china mosque demolish : 


COMMERCIAL BREAK
SCROLL TO CONTINUE READING

ମୁସଲମାନ ଦେଶଙ୍କ  ସହ ଚୀନ୍‌ର ଭଲ ସମ୍ପର୍କ ରହିଛି। କିନ୍ତୁ ଚୀନ ନିଜ ଦେଶରେ ରହୁଥିବା ମୁସଲମାନମାନଙ୍କ ଉପରେ ସର୍ବାଧିକ ଅତ୍ୟାଚାର କରୁଛି। ଚୀନ୍ କର୍ତ୍ତୃପକ୍ଷ ଶହ ଶହ ମସଜିଦ ବନ୍ଦ କରି ଦେଇଛନ୍ତି କିମ୍ବା ସେଗୁଡିକର ଇସଲାମିକ ସ୍ୱରୂପକୁ ବଦଳାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଚାଇନାର ନିଙ୍ଗକ୍ସିଆ ଏବଂ ଗାନସୁ ଅଞ୍ଚଳରେ ଚୀନ ଏହି କାଣ୍ଡ କରିଛି । ସୂଚନାଯୋଗ୍ୟ ଯେ, ସିନଜିୟାଙ୍ଗ ପରେ  ମୁସଲିମ ଜନସଂଖ୍ୟା ଏହି ଅଂଚଳରେ ସର୍ବାଧିକ। ହ୍ୟୁମାନ୍ ରାଇଟ୍ସ ୱାଚ୍ (HRW) ର ରିପୋର୍ଟ ଅନୁସାରେ  ଚୀନ୍ ସରକାର ନିଙ୍ଗକ୍ସିଆ ଏବଂ ଗାନସୁ ସ୍ୱୟଂଶାସିତ ଅଞ୍ଚଳରେ ମସଜିଦ ସଂଖ୍ୟା ହ୍ରାସ କରୁଛନ୍ତି। ଏଭଳି ସାଂଘାତିକ  ରିପୋର୍ଟ ସତ୍ତ୍ୱେ ଇସଲାମିକ ଦେଶ ଏବଂ ଓଆଇସି ଏବେ ମଧ୍ୟ ନିରବ ରହିଛି । ଏପରିକି ନିଜକୁ ମୁସଲିମଙ୍କ ମସିହା କହୁଥିବା ପାକିସ୍ତାନ ମଧ୍ଯ  ଏଥିରେ ନୀରବ ରହିଛି।


ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିସିପି) ଦୀର୍ଘ ଦିନ ଧରି ଧାର୍ମିକ ଏବଂ ଜାତୀୟ ସଂଖ୍ୟାଲଘୁଙ୍କୁ ନେଇ କଡ଼ା ଆଭିମୁଖ୍ୟ ବଜାୟ ରଖିଛି। ୨୦୧୬ରେ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନରେ  ଧର୍ମର ଚୀନିକରଣ  ପାଇଁ ଆହ୍ୱାନ ଦେଇଥିଲେ । ଏହାପରଠାରୁ ମସଜିଦଗୁଡ଼ିକର ରୂପାନ୍ତରଣ ଓ ବିଧ୍ୱଂସୀକରଣ ତ୍ୱରାନ୍ୱିତ ହୋଇଥିଲା। ଏପ୍ରିଲ୍ ୨୦୧୮ ରେ ଚୀନ୍ ଏକ ନିର୍ଦ୍ଦେଶନାମା ଜାରି କରିଥିଲା,ଯେଉଁଥିରେ ଇସଲାମିକ୍ ଧର୍ମ ଅନୁଷ୍ଠାନ ଗୁଡିକର ନିର୍ମାଣ ସମ୍ପର୍କିତ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବାକୁ କୁହାଯାଇଥିଲା । ସରକାରୀ ଅଧିକାରୀଙ୍କୁ  ମସଜିଦ ଓ ଧର୍ମ ସଂପର୍କିତ ନିର୍ମାଣକୁ ନିୟନ୍ତ୍ରିତ କରିବାକୁ କୁହାଯାଇଥିଲା ।


