ନୂଆଦିଲ୍ଲୀ: ବାଲେଶ୍ୱର ଉପ ନିର୍ବାଚନକୁ ଆଉ ହାତଗଣତି ଦିନ ରହିଯାଇଥିବା ବେଳେ ପ୍ରଚାର ମଧ୍ୟ ଜୋରଦାର ହୋଇଛି। ତିନୋଟି ପ୍ରମୁଖ ରାଜନୈତିକ ଦଳ ବାଲେଶ୍ୱରରେ ପ୍ରଚାର କାର୍ଯ୍ୟାକୁ ଜୋରଦାର କରିଛନ୍ତି। ବିଭିନ୍ନ ପ୍ରତିଶୃତିର ସୁଅ ଭୋଟରଙ୍କ ନିକଟରେ ଢାଳି ଦେଉଛନ୍ତି। ଷ୍ଟାର ପ୍ରଚାରକଙ୍କୁ ନେଇ ପ୍ରତିପତ୍ତିଶାଳୀ ପ୍ରାର୍ଥୀ ପ୍ରଚାର କରୁଛନ୍ତି। କିନ୍ତୁ ଏହାରି ମଧ୍ୟରେ ଏକ ବ୍ୟତୀକ୍ରମ ମଧ୍ୟ ଦେଖାଦେଇଛି। 


COMMERCIAL BREAK
SCROLL TO CONTINUE READING

ସବୁଠାରୁ ଗରିବ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ବେଣୁଧର ବାରିକ। ବେଣୁ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ୯୧ ବର୍ଷୀୟ ବେଣୁଙ୍କ ପାଇଁ ପ୍ରଚାର କରିବେ ଯାତ୍ରା ପେଣ୍ଡାଲରୁ ଚର୍ଚ୍ଚାରେ ରହି ଆସିଥିବା କଳାକାର ରାଣୀ ପଣ୍ଡା। 


ଯାତ୍ରା ପେଣ୍ଡାଲରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ରାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଗରିବ ବେଣୁଙ୍କ ପାଇଁ ରାଣୀ ପ୍ରଚାର କରିବେ ବୋଲି କହି ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଏକ ଭିଡ଼ିଓ ଜାରି ରାଣୀ ଏହି ବାର୍ତ୍ତା ଦେଇଛନ୍ତି। ବେଣୁଙ୍କୁ ମଧ୍ୟ ସେ ସହାୟତା ଯୋଗାଇ ଦେବେ ବୋଲି ସେ କହିଛନ୍ତି।


ରାଣୀ କହିଛନ୍ତି କି, ସେ ବେଣୁଧରଙ୍କୁ ଏକ ସାଇକେଲ ଉପହାର ସ୍ୱରୂପ ପ୍ରଦାନ କରିବେ। ସେହି ସାଇକେଲରେ ସେ ବେଣୁଙ୍କ ପଛରେ ବସି ଗାଁକୁ ଗାଁ ବୁଲି ପ୍ରଚାର କରିବେ । ଏପରିକି ପ୍ରତିଟି ପରିବାରଙ୍କ ନିକଟକୁ ଯାଇ ବେଣୁଙ୍କ ନିର୍ବାଚନୀ ଚିହ୍ନ କେଟିଲିରେ ଚାହା ବାଣ୍ଟିବେ। ରାଣୀ ଆସନ୍ତା ୨୪ ତାରିଖରେ ବାଲେଶ୍ୱର ଗସ୍ତ କରିବେ । ପ୍ରତିକୂଳ ପାଗ ହେଉ ଅବା ଅନୁକୂଳ, ସେ ୨୪ ତାରିଖ ଦିନ ବାଲେଶ୍ୱର ଗସ୍ତ କରିବେ । ବର୍ଷା ହେଉଥିଲେ ମଧ୍ୟ ସେ ଓଦା ହୋଇ ବେଣୁଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ସାମିଲ ହେବେ। ବେଣୁଙ୍କ ପ୍ରତିଶୃତିକୁ ସେ ପୁରଣ କରିବାକୁ ପ୍ରୟାସ କରିବେ ବୋଲି ମଧ୍ୟ ସେ କହିଛନ୍ତି । 


ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଦଶାହ କାର୍ଯ୍ୟରେ ମଧ୍ୟ ଯୋଗ ଦେଇ ଚର୍ଚ୍ଚାକୁ ଆସିଥିଲେ। ଦଶାହ କାର୍ଯ୍ୟରେ ଯୋଗ ଦେଇ ସେ ତଳେ ବସି ସମସ୍ତଙ୍କ ସହିତ ମିଶି ଖାଦ୍ୟ ଖାଇବାର ଫଟୋ ବେଶ ଭାଇରାଲ ହୋଇଥିଲା। ଏଥିପାଇଁ ସେ ଚର୍ଚ୍ଚାକୁ ମଧ୍ୟ ଆସିଥିଲେ। ସେପଟେ ବେଣୁ କହିଛନ୍ତି କି, ଲୋକଙ୍କ ସ୍ନେହ ଆଦର ମୋର ବଳ। ସେମାନଙ୍କର ପ୍ରତିଟି ସମସ୍ୟା ମୋର ସମସ୍ୟା। ସେଗୁଡ଼ିକୁ ସମାଧାନ କରିବାକୁ ପ୍ରୟାସ କରିବି ବୋଲି ବେଣୁ କହିଛନ୍ତି। 


ସେ ଆହୁରି ମଧ୍ୟ କହିଛନ୍ତି କି ଲୋକମାନଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ମୋର ସମ୍ପର୍କ ମଜବୁତ ରହିଛି। ସେମାନଙ୍କର ଭଲ ପାଇବା ମୋର ପୁଞ୍ଜି। ତାକୁ ନେଇ ମୁଁ ରାଜନୀତିକୁ ଓହ୍ଲାଇଛି। ଏଠାରେ କୌଣସି ଦଳର ଚାଲ କାମ କରିବ ନାହିଁ।  ଲୋକମାନେ ମୋତେ ଭୋଟ ଦେବେ ଓ ବିଜୟୀ କରାଇବେ। ବିଜୟୀ ହେଲେ ମେହନତୀ, ଖଟିଖିଆ ବସ୍ତିବାସିନ୍ଦାଙ୍କ ପାଇଁ ଲଢେଇ କରିବି ବୋଲି ବେଣୁ କହିଛନ୍ତି। ଏହି ଲଢେଇ ଜାରି ରଖିବି ବୋଲି ସେ କହିଛନ୍ତି।