Drainage system, ପୁରୀ: ଅବହେଳା ଓ ଅବ୍ୟବସ୍ଥାର ଆଉ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ରାଜ୍ୟରେ ବର୍ଷକୁ ବନ୍ୟାରେ ଯେତିକି ଲୋକ ମରୁ ନାହାନ୍ତି ତାଠାରୁ ଅଧିକ ଡ୍ରେନରେ ପଡି ମୃତ୍ୟୁ ବରଣ କରୁଛନ୍ତି! ପୁରୀର ମୁକୁଳା ଡ୍ରେନରେ ଖସି ଜଣେ ବ୍ଯକ୍ତିଙ୍କ ମୃତ୍ୟୁ ହୋଇଛି। ରବିବାର ଏଭଳି ହୃଦୟ ବିଦାରକ ଦୃଶ୍ୟ କୁମ୍ଭାରପଡା ଥାନା ପୋଲିସ ଲାଇନ ଛକ ନିକଟରେ ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ପୁରୀ କୁମ୍ଭାରପଡା ଥାନା ପୋଲିସ ଲାଇନ ଛକ ନିକଟ ଡ୍ରେନରେ ତଳମୁହାଁ ହୋଇ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସକାଳୁ ସକାଳୁ ଏଭଳି ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇ ପଠାଇଛି। ମୃତକ ଫୁଲ ସାର୍ଟ ଓ ଫୁଲପ୍ଯାଣ୍ଟ ପିନ୍ଧିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ରହିଥିବା ଜଣାପଡିଛି। ଏଣୁ ଏହା ସୁପରିକଳ୍ପିତ ହତ୍ଯାକାଣ୍ଡ ବୋଲି କେହି କେହି ଅଭିଯୋଗ କରୁଥିବାବେଳେ ଆଉ କେହି ନିଶାଗ୍ରସ୍ତ ଅବସ୍ଥାରେ ମୁକୁଳା ଡ୍ରେନକୁ ଖସିପଡି ସେ ମୃତ୍ୟୁ ବରଣ କରିଥିବା କୁହାଯାଇଛି। 


Also Read: Cement Price Hike: ସ୍ୱପ୍ନ ହୋଇ ରହିଯିବ ଗରିବ ଓ ମଧ୍ୟବିତ୍ତଙ୍କ ସ୍ୱପ୍ନର ଘର!


ତେବେ କୁମ୍ଭାରପଡା ପୋଲିସ ନିକଟରେ ହତ୍ୟା ଅଭିଯୋଗ ହୋଇନାହିଁ। ସେଥିପାଇଁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ସେପଟେ ମୁକୁଳା ଡ୍ରେନକୁ ନେଇ ପୂର୍ବରୁ ଅନେକ ଲୋକ ପ୍ରାଣ ହରାଇଥିବା ନଜିର ରହିଛି। ଏମିତିକି ବାଲିଘାଟ ଛକ ଏକ ମୁକୁଳା ଡ୍ରେନରେ ପଡି ଜଣେ ଛାତ୍ରର ମୃତ୍ୟୁ ଘଟିଥିଲା। ଆଉ ବହୁ ଷଣ୍ଢ ଏବଂ ଗାଇଗୋରୁ ମୃତ୍ୟୁ ବରଣ କରୁଛନ୍ତି। ବାରମ୍ବାର ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ପୁରୀ ପୌରସଂସ୍ଥା ନିଦାବିଷ୍ଣୁ ପାଲଟିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।


ଗତ ମେ ମାସରେ ପୁରୀ ମାର୍କେଟ ଛକ ନିକଟ ଏକ ମୁକୁଳା ଡ୍ରେନ ଭିତରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ କରାଯାଇଥିଲା। ସେ ଡ୍ରେନରେ ପଡି ମୃତ୍ୟୁ ବରଣ କରିଥିବା ଲୋକେ କହିଥିଲେ। ଭୁବନେଶ୍ୱରରେ ତ ଡ୍ରେନରେ ପଡି ଲୋକଙ୍କ ପ୍ରାଣ ଯିବା ଏକ ପ୍ରକାରର ସାମାନ୍ୟ ଘଟଣା ପାଲଟିଗଲାଣି। ବିଏମସିର ଅବହେଳା ଯୋଗୁଁ ଗତ ୭ ବର୍ଷରେ ପ୍ରାୟ ୧୦ରୁ ଅଧିକ ଜୀବନ ଗଲାଣି। ପ୍ରତ୍ୟେକ ଥର ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଉଛି। କିନ୍ତୁ ବର୍ତ୍ତମାନ ମଧ୍ୟ ରାଜ୍ୟର ଅନେକ ସହରରେ ଡ୍ରେନ ଗୁଡିକ ମୁକୁଳା ରହିଛି। ଯାହା ଲୋକଙ୍କ ପାଇଁ ମୃତ୍ୟୁର ଜନ୍ତା ପାଲିଟିଛି।