ଭୁବନେଶ୍ଵର: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଶାସକ ଦଳର ମନ୍ତ୍ରୀମାନେ ଉପସ୍ଥିତ ଥିଲେ। କିନ୍ତୁ ବୈଠକରେ ଜଣେ ମଧ୍ୟ କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା। ତେବେ ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଅଧିବେଶନରେ କିପରି ଶୃଙ୍ଖଳାର ସହ ଗୃହକାର୍ଯ୍ୟ ପରିଚାଳିତ ହେବ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ କଂଗ୍ରେସ ଯୋଗ ନ ଦେବାକୁ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି ଯେ, ଏତେ ପୁରୁଣା ଦଳ ହେଲେ ବିଧାୟକ ଦଳ ନେତା ବଛା ହୋଇପାରୁ ନାହିଁ। ଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରୁଛି। ମୋତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନି। ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି ହେଲେ ସେ କହିଲେ ମୋତେ ନିର୍ଦ୍ଦେଶ ଆସିନି।


ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବୈଠକରେ କଂଗ୍ରେସ ଏବଂ ସିପିଏମର ନେତା ସାମିଲ ହୋଇନାହାନ୍ତି। ସେ କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ଦଳର ବିଧାୟକ ଦଳ ନେତା ସ୍ଥିର ହୋଇପାରିନଥିବାରୁ କେହି ବୈଠକରେ ସାମିଲ ହୋଇନାହାନ୍ତି । ସେହିପରି ବାମପନ୍ଥୀ ନେତା ଲକ୍ଷ୍ଣଣ ମୁଣ୍ଡାଙ୍କୁ ମଧ୍ୟ ସେ ଫୋନ୍ କରିଥିଲେ ବୋଲି କହିଛନ୍ତି।