ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ଯଦି କୌଣସି ହାଟର କଥା ପଡେ ତେବେ ଆପେ ଆପେ ସମ୍ବଲପୁରର ପ୍ରସିଦ୍ଧ କମଲି ବଜାରର ନାଆଟି ଆସିଯିବ। କମଲି ବଜାର ହାଟଟି ସମ୍ବଲପୁରରେ ବେଶ ପ୍ରସିଦ୍ଧ। ତେବେ ଏହି ଐତିହାସିକ କମଲି ବଜାର ହାଟ ସବୁଦିନ ପାଇଁ ଇତିହାସ ହେବାକୁ ଯାଉଛି। କାରଣ ମାଁ ସମଲେଶ୍ବରୀ ମନ୍ଦିର ବିକାଶ ପାଇଁ ଯେଉଁ ସମଲେଇ ଯୋଜନାରେ ୧୦୮ ଏକର ଜମି ଅଧିଗ୍ରହଣ ହୋଇ ଉଚ୍ଛେଦ ହେବ ସେଥିରେ କମଲି ବଜାର ମଧ୍ୟ ଆସୁଛି। 


COMMERCIAL BREAK
SCROLL TO CONTINUE READING

ସମଲେଇ ଯୋଜନାରେ ବିଲୀନ ହେଇଯିବ ୩୦୦ ବର୍ଷ ପୁରୁଣା ସାପ୍ତାହିକ ହାଟ (Weekly Market)  କମଲି ବଜାର। ଏହି ଐତିହାସିକ କମଲି ବଜାର ଆଗକୁ କେବଳ ଇତିହାସ ପୄଷ୍ଠାରେ ସ୍ଥାନ ପାଇବ। କମଲି ବଜାର କେବଳ ଏକ ହାଟ ନୁହେଁ ଏହା ସମ୍ବଲପୁରବାସୀଙ୍କ (Sambalpur) ଭାବାବେଗ ସହ ବେଶ ଜଡ଼ିତ ସ୍ଥାନ। ସମ୍ବଲପୁରରେ ଏକ ଲୋକ କଥା ବେଶ ପ୍ରସିଦ୍ଧି ରହିଛି ଯେ, 'ବିହାଘର ହାଟ କମଲି ବଜାର'। କହିବାକୁ ଗଲେ କମଲିବଜାର ଠାରେ ସବୁ ଜିନିଷ ଗୋଟିଏ ସ୍ଥାନରେ ମିଳିଥାଏ। 


Also Read: ଫିଲ୍ମ ଷ୍ଟାଇଲରେ ବାଲିଗୁଡ଼ା ଜେଲରୁ କଏଦୀ ଫେରାର, ଏମିତି କରିଥିଲା ପ୍ଲାନ୍


ପୂର୍ବରୁ କମଲି ବଜାର (Kamali Bazar) ସପ୍ତାହକୁ ଥରେ ରବିବାର ଦିନ ବସୁଥିଲା। ଏଠାରେ ଘରକରଣା ସାମଗ୍ରୀ ସମେତ ପନିପରିବା, ଲୁଗାପଟା ସହ ସବୁ ବିବାହ ସାମଗ୍ରୀ ବିକ୍ରି ହୋଇଥାଏ। ତେବେ ଲକଡାଉନ (Lockdown) ଯୋଗୁ ଏବେ ଏଠାରେ ପ୍ରତିଦିନ କେବଳ ପରିବା ବଜାର ବସୁଥିବାବେଳେ ପୂର୍ବପରି ରବିବାର ଦିନ ସମ୍ପୂର୍ଣ୍ଣ ବଜାର ବସୁଛି। ଏହି ସପ୍ତାହିକ ବଜାରଟି ରାଜରାଜୁଡା ଅମଳର ପାଖାପାଖି ୩୦୦ ବର୍ଷ ପୁରୁଣା ବୋଲି  ଜଣା ପଡିଥିବା ବେଳେ ସମଲେଇ ଯୋଜନା (Samalei Yojana) ରେ ଅନେକ ପୁରୁଣା ଐତିହ ନଷ୍ଟ ହେଉଥିବାରୁ ଅନେକଙ୍କ ମନରେ ଦୁଃଖ ସହ କ୍ଷୋଭ ପ୍ରକାଶ ପାଇଛି।



କିଛି ବର୍ଷ ପୂର୍ବରୁ କମଲି ବଜାରକୁ ଅଧିକ ବିକଶିତ କରିବା ପାଇଁ ସମ୍ବଲପୁର  ପୌର ପରିଷଦ ଉଦ୍ୟମ କରିଥିଲା। ଏପରି କି ଏଠାକୁ ଗୋଲବଜାର ଅଞ୍ଚଳର ପରିବା ବିକାଳିଙ୍କ ସହ ଉଠାଦୋକାନୀଙ୍କୁ ଆଣି ଦୋକାନ ଖୋଲିବା ପାଇଁ ପ୍ରୟାସ କରାଯାଇଥିଲା। ତେବେ ଏପରି ଉଦ୍ୟମକୁ ନାନା ବିଚାର ବିଭାଗୀୟ ହସ୍ତକ୍ଷେପ ପରେ ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଯାଇଥିଲା। ଏହାସହ କମଲି ବଜାର ଠାରେ ମାର୍କେଟ କମ୍ପେଲେକ୍ସ ମଧ୍ୟ କରାଯାଇଥିଲା। କମଲିବଜାରର ବିକାଶ ପାଇଁ ପ୍ରଶାସନ ଅନେକ ପଦକ୍ଷେପ ନେବା ପରେ ମଧ୍ୟ ଏହା କେବଳ ଏକ ସାପ୍ତାହିକ ବଜାରରେ ରହିଯାଇଛି। 


Also Read: ଜାଣନ୍ତୁ କାଶୀ ବିଶ୍ୱନାଥ କରିଡରର ବିଶେଷତା; ଯାହାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ଅନ୍ୟପକ୍ଷରେ କମଲି ବଜାରକୁ ଆସୁଥିବା ଲୋକ ବଜାର ସାମନାରେ ଥିବା ମା ପାଟମେଶ୍ୱରୀଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ସମ୍ବଲପୁର ସହରର ଅନ୍ୟତମ ଐତିହାସିକ କମଲି ବଜାର ଆଉ କେଇ ମାସ ପରେ ଇତିହାସ ହେବାକୁ ଯାଉଛି। ଏହି ବଜାରରେ ପିଢ଼ି ପିଢ଼ି ଧରି ବ୍ୟବସାୟ କରୁଥିବା ଖୁଚୁରା ବେପାରୀ ଏବେ କେମିତି ପରିବାର ପ୍ରତିପୋଷଣ କରିବେ ସେହି ସମସ୍ୟାରେ ଜର୍ଜରିତ ହେଇଛନ୍ତି। ଯଦି ଏଭଳି ଏକ ଐତିହାସିକ ବଜାରକୁ ସରକାର ସମଲେଇ ଯୋଜନାରେ ଉଚ୍ଛେଦ କରୁଛନ୍ତି ତା ହେଲେ ତାଙ୍କୁ ଅନ୍ୟ କୌଣସି ଯାଗାରେ ଥଇଥାନ କରାଯିବା ପାଇଁ ବେପାରୀ ଦାବି କରିଛନ୍ତି।