ସମ୍ବଲପୁର: ଶନିବାର ବିଶ୍ୱ ଋତୁସ୍ରାଵ ସ୍ୱଚ୍ଛତା ଦିବସ ପାଳନ ହୋଇଛି। ଏହି ଅବସରରେ ସମ୍ବଲପୁର ଏନ.ଗୁହା ଲେନର ରଞ୍ଜିତା ପ୍ରିୟଦର୍ଶନୀ ମହିଳାଙ୍କ ଅଧିକାର ପାଇଁ ସ୍ୱର ଉଠାଇଛନ୍ତି। ମାସିକ ଋତୁସ୍ରାଵ ସମୟରେ ପେଡ ଲିଭ ଦେବା ପାଇଁ ସେ କେନ୍ଦ୍ର ଶ୍ରମମନ୍ତ୍ରୀ ଭୁପେନ୍ଦର ଯାଦବଙ୍କୁ ପତ୍ର ଲେଖିଛନ୍ତି। ଏଥିପାଇଁ ରଞ୍ଜିତା ସର୍ବ ଭାରତୀୟ ସ୍ତରରେ ଅନଲାଇନ ସିଗନେଚର କେମ୍ପେନିଂ ମଧ୍ୟ ଆରମ୍ଭ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ରଞ୍ଜିତା ପ୍ରିୟଦର୍ଶନୀ ଜଣେ ସାମାଜିକ କର୍ମୀ। ନିଜେ ଜଣେ ମହିଳା ହୋଇଥିବାରୁ କର୍ମକ୍ଷେତ୍ରରେ ମାସିକ ଋତୁସ୍ରାଵ ସମୟରେ ହେଉଥିବା ଅସୁବିଧାକୁ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି। ଋତୁସ୍ରାଵ ସମୟରେ ମହିଳା ମାନଙ୍କୁ ଅତି କମ ରେ ଗୋଟିଏ ଦିନ ଛୁଟି ଦେବା ପାଇଁ ସେ ଦାବି ଜଣାଇଛନ୍ତି। ଚାରି ଦିନ ପୂର୍ବେ ରଞ୍ଜିତା ଏକ ଅନଲାଇନ ପିଟିସନ ଦାଖଲ କରିଛନ୍ତି। ଏହା ସହ ସେ ଅନଲାଇନ ଦସ୍ତଖତ ଅଭିଯାନ ବି ଚଳାଇଛନ୍ତି। ବିଶ୍ୱ ଋତୁସ୍ରାଵ ସ୍ୱଚ୍ଛତା ଦିବସରେ ଶତାଧିକ ସମର୍ଥକ ଅନଲାଇନ ସିଗନେଚର କରିଥିବା ରଞ୍ଜିତା କହିଛନ୍ତି।


Also Read: Menstrual Hygiene Day 2022: ସାନିଟାରୀ ନାପକିନକୁ ନା, କପଡା ବ୍ୟବହାର କରନ୍ତି ଅଧା ମହିଳା


ପ୍ରଥମ ବର୍ଷ ଆଇନ ଛାତ୍ରୀ ରଞ୍ଜିତା କହିଛନ୍ତି ଯେ, ସେ ଏକ କମ୍ପାନୀରେ କାମ କରୁଥିବା ବେଳେ ଅନେକ ଥର ମାସିକ ଧର୍ମକୁ ନେଇ ସମସ୍ୟାର ସମ୍ମୁଖିନ ହୋଇଛନ୍ତି। ଋତୁସ୍ରାବ ସମୟରେ ଅସହ୍ୟ ପୀଡା ହୋଇଥାଏ, ଏହା ସତ୍ତ୍ୱେ ମହିଳାଙ୍କୁ ଅଫିସରେ କାମ କରିବାକୁ ପଡେ। ଏହା ଯେ କେବଳ ତାଙ୍କ କ୍ଷେତ୍ରରେ ଘଟିଛି ତାହା ନୁହେଁ, ପ୍ରାୟତଃ ସବୁ କର୍ମଜୀବୀ ମହିଳା ଏହି ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଋତୁସ୍ରାବ ସମୟରେ ଅନ୍ତତଃ ଗୋଟିଏ ଦିନ ପେଡ୍ ଲିଭ୍ ଦିଆଯାଉ ବୋଲି ସେ ତାଙ୍କ ପିଟିସନରେ ଦାବି କରିଛନ୍ତି। 


ସେ ପୁଣି କହିଛନ୍ତି ଯେ, ଭାରତର ଅର୍ଥନୀତିରେ ମହିଳାଙ୍କ ଯୋଗଦାନ ଏକ ତୃତୀୟାଂଶ ରହୁଛି। ଯଦି ସେମାନଙ୍କୁ ଆହୁରି ଅଧିକ ସୁବିଧା ସୁଯୋଗ ଦିଆଯାଏ ତେବେ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବ। ଋତୁସ୍ରାବ ଜନିତ ସମସ୍ୟା କେବଳ ଓଡିଶା ନୁହଁ ସମଗ୍ର ଭାରତର ମହିଳାମାନଙ୍କ। ଯଦି ଦେଶର ୧୨ଟି ଘରୋଇ କମ୍ପାନୀ ତାଙ୍କର ମହିଳା କର୍ମଚାରୀଙ୍କୁ ଅଧ ଦିନ କିମ୍ବା ଦିନେ ପିରିୟଡ ଲିଭ୍ ଦେଉଛନ୍ତି, ତେବେ ଏହା ସମସ୍ତ କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଲାଗୁ କରାଯାଉ ବୋଲି ରଞ୍ଜିତା କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି।