ସୁଜିତ ବିଷୋୟୀ, ଗଜପତି: ପଦାରେ ପଡିଲା ଚଞ୍ଚକତା! ଗିରଫ ହେବେ ବ୍ଳକ ଉନ୍ନୟନ ଅଧିକାରୀ ଓ ଥାନା ବାବୁ। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ରୁଜୁ ହେଲା ମାମଲା। ଅଡବା ଥାନାରେ କାଜୁ ସହ ଗଞ୍ଜେଇ ବୋଝେଇ ଟ୍ରକ ଜବତ ଘଟଣାରେ ଅଦାଲତଙ୍କ ନିର୍ଦ୍ଦେଶକୁ ଅଭିଯୁକ୍ତମାନେ ଖୋଲା ଖୋଲି ଅବମାନନା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଜବତ କାଜୁକୁ ସାଧାରଣରେ ନିଲାମ କରି କୋର୍ଟରେ ଜମା ଦେବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ନିଲାମ ପ୍ରକ୍ରିୟା ନିୟମର ଖୁଲମଖୁଲା ଉଲଙ୍ଘନ କରି ଚାଞ୍ଚକତାର ସହ ସମସ୍ତ ଜବତ କାଜୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଓ ଦୌରାଜଜ କହିଛନ୍ତି।


ସୂଚନା ପ୍ରକାରେ ଗତ ଅଗଷ୍ଟ ୨୪ ତାରିଖରେ ଅଡବା ଥାନା ଅଧୀନରେ ଏକ ଗଞ୍ଜେଇ ସହ ଚୋପା ବିହିନ କାଜୁ ବୋଝେଇ ଗାଡ଼ିକୁ ଜବତ କରାଯାଇଥିଲା। ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ ପରେ ଜବତ କାଜୁକୁ ସର୍ବସାଧାରଣ ନିଲାମ କରିବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଜବତ କାଜୁର ମୂଲ୍ୟ ୬୭ ଲକ୍ଷ ଟଙ୍କା ହୋଇଥିବା ବେଳେ ଅତି ଚାଞ୍ଚକତା କରି ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ମାନ୍ୟବର ଅଦାଲତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। 


ଅଧିକ ପଢନ୍ତୁ- ମୃତ୍ୟୁର ସୌଦାଗରକୁ ଧରିବାକୁ ଯାଇଥିବା NCB ଅଧିକାରୀଙ୍କୁ ମାଡ


ଅତିରିକ୍ତ ଏସପି ସିତାରାମ ଶତପଥୀଙ୍କୁ ତଦନ୍ତ କରାବାକୁ ଦାୟିତ୍ଵ ଦିଆଯାଇଥିଲା। ତେବେ ପ୍ରାଥମିକ ତଦନ୍ତରୁ ଏଥିରେ ଅନିୟମିତତା ଦେଖା ଦେଇଥିବାରୁ ଏଥିରେ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀ SI ଆଲୋକ ରଞ୍ଜନ ଜଗଦଲାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପୂର୍ବତନ ଥାନାଧିକାରୀ ତପନ କୁମାର ପତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।


ତେବେ ଅଦାଲତଙ୍କ ନିର୍ଦ୍ଦେଶ ପରେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ମଧ୍ୟରେ ମୋହନା ବିଡିଓ ବଂଶୀଧର ଖୋସଲା, ପୁର୍ବତନ ଅଡବା ଥାନାଧିକାରୀ ତପନ କୁମାର ପତି, ମୋହନା ଯୋଗାଣ ନିରୀକ୍ଷକ ଶଙ୍କର ