ସମ୍ବଲପୁର: ଜିଲ୍ଲାରେ ଅଜଣା ଶବସତ୍କାର କରିବାକୁ ଲୋକ ଖୋଜା ପଡିଲେ ଆଗେଇ ଆସନ୍ତି ସମ୍ବଳ ପରିବାର। ସମ୍ବଲପୁରର ସମ୍ବଳ ଅନୁଷ୍ଠାନ ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ଟି ଶବସତ୍କାର କରିଛନ୍ତି। ଯାହା ଆଜିର ସମାଜ ପାଇଁ ଏକ ବଡ଼ ଉଦାହରଣ। ତେବେ ୫୦୦ତମ ଶବକୁ ସମ୍ବଲପୁର ଜିଲ୍ଲାପାଳ ଏବଂ ଏସପି କେନ୍ଧେଇବା ସହ ମୁଖାଗ୍ନି ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

କଥାରେ ଅଛି ମୃତ୍ୟୁ ଯେପରି ବି ହେଉ ସତ୍କାର କିନ୍ତୁ ନିଜ ପରିବାର ଲୋକଙ୍କ ହାତରୁ ହେଲେ ମୁକ୍ତି ମିଳିଥାଏ। କିନ୍ତୁ ଏହା ସମସ୍ତଙ୍କ ଭାଗ୍ୟରେ ମିଳିନଥାଏ। ଆଉ ଅଜଣା ଶବ କହିଲେ କଥା ସରିଲା! ତାଙ୍କୁ ବା ପଚାରେ କିଏ। ଯେଉଁଠାରେ ଅଜଣା ଶବ ପଡିଥାଏ ଲୋକ ମୁହଁ ମୋଡି ଚାଲି ଯାଇଥାନ୍ତି। ହେଲେ ସମ୍ବଲପୁର ସହରର ସମ୍ବଳ ନାମକ ଏଭଳି ଏକ ଅନୁଷ୍ଠାନ ୫୦୦ ଶବ ସତ୍କାର କରି ମାଇଲଖୁଣ୍ଟ ସ୍ଥାପନ କରିଛି। ଏହା ବ୍ୟତୀତ ୮୯ ଜଣ ଅସହାୟ ମୃତକଙ୍କ ଶେଷକୃତ୍ତ୍ୟ ସମ୍ପନ୍ନ କରିଛନ୍ତି।


Also Read: ୧୭ରେ ଯେମିତି, ୨୨ରେ ସେମିତି; ରାସ୍ତା ପାଇଁ ଭୋଟ ବର୍ଜନ କରିବେ ଗ୍ରାମବାସୀ


ନଭେମ୍ବର ୫ ତାରିଖ ୨୦୧୧ରେ ଦୁଇ ଜଣ ସାଙ୍ଗ ଏକ ଭୋଜି ଖାଇ ଫେରୁଥିବା ସମୟରେ ରାସ୍ତାରେ କୁକୁର ଏକ ଅଜଣା ଶବର ହାତ ଖାଉଥିବାର ଦେଖିଥିଲେ। ସେହି ସମୟରେ ଦୁଇ ସାଙ୍ଗ ତୁରନ୍ତ ଶବର ସମସ୍ତ ସରକାରୀ ବିଧି ପୁରା କରି ତାର ସତ୍କାର କରିଥିଲେ। ପରବର୍ତ୍ତୀ ସମୟରେ ଦୁଇ ସାଙ୍ଗଙ୍କ ଟିମ୍ ସମ୍ବଳ ପରିବାରରେ ପରିଣତ ହେଲା। ଆଉ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏପରି ୫୦୦ ଅଜଣା ଶବ ସତ୍କାର କରିଛି ଏହି ଅନୁଷ୍ଠାନ। ଅନୁଷ୍ଠାନର କର୍ମକର୍ତ୍ତା କୋରୋନା ସମୟରେ ମଧ୍ୟ ଅନେକ ଶବକୁ ସମସ୍ତ ରୀତିନୀତିରେ ସତ୍କାର କରିଛନ୍ତି। 



ଏଥର ଜିଲ୍ଲାପାଳ ଓ ଏସପି ଶବକୁ ସତ୍କାର କରିଥିବା ବେଳେ ଏହା ତାଙ୍କର ଉତ୍ସାହକୁ ଦ୍ୱିଗୁଣିତ କରିବ ବୋଲି ସମ୍ବଳର ସଦସ୍ୟ ପଞ୍ଚାନନ ତ୍ରିପାଠୀ କହିଛନ୍ତି। ୫୦୦ତମ ଅଜଣା ଶବସତ୍କାର କାର୍ଯ୍ୟକ୍ରମରେ ନିଜେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଏସପି ବି. ଗଙ୍ଗାଧର ସାମିଲ ହୋଇ ଥିଲେ। ସେମାନେ ଶବକୁ କାନ୍ଧେଇବା ସହ ମୁଖାଗ୍ନି ମଧ୍ୟ ଦେଇଥିଲେ। ସମ୍ବଳ ଅନୁଷ୍ଠାନର ଏଭଳି ମହତ କାର୍ଯ୍ୟକୁ ଜିଲ୍ଲାପାଳ ଓ ଏସପି ପ୍ରଶଂସା କରିବା ସହ ଆବଶ୍ୟକ ହେଲେ ପ୍ରଶାସନ ପକ୍ଷରୁ ସମସ୍ତ ସାହଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।