ମସଜିଦରୁ ହଟୁଠି ଗମ୍ବୁଜ ଏବଂ ମିନାର


ଚୀନ ସରକାର ଆରବ ଶୈଳୀରେ ନିର୍ମିତ ମସଜିଦକୁ ପସନ୍ଦ କରୁନାହିଁ । ତେଣୁ ମସଜିଦରୁ ଗମ୍ବୁଜ ଓ ମିନାର ହଟାଯାଉଛି । ନିଙ୍ଗଜିଆର ଦୁଇଟି ଗ୍ରାମରେ ମସଜିଦଗୁଡିକର ସ୍ଥିତି ଯାଞ୍ଚ କରିବାକୁ ଯାଇ HRW ଅନୁସନ୍ଧାନକାରୀମାନେ ଉପଗ୍ରହ ଚିତ୍ରର ବିଶ୍ଳେଷଣ କରିଥିଲେ । ଏଥିରୁ ଜଣା ପଡ଼ିଥିଲା ଯେ, ୨୦୧୯ରୁ ୨୦୨୧ ମଧ୍ୟରେ ସମସ୍ତ ସାତୋଟି ମସଜିଦରୁ ଗମ୍ବୁଜ ଏବଂ ମିନାର ହଟାଯାଇଛି। ଚାରୋଟି ମସଜିଦରେ ପରିବର୍ତ୍ତନ କରାଯାଇଥିଲା ଏବଂ ତିନୋଟି ମୁଖ୍ୟ ଅଟ୍ଟାଳିକା ଭାଙ୍ଗି ଦିଆଯାଇଥିଲା । ଏକ ମସଜିଦର ବାଥରୁମକୁ ମଧ୍ୟ ନଷ୍ଟ କରାଯାଇଛି। ମଞ୍ଚେଷ୍ଟର ୟୁନିଭରସିଟିର ଡେଭିଡ ଷ୍ଟ୍ରପ ଏବଂ ପ୍ଲାଏମାଉଥ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ହାନ୍ନା ଥାକର ଏହା ଉପରେ ଗବେଷଣା କରିଥିଲେ।


୧୩ଶହ ମସଜିଦ ବନ୍ଦ


ମସଜିଦରେ ଥିବା ବାଥରୁମଗୁଡିକୁ ନଷ୍ଟ କରିବା ପଛରେ ଲକ୍ଷ୍ୟ ଏହା ଯେ,ଯେମିତି ଅଧିକ ଲୋକ ମସଜିଦ ଆସିବେ ନାହିଁ । ଏମିତି କରି ମସଜିଦକୁ ଧ୍ୱଂସ ନକରି ମଧ୍ଯ ତାହାକୁ ହଟାଇ ଦିଆଯାଇଥିଲା । ଟେକର୍ ଏବଂ ଷ୍ଟ୍ରୁପ୍ ଆକଳନ କରିଛନ୍ତି ଯେ ନିଙ୍ଗସିଆରେ ପ୍ରାୟ ୧୩ଶହ ମସଜିଦ ୨୦୨୦ ଠାରୁ ବନ୍ଦ  ହୋଇଯାଇଛି । ଏହି ତାଲିକାରେ ସେହି ମସଜିଦଗୁଡ଼ିକୁ ଅନ୍ତର୍ଭୂକ୍ତ କରାଯାଇ ନାହିଁ ଯାହାକୁ ଭାଙ୍ଗି ଦିଆଯାଇଥିଲା କିମ୍ବା ଯାହାର ସ୍ୱରୂପ ପରିବର୍ତ୍ତନ କରାଯାଇଥିଲା । ଯଦିଓ HRW ର ପ୍ରକୃତରେ କେତେ ସଂଖ୍ୟକ ମସଜିଦକୁ  ରୂପାନ୍ତରିତ କରାଯାଇଛି ସେନେଇ କୌଣସି ତଥ୍ୟ ନାହିଁ ତେବେ ଏହି ସଂଖ୍ଯା ଶହେରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ୨୦୧୯ରେ ଜୋଙ୍ଗୱାଇ ସହରର ୨୧୪ ମସଜିଦର ରୂପାନ୍ତରଣ,୫୮କୁ ଭଙ୍ଗା ଯାଇଥିଲା ଓ ଅବୈଧ ଭାବେ ଚାଲୁଥିବା ୩୭ ମସଜିଦକୁ ବନ୍ଦ କରାଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛନ୍ତି ।