ବୌଦ୍ଧ: କୌଣସି କାମ ହାସଲ କରିବାକୁ ହେଲେ ପାୱାର, ପଲିଟିକ୍ସ, ଟଙ୍କା ନିହାତି ଦରକାର ବୋଲି ସମସ୍ତେ ହୃଦୟଙ୍ଗମ କରନ୍ତି। କିନ୍ତୁ ଇଚ୍ଛାଶକ୍ତି ଓ କିଛି କରି ଦେଖାଇବାର ନିଶା ଆଗରେ ଏସବୁର ମାନେ ନଥାଏ। ହଁ, ଆମେ ଏକଥା କାହିଁକି କହୁଛୁ ? ଆମ ଖବରର ହେଡଲାଇନ ସହିତ ୟାର କଣ ରହିଛି ସମ୍ପର୍କ ? ଜାଣିବାକୁ ଚାହୁଁଛନ୍ତି ନା ! ତାହେଲେ ପଢ଼ନ୍ତୁ ପୁରା ଖବର।


COMMERCIAL BREAK
SCROLL TO CONTINUE READING

ବୌଦ୍ଧ ଜିଲ୍ଲାର ଆଡେଣିଗଡ଼ ଗ୍ରାମ ପଞ୍ଚାୟତ ବାସୀ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଯୁବକ ସଙ୍ଘ ଏବଂ ବିନାୟକ ଯୁବକ ସଙ୍ଘ ପକ୍ଷରୁ ବାଉଁଶୁଣି ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ଯୁବ ଇଞ୍ଜିନିୟରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଆଡେଣିଗଡ଼ ଗ୍ରାମ ପଞ୍ଚାୟତ ଜିଲ୍ଲାର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳଭାବେ ଜଣାଶୁଣା। ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ରାଜସ୍ୱ ଗ୍ରାମ ରହିଥିବାବେଳେ ପଞ୍ଚାୟତ ସଦର ମହକୁମାର ଜନସଂଖ୍ୟା ୩ ହଜାରରୁ ଅଧିକ। ତା ସହିତ ଏକ ପୋଲିସ ବ୍ୟାରେକ, ଫାଣ୍ଡି, ହରଭଙ୍ଗା ବ୍ଲକ ସବୁଠାରୁ ବଡ଼ ଡାକ୍ତରଖାନା ଆଡେଣିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ସେବା ସମବାୟ ସମିତି, ପଞ୍ଚାୟତ କାର୍ଯ୍ୟାଳୟ,ଛାତ୍ରୀବାସ,ହାଇସ୍କୁଲ ସମେତ ଅନେକ ବିଦ୍ୟାଳୟ ରହିଛି। 


Also Read: ଅଣଓଡ଼ିଆ ଶ୍ରମିକଙ୍କୁ ଅଣଦେଖା; ପରିଶ୍ରମ କରାଇ ପାରିଶ୍ରମିକ ଦେଉନି ଗେଲ୍ ଇଣ୍ଡିଆର ଠିକା ସଂସ୍ଥା


ଏପରି ସ୍ଥଳରେ ଏଠାରେ ଲୋକଙ୍କୁ ଫୋନ ସେବା ଯୋଗାଇବା ପାଇଁ ଏକ ମାତ୍ର ବିଏସଏନଏଲ ନେଟୱାର୍କ ରହିଥିଲା। ଯାହାକି ମାସକୁ ଅଧାଦିନ କେବୁଲ କଟିବା, ବିଦ୍ୟୁତ କଟିବା କାରଣରୁ ସେବା ପାଇବାରୁ ବଞ୍ଚିତ ହେବାକୁ ପଡୁଥିଲା। ଇଣ୍ଟରନେଟ ଜମାନାରେ ପଞ୍ଚାୟତରେ ଇଣ୍ଟରନେଟର କୌଣସି ମୂଲ୍ୟ ପାଇପାରନ୍ତି ନାହିଁ ଏଠାକାର ଲୋକେ। ଫଳରେ ବିଭିନ୍ନ ସମୟରେ ଲୋକେ ନାହିଁ ନଥିବା ହଇରାଣ ହରକତ ହେଉଥିବା ବେଳେ ପିଲାଙ୍କ ପାଇଁ ଅନଲାଇନ କ୍ଳାସ କଥା ନ କହିବା ଭଲ। 


