ବାଲେଶ୍ୱର: ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ବାଲେଶ୍ୱର ଜଣେ ସରକାରୀ ବାବୁ ଠକେଇର ଶିକାର ହୋଇଛନ୍ତି। ଜଣେ ବିଦେଶୀ ମହିଳାଙ୍କ ପ୍ରେମଜାଲରେରେ ପଡ଼ି ବାବୁ ଜଣକ ସୋସିଆଲ ମିଡିଆରେ ଅତିଘନିଷ୍ଟ ହୋଇଥିଲେ। ଆଉ ଶେଷରେ ବିଦେଶରୁ ବିଭିନ୍ନ ନାମିଦାମି ଉପହାର ନେବା ଆଶାରେ ୩୦ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିଲେ। ଏହି ଘଟଣା ଦିନେ ବାଲେଶ୍ୱରରେ ଚାଂଚଲ୍ୟ ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ଜାଣିବାକୁ ମିଳିଛି ଯେ, କେବଳ ଜଣେ ନୁହଁ ଏହି ରାକେଟରେ ଏକ ବଡ ଗ୍ୟାଙ୍ଗ କାମ କରୁଛି। ଠକେଇ ମାମଲାରେ ଦିଲ୍ଲୀରୁ ତିନି ଜଣ ବିଦେଶୀଙ୍କୁ ଗିରଫ କରିଥିବା ବାଲେଶ୍ୱର ପୋଲିସ ସୂଚନା ଦେଇଛି।


COMMERCIAL BREAK
SCROLL TO CONTINUE READING

ଗତ ଏପ୍ରିଲ ୧୩ ତାରିଖରେ ବାଲେଶ୍ୱର ସାଇବର ଥାନାରେ ଠକେଇର ଶିକାର ହୋଇଥିବା ସରକାରୀ ବାବୁ ଜଣଙ୍କ ଅଭିଯୋଗ କରିଥିଲେ। ପରେ ପୋଲିସ ୪/୨୨ ନମ୍ବରରେ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା। ଏନେଇ ଚଳିତ ମାସ ୧୧ ତାରିଖରେ ସାଇବର ପୋଲିସ ଦିଲ୍ଲୀସ୍ଥିତ କିସାନଗଡ ଥାନା ଅଂଚଳରୁ ସାମସନ ଏମିକେ ଆଲିକା ନାମକ ଜଣେ ନାଇଜେରିଆନ ଯୁବକଙ୍କୁ ଗିରଫ କରିଥିଲା। ଏହାସହ ପୋଲିସ ସାମସନ ଠାରୁ ଗୋଟିଏ ଜାଲି ପାସପୋର୍ଟ, ଗୋଟିଏ ଅବଧି ଶେଷ ହୋଇସାରିଥିବା ପାସପୋର୍ଟ ସାଙ୍ଗକୁ ଦୁଇଟି ମୋବାଇଲ, ଗୋଟିଏ ଲାପଟପ, ଗୋଟିଏ ଭିସା ଏବଂ ଗୋଟିଏ ନାଇଜେରିଆନ ଭୋଟର କାର୍ଡକୁ ଜବତ କରିଥିଲା। ଏହା ସହ ଅଭିଯୁକ୍ତଙ୍କ ଦିଲ୍ଲୀସ୍ଥିତ ଦୁଇଟି ବ୍ୟାଙ୍କର ଦୁଇଟି ଜମାଖାତକୁ ଅଚଳ କରିଥିଲା। 


Also Read: Odisha Police Recruitment: ରାଜ୍ୟରେ ପ୍ରତିଷ୍ଠା ହେବ ୩୬ ନୂଆ ଥାନା, ୫୬୩ ଜଣଙ୍କୁ ମିଳିବ ନିଯୁକ୍ତି


ଠକେଇ ଘଟଣାରେ ବାଲେଶ୍ୱର ସାଇବର ପୋଲିସକୁ ଆଉ ଏକ ସଫଳତା ମିଳିଛି। ଏହି ଠକାମୀରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ତଥା ଉଭୟର ସ୍ୱାମୀ ଓ ସ୍ତ୍ରୀଙ୍କୁ ଦିଲ୍ଲୀସ୍ଥିତ ମୈଦାନଗଡି ଅଂଚଳରେ ଥିବା ଘର ନମ୍ବର ୨୪୨ର ପ୍ରଥମ ମହଲାରୁ ଗିରଫ କରିଛି। ଗିରଫ ହୋଇଥିବା ସ୍ୱାମୀ ଜଣଙ୍କ ହେଉଛନ୍ତି ନାଇଜେରିଆ ଅଂଚଳର ନୋମାନୀ ଇମାନୁଏଲ ଏବଂ ତାଙ୍କ ପତ୍ନୀ ତଥା ନକଲି କଷ୍ଟମ ଅଫିସର ନାଗାଲାଣ୍ଡ ଅଂଚଳର ଟି ସୁଚୀମ ଠିକିର। ଗିରଫ ସମୟରେ ପୋଲିସ ସେମାନଙ୍କ ଠାରୁ ଦୁଇଟି ସୁନା ଚେନ, ଗୋଟିଏ କାର, ଗୋଟିଏ ମୁଦି, ୮ଟି ମୋବାଇଲ, ଗୋଟିଏ ପାୱାର ବ୍ୟାଙ୍କ, ଦୁଇଟି ଲାପଟପ, ଗୋଟିଏ ଆଧାର କାର୍ଡ, ଗୋଟିଏ ପାସପୋର୍ଟ, ଗୋଟିଏ ଅବଧି ଶେଷ ହୋଇଥିବା ଭିସା ଏବଂ ଗୋଟିଏ ବ୍ୟାଙ୍କ ପାସବୁକକୁ ଜବତ କରିଛି ବୋଲି ଶନିବାର ସାଇବର ଥାନାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆଡିସିନାଲ ଏସପି ଅମରେଶ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। 



