ିକୁ ଟାର୍ଗେଟ କରୁଛନ୍ତି ଯେଉଁଠି ସେମାନଙ୍କ ସ୍ଥିତି ଟିକେ ଦୁର୍ବଳ । ଏହି ସବୁ ରାଜ୍ୟରେ ବିଜେପି ନୂଆ ସହଯୋଗୀ ଯୋଡ଼ିବା ଏବଂ ଏନଡିଏ ମେଣ୍ଟରେ ନୂଆ ସଦସ୍ୟ ଯୋଡ଼ିବାରେ ଲାଗିଥିଲା। ତେବେ ଦୁଇ ରାଜ୍ୟ ପଞ୍ଜାବ ଓ ଓଡ଼ିଶାରେ ବିଜେପିର ଯୋଜନା ସଫଳ ହୋଇପାରିନାହିଁ। । ଓଡ଼ିଶାରେ ବିଜେପି ଶାସକ ବିଜୁ ଜନତା ଦଳ ସହ ମେଣ୍ଟ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇପାରିନଥିଲା। ଏହାପରେ ବିଜେପିର ନଜର ପଞ୍ଜାବ ଉପରେ ରହିଥିଲା। ଏନଡିଏର ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ ପୁଣି ଥରେ ମେଣ୍ଟରେ ସାମିଲ ହୋଇପାରେ ବୋଲି ଦଳ ଆଶା ରଖିଥିଲା। ଅନେକ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ମେଣ୍ଟ ଗଠନ ହୋଇପାରିନଥିଲା। ଶେଷରେ ବିଜେପି ପଞ୍ଜାବରେ ମଧ୍ୟ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଏବେ ପ୍ରଶ୍ନ ଉଠୁଛି, ଓଡ଼ିଶା ଓ  ପଞ୍ଜାବରେ ମେଣ୍ଟ ନହୋଇ ପାରିବାର  ବିଜେପିର ମିଶନ ୪୦୦ ପ୍ଲସକୁ  ପ୍ରଭାବିତ କରିବ କି? ନିର୍ବାଚନ ଫଳାଫଳ ଆସିବା ପରେ ହିଁ ସତ କଣ ଜଣା ପଡିବ। କିନ୍ତୁ ଏବେ କେବଳ ଅନୁମାନ କରାଯାଇପାରେ।


COMMERCIAL BREAK
SCROLL TO CONTINUE READING

ପଂଜାବରେ ଏକଲା ଚଲୋ


ପଞ୍ଜାବରେ ଶିରୋମଣି ଅକାଳୀ ଦଳ ସହ ମେଣ୍ଟ ହେବାର ସମ୍ଭାବନା ଉପରେ ସେତେବେଳ ପୂର୍ଣ୍ଣଛେଦ ଲାଗିଥିଲା ଯେତେବେଳେ  ବିଜେପି ନିର୍ବାଚନୀ ଲଢ଼େଇରେ ଏକାକୀ ଲଢ଼ିବାକୁ ଘୋଷଣା କରିଥିଲା। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ବିଜେପି ଏକାକୀ ଲଢ଼ିବ ବୋଲି ମଙ୍ଗଳବାର ଘୋଷଣା କରିଛି। ଏହାକୁ ମିଶାଇ ରାଜ୍ୟରେ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଚତୁର୍କୋଣୀୟ ହୋଇଛି। କାରଣ ରାଜ୍ୟର ଶାସକ ଆମ୍ ଆଦମୀ ପାର୍ଟି ଓ ବିରୋଧୀ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇପାରିନଥିଲା। ଏଭଳି ସ୍ଥିତିରେ ପଞ୍ଜାବରେ ବିଜେପି, ଶିରୋମଣି ଅକାଳୀ ଦଳ, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ସିଧାସଳଖ ଲଢ଼େଇ ହେବ।


ଏକାକୀ ଲଢ଼ିବାକୁ  ବିଜେପିର ନିଷ୍ପତ୍ତି


ପଞ୍ଜାବରେ ଏସଏଡି ସହ ମେଣ୍ଟ କରିନପାରିବାରୁ ଜଣେ ବିଜେପି ନେତା ପ୍ରତିକ୍ରିୟା ରଖିଛନ୍ତି। ଶିରୋମଣି ଅକାଳୀ ଦଳର କେତେକ ମୁଖ୍ୟ ଦାବିରେ ସେମାନେ ରାଜି ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ଅବଗତ ଥିବା ଲୋକମାନେ କହିଛନ୍ତି ଯେ ବିଜେପି ମୁଖ୍ୟ ଜେପି ନଡ୍ଡା ସୋମବାର ରାତିରେ ଏସଏଡି ନେତା ସୁଖବୀର ସିଂହ ବାଦଲଙ୍କୁ ଫୋନ୍ କରି ମେଣ୍ଟକୁ ଚୂଡ଼ାନ୍ତ କରିବାକୁ ଶେଷ ପ୍ରୟାସ କରିଥିଲେ। ତେବେ ଆସାମର ଡିବ୍ରୁଗଡ଼ରେ ବନ୍ଦୀ ଥିବା ଉଗ୍ରବାଦୀ ଶିଖ୍ ପ୍ରଚାରକ ଅମୃତପାଲ ସିଂହ ଏବଂ ଅନ୍ୟ ଶିଖ କଏଦୀମାନଙ୍କୁ ପଞ୍ଜାବ ନିକଟସ୍ଥ ଜେଲକୁ ସ୍ଥାନାନ୍ତର କରିବା ସମେତ ସେମାନଙ୍କ ଆଉକିଛି ଦାବିକୁ ବିଜେପି ଗ୍ରହଣ କରୁବୋଲି ଅକାଳୀଦଳ ଜିଦ୍ ଧରିଥିଲେ। ସୂଚନାଯୋଗ୍ୟ ଯେ, ଅମୃତପାଲ ସିଂହକୁ ଏପ୍ରିଲ ୨୦୨୩ରେ ଗିରଫ କରାଯାଇଥିଲା। ପଞ୍ଜାବ ବିଜେପି ମୁଖ୍ୟ ସୁନୀଲ ଜାଖର କହିଛନ୍ତି ଯେ ନିର୍ବାଚନମଣ୍ଡଳୀର ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ଯୁବକ ଓ କୃଷକଙ୍କ ପାଇଁ ସ୍ଥାନୀୟ ନେତା ଓ ତୃଣମୂଳ ସ୍ତରର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।


