ବୌଦ୍ଧ(ହିମାଂଶୁ ଶେଖର୍ ସାହୁ): ରାଜ୍ୟର କେନ୍ଦ୍ର ସ୍ଥଳରେ ଅବସ୍ଥିତ ସଂସ୍କୃତି, ସମ୍ପନ୍ନ, ଐତିହ୍ୟଭରା ବୌଦ୍ଧ ଜିଲା ବେଆଇନ ଗଞ୍ଜେଇ ଚାଷ ସହିତ ବେଧଡକ ଗଞ୍ଜେଇ ଚୋରା ଚାଲାଣ କାରବାରକୁ ନେଇ ବେଶ ଚର୍ଚ୍ଚାରେ ରହିଛି ବୌଦ୍ଧ ଜିଲା। ଏଭଳି ବେଆଇନ କାରବାରକୁ ରୋକିବା ପାଇଁ ଜିଲା ପ୍ରଶାସନ ଓ ସରକାରଙ୍କ ନିକଟରେ ବିଭିନ୍ନ ସମୟରେ ଜିଲାର ବହୁ ଅନୁଷ୍ଠାନ ଗୁଡିକ ଦାବି କରିଛନ୍ତି। ହେଲେ ଫଳ ଘର ଶୁନ।


COMMERCIAL BREAK
SCROLL TO CONTINUE READING

ଜିଲାରେ ଗଞ୍ଜେଇ ଚାଷ ସଂରକ୍ଷିତ ଜଙ୍ଗଲରେ ହେଉଛି। ଏପଟେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇଥିବା ବୌଦ୍ଧ ବନ ବିଭାଗ ଏବେ ସକ୍ରିୟ ହୋଇ ଉଠିଛି। ନିୟମିତ ଜିଲାରୁ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ କୌଶଳରେ କରି ଗଞ୍ଜେଇ ଚାଷ କୁ ନଷ୍ଟ କରାଯାଉଛି। ଅନ୍ୟପଟେ ବୌଦ୍ଧ ଜିଲାରେ ନୂତନ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାୟ ମିନା ଯୋଗଦେବା ପରେ ବେଧଡକ ଗଞ୍ଜେଇ କାରବାରରେ ସକ୍ରିୟ ସହଯୋଗ କରୁଥିବା ପୋଲିସ ବିଭାଗର କିଛି ଅସାଧୁ ଅଧିକାରୀଙ୍କ ନିଦ ହଜି ଯାଇଛି। ଜିଲାର ବିଭିନ୍ନ ସ୍ଥାନରେ କଡାକଡି ପେଟ୍ରୋଲିଂ କରି ସମସ୍ତ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଉଥିବା ଫଳରେ ଲଗାତାର ଭାବେ କିଛି ଦିନ ହେବ ବୌଦ୍ଧ ଜିଲା ପୋଲିସ କୁ ବଡ ସଫଳତା ମିଳିବାରେ ଲାଗିଛି।


ବୌଦ୍ଧ ଜିଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଶଗଡ଼ା ଗ୍ରାମ ପଞ୍ଚାୟତର ସିଲେଇପଡା ଗ୍ରାମରୁ ଏକ ଦେଶୀ ବନ୍ଧୁକ କାରଖାନାକୁ ଠାବ କରିବାରେ ସକ୍ଷମ ହୋଇଛି ଜିଲା ପୋଲିସ । ବନ୍ଧୁକ କାରଖାନାରୁ ୪ ଟି ଦେଶୀ ବନ୍ଧୁକ, ୨ଟି ଦେଶୀ ପିସ୍ତଲ ଜବତ କରାଯିବା ସହିତ ବନ୍ଧୁକ ତିଆରିରେ ବ୍ୟବହୃତ ବ୍ୟାପକ ପରିମାଣର ସରଞ୍ଜାମ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି । 
କୌଣସି ସୂତ୍ରରୁ ବୌଦ୍ଧ ପୋଲିସ ଖବର ପାଇ ଜିଲା ପୋଲିସ ବିଭାଗର ସ୍ୱତନ୍ତ୍ର ସ୍କ୍ବାର୍ଡ ଦଳ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଥିଲା । ଶେଷଦେଵ ବିନ୍ଧାଣି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ମନମୁଣ୍ଡା ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି ।


ତେବେ ସବୁଠାରୁ ବଡ଼ କଥା ହେଲା ଜିଲା ପୋଲିସକୁ ବଡ ସଫଳତା ତ ମିଳିଛି, ହେଲେ କେତେଦିନ ହେଲା ବନ୍ଧୁକ ତିଆରି କାରଖାନା ଚାଲିଥିଲା, ଏଠାରୁ ତିଆରି ହେଉଥିବା ବନ୍ଧୁକ ରାଜ୍ୟର କେଉଁ କେଉଁ ଅଞ୍ଚଳକୁ ଚାଲାଣ କରାଯାଉଥିଲା, ସେ ସବୁ କେଉଁ କାମରେ ନିୟୋଜିତ ହେଉଥିଲା ସେସବୁ ଦିଗରେ ପୋଲିସ ଅଧିକ ତଦନ୍ତ କରିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଜିଲାର ବୁଦ୍ଧିଜୀବୀ । ଅନ୍ୟପଟେ ବୌଦ୍ଧ ବନଖଣ୍ଡ ଅଧିନସ୍ଥ କଣ୍ଟାମାଳ ଓ ମନମୁଣ୍ଡା ରେଞ୍ଜ ଅଧିନରୁ ବହୁ ସମୟରେ ବାଘ, ସମ୍ବର, କୁଟୁରା, ବଜ୍ରକାପ୍ତା ଭଳି ବନ୍ୟା ଜନ୍ତୁ ଶିକାର କରାଯାଉଥିବା ବେଳେ ଅନେକ ଶିକାରୀ କୁ ଗିରଫ କରାଯାଇଛି । ସେସବୁ ଶିକାର ପଛରେ ଏହି ଦେଶୀ ବନ୍ଧୁକ କାରଖାନାରୁ ବନ୍ଧୁକ ଯାଉଥିଲା କି ? ସେ ଉପରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।