ଅନ୍ୟପଟେ ଠକାମୀରେ ଶିକାର ହୋଇଥିବା ଅଭିଯୋଗକାରୀ ଜଣଙ୍କ ସରକାରୀ କର୍ମଚାରୀ ହୋଇଥିବାରୁ ସେ ପୋଲିସଙ୍କୁ ତାଙ୍କ ନାମକୁ ଗୋପନ ରଖିବାକୁ ପୋଲିସକୁ ଅନୁରୋଧ କରିଛନ୍ତି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ଖାତାରୁ ଉଠା ହୋଇଥିବା ୨୪ ଲକ୍ଷ ଟଙ୍କାକୁ ପୋଲିସ ଜବତ କରିନଥିବା ବେଳେ ବ୍ୟାଙ୍କରେ ଥିବା ୬ ଲକ୍ଷ ଟଙ୍କାକୁ ଫ୍ରିଜ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ଏଏସପି ଅମରେଶ କୁମାର ପାଣିଗ୍ରାହୀ କହିଛନ୍ତି। ବିଭିନ୍ନ ସମୟରେ ସରକାରୀ ଅଧିକାରୀଙ୍କୁ ଫେସବୁକ ଓ ସୋସିଆଲ ମିଡିଆରେ ଚାଟ କରି ହନିଟ୍ରାପ ମାଧ୍ୟମରେ ଦୁଇ ଲକ୍ଷ, ତିନି ଲକ୍ଷ କରି ମୋଟ ୩୦ ଲକ୍ଷ ଟଙ୍କା ଠକେଇ କରିଥିଲେ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଇବର ଥାନା ଅଧିକାରୀ ମୀନା ବିନ୍ଧାଣୀ, ଏସଆଇ ମାନସ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏଏସଆଇ ନରହରି ମହାଳିକ, କନେଷ୍ଟବଳ ଜତୀନ ଦାସ, ବିନୋଦ କର ପ୍ରମୁଖଙ୍କ ସହ ଅନ୍ୟମାନେ ଦିଲ୍ଲୀ ଠାରେ ଚଢ଼ାଉ କରି ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। 


Also Read: Naveen Patnaik Viral Video: ଓଡ଼ିଶାର ବନ୍ୟା ଦେଖି ତାଳି ମାରୁଛନ୍ତି ମୁଖ୍ୟମନ୍ତ୍ରୀ!


ସୂଚନାନୁସାରେ, ବାଲେଶ୍ୱର ବାଲିଆ ଅଂଚଳରେ ରହୁଥିବା ଜଣେ ସରକାରୀ ଅଧିକାରୀ ବ୍ରିଟେନର ଜଣେ ମହିଳାଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ବନ୍ଧୁତା କରିଥିଲେ। ପରେ ସେ ସେହି ବିଦେଶୀ ମହିଳାଙ୍କ ସହ ସୋସିଆଲ ମିଡିଆ ଫେସବୁକ ମେସେଞ୍ଜର, ହ୍ୱାଟସଅପ ମାଧ୍ୟରେ ଚାଟିଂ କରୁଥିଲେ। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ବିଦେଶୀ ମହିଳା ଜଣଙ୍କ ଉକ୍ତ ସରକାରୀ ବାବୁଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥିଲେ। ଏପରିକି ବିଦେଶରୁ ତାଙ୍କ ପାଇଁ ରୋଲେକ୍ସ ଘଂଟା ସମେତ ଆଇଫୋନ, ସୁନାଗହଣା ପଠେଇବା ପାଇଁ କହିଥିଲେ। ତେବେ ସରକାରୀ ଅଧିକାରୀ ଜଣଙ୍କ ଜାଣିପାରି ସାଇବର ଥାନାରେ ଦ୍ୱାରସ୍ତ ହୋଇଥିଲେ। ପୋଲିସ ମୋଟ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏବେ ମଧ୍ୟ ମାମଲାର ତଦନ୍ତ ଜାରି ରହିଛି।