Anup Sai get Bail: ଡବଲ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏଙ୍କୁ ଜାମିନ ପ୍ରଦାନ କରିଛନ୍ତି ଛତିଶଗଡ଼ ହାଇକୋର୍ଟ। ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨ ଏବଂ ୨୦୧ ଅନୁଯାୟୀ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ରାୟଗଡ଼ ସେସନ୍ସ ଜଜ ଧାରା ୧୨୦ବି ଅନୁଯାୟୀ ୭ ବର୍ଷ ପାଇଁ ଦଣ୍ଡିତ କରିଛନ୍ତି। ବର୍ତ୍ତମାନ ହାଇକୋର୍ଟ ଅଭିଯୁକ୍ତଙ୍କୁ କଡା ସର୍ତ୍ତରେ ଜାମିନ ପ୍ରଦାନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତ ୨୦୨୦ ଫେବୃଆରୀ ୧୩ ତାରିଖରେ ଛତିଶଗଡ ପୋଲିସ ଅନୁପ ସାଏଙ୍କ ସହ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ କଳ୍ପନା ଦାସ ଏବଂ ତାଙ୍କ ଝିଅ ବବଲିଙ୍କ ହତ୍ୟା ମାମଲାରେ ଗିରଫ କରିଥିଲା। ଉଭୟ ମାଆ ଝିଅଙ୍କୁ ୨୦୧୬ ମେ ୫ ତାରିଖରେ ହତ୍ୟା କରାଯାଇଥିଲା। ରାଜ୍ୟର ରାୟଗଡ ଜିଲ୍ଲାର ହମିରପୁର ଜଙ୍ଗଲ ନିକଟରୁ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲା ଛତିଶଗଡ଼ ପୋଲିସ। ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦର୍ଶାଇଥିଲା ଯେ ଏକ ସଡ଼କ ଦୁର୍ଘଟଣାର ରୂପ ଦେବା ପାଇଁ ମୃତଦେହ ଉପରେ ଏକ ଗାଡି ଚଢ଼ା ଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। 


ପ୍ରଥମେ ମୃତ କଳ୍ପନାଙ୍କ ମୋବାଇଲ୍ ଫୋନ୍ ଚିହ୍ନଟ କରାଯାଇଥିଲା ଏବଂ ପରେ କଲ ଡିଟେଲ୍ସ ଉପରେ ହୋଇଥିବା ଯାଞ୍ଚରୁ ସନ୍ଦେହ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଆଡକୁ ଯାଇଥିଲା। ଏହା ପରେ ପୋଲିସ ୨୦୧୭ ରେ ପୂର୍ବତନ ବିଧାୟକଙ୍କ ବିରୋଧରେ ପ୍ରମାଣ ପାଇଥିଲା। ହେଲେ ତାଙ୍କୁ ଗିରଫ କରିବାକୁ ୩ ବର୍ଷ ସମୟ ଲାଗି ଯାଇଥିଲା। ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଆଇପିସି ଧାରା ୩୦୨, ୨୦୧, ୧୨୦ ବି ଏବଂ ୩୪ ଅନୁଯାୟୀ ଗିରଫ କରାଯାଇଥିଲା। 


ଗତ ୨୦୨୦ ବର୍ଷରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। କୋର୍ଟ ଏହି ଘଟଣାରେ ୫୦ ଜଣ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିଥିଲେ। ସାକ୍ଷୀଙ୍କ ବୟାନ ଆଧାରରେ ପୂର୍ବତନ ବିଧାୟକଙ୍କୁ ଏହି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ହେଲେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ସମସ୍ତ ସାକ୍ଷ୍ୟ ପ୍ରମାଣ ଅଭାବରେ ନିର୍ଦୋଷରେ ଖଲାସ କରାଯାଇଥିଲା। ହେଲେ ବର୍ତ୍ତମାନ ଅନୁପ ସାଏଙ୍କୁ କଡ଼ା ସର୍ତ୍ତରେ ଜାମିନ ଛତିଶଗଡ଼ ହାଇକୋର୍ଟ ଜାମିନ ପ୍ରଦାନ କରିଥିବାର ସୂଚନା ମିଳିଛି।