ଆଡେଣିଗଡ଼ ଗ୍ରାମରେ ଲାଗି ରହିଥିବା ଫୋନ ଓ ଇଣ୍ଟରନେଟ ସମସ୍ୟାର ସମାଧାନ ପାଇଁ ଅନ୍ୟ କୌଣସି ନେଟୱାର୍କ କାର୍ଯ୍ୟକାରୀ କରିବା ପାଇଁ ପୂର୍ବରୁ ଟେଲିକମ କମ୍ପାନୀରେ କାର୍ଯ୍ୟ କରିଥିବା ବାଉଁଶୁଣିର ଯୁବ ଇଞ୍ଜିନିୟର ଏବଂ ଜିଲ୍ଲାର ଜଣାଶୁଣା ସମାଜସେବୀ ରାକେଶ ତ୍ରିପାଠୀଙ୍କୁ ଗ୍ରାମର କିଛି ବ୍ୟକ୍ତି ଅନୁରୋଧ କରିଥିଲେ। ଏହାପରେ କୌଣସି ପଦ ପଦବୀରେ ନଥିବା ଯୁବ ଇଂଜିନିୟରିଂ ଜଣକ ଚାକିର ସମୟର ସାଙ୍ଗସାଥୀଙ୍କ ସହିତ ଯୋଗାଯୋଗ କରିଥିଲେ। ଏବେ ଆଡେଣିଗଡ଼ ଗ୍ରାମପଂଚାୟତ ସଦର ମହକୁମା ଏବଂ ରାଣିଗଞ୍ଜରେ ଜିଓ ନେଟୱାର୍କ କାର୍ଯ୍ୟକାରୀ ହୋଇଛି। ଫଳରେ ଏବେ ଅଞ୍ଚଳବାସୀ ଫୋନ ସେବା ସହିତ ଇଣ୍ଟରନେଟ ସୁବିଧା ପାଇପାରୁଥିବାବେଳେ ଅନଲାଇନ କ୍ଳାସ ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ସୁବିଧା ହୋଇଛି। 


Also Read: ଗ୍ରୀନ ମହାନଦୀ ମିଶନ୍ କେବଳ ବାହାନା! ତିନି ଲକ୍ଷ ଟଙ୍କାର ଗଛ ଚରିଗଲେ ବନ ବିଭାଗ ଅଧିକାରୀ


ଏହା ସହିତ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଚାରି ଛକରୁ ନୟାଗଡ଼ ଜିଲ୍ଲାର ବାଣୀଗୋଛା ଯାଏଁ କୌଣସି ଫୋନ କିମ୍ବା ଇଣ୍ଟରନେଟର ସୁବିଧା ନଥିବାରୁ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀମାନେ ନାହିଁନଥିବା ହଇରାଣ ହୋଇ ଆସୁଥିଲେ। କିନ୍ତୁ ଏବେ ଆଡେଣିଗଡ଼, ରାଣିଗଞ୍ଜ, ମାଧପୁର, ବଦଲା ଠାରେ ଜିଓ ନେଟୱାର୍କ କାର୍ଯ୍ୟକାରୀ ହୋଇଥିବାରୁ କେବଳ ସ୍ଥାନୀୟ ବାସିନ୍ଦା ନୁହଁନ୍ତି ଯାତ୍ରୀମାନଙ୍କୁ ମଧ୍ୟ ବହୁତ ସୁବିଧା ହୋଇଥିବା ଜଣାପଡିଛି। ଜିଓ ଟାୱାର ନିର୍ମାଣ ପଛରେ ସହଯୋଗର ହାତ ବଢ଼ାଇ ଥିବା ବାଉଁଶୁଣିର ଯୁବ ଇଂଜିନିୟର ତଥା ସମାଜସେବୀ ରାକେଶ ତ୍ରିପାଠୀଙ୍କୁ ଆଡେଣିଗଡ଼ ପଞ୍ଚାୟତବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।