ପଞ୍ଜାବ ପୂର୍ବରୁ ଓଡ଼ିଶାରେ ବି ବିଜେଡି ସହ ମେଣ୍ଟ ଆଲୋଚନା ବିଫଳ ହୋଇଥିଲା


ପଞ୍ଜାବ ପୂର୍ବରୁ ଓଡ଼ିଶାରେ ମଧ୍ୟ ବିଜେପି ରାଜ୍ୟର ଶାସକ ବିଜୁ ଜନତା ଦଳ ସହ ମେଣ୍ଟ କରିବାକୁ ଚେଷ୍ଟା କରୁଥିଲା। ହେଲେ ବିଜେଡି ସହ ଆଲୋଚନା ବିଫଳ ହେବାରୁ ମେଣ୍ଟ ହୋଇପାରିନଥିଲା। ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ରାଜ୍ୟରେ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଓଡ଼ିଶାରେ ଦଳ ଏକାକୀ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ଲଢ଼ିବ ବୋଲି ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ଓଡ଼ିଶାରେ ବିଜେଡି ସହ ମେଣ୍ଟ ସପକ୍ଷରେ ଥିଲେ ମଧ୍ୟ ମୁଣ୍ଡ ନୁଆଁଇ ମେଣ୍ଟ କରିବାକୁ ଚାହୁଁନଥିଲା।


ମିଶନ-୪୦୦ ପାର ଉପରେ ବିଜେପିର ପୂରା ଫୋକସ


କେବଳ ପଞ୍ଜାବ ଓ ଓଡ଼ିଶା ନୁହେଁ, ତାମିଲନାଡୁରେ ବିଜେପିର ଯୋଜନା ଥିଲା ଏଆଇଏଡିଏମକେ ସହ ମେଣ୍ଟ କରିବା। ହେଲେ ସେଠାରେ ମଧ୍ୟ ଦଳକୁ ସଫଳତା ମିଳିନଥିଲା। ଶେଷରେ ବିଜେପି ଓ ପିଏମକେ ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ହୋଇଥିଲା। ସେହି ଅନୁଯାୟୀ ପିଏମକେ ରାଜ୍ୟରେ ୧୦ଟି ଲୋକସଭା ଆସନରେ ଲଢିବ।  ଅନ୍ୟପକ୍ଷରେ ହରିୟାଣାରେ ବିଜେପି ଓ ଜେଜେପି ମଧ୍ୟରେ ଆସନକୁ ନେଇ ସମନ୍ୱୟ ଅଭାବରୁ ମେଣ୍ଟ ଭାଙ୍ଗିଯାଇଛି। ଜେଜେପି ରାଜ୍ୟର ହରିୟାଣା ସରକାରଙ୍କ ଅଂଶ ଥିଲା। ଯେତେବେଳେ ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନ କୁ ନେଇ କୌଣସି ସହମତି ହୋଇନଥିଲା, ସେତେବେଳେ ଜେଜେପି ନେତୃତ୍ୱ ମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଥିଲେ। ନୟାବ ସିଂ ସାଇନିଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କରାଯାଇଛି । ବର୍ତ୍ତମାନ ବିଜେପିର ନିରନ୍ତର ପ୍ରୟାସ ଏନଡିଏକୁ ୪୦୦ ଟପାଇବା। । ଏଥିପାଇଁ ଦଳ ଏଥିରେ ଅନେକ ନୂଆ ସହଯୋଗୀ ଙ୍କୁ ଯୋଡ଼ିବାରେ ମଧ୍ୟ ସଫଳ ହୋଇଛି। ସେଥିମଧ୍ୟରୁ ଟିଡିପି ପ୍ରମୁଖ, ଯାହା ଏକଦା ଏନଡିଏର ସହଯୋଗୀ ଥିଲା। ଆନ୍ଧ୍ରପ୍ରଦେଶରେ ଟିଡିପି-ଜନସେନା ପାର୍ଟି ଓ ବିଜେପି ମେଣ୍ଟ କରିଛନ୍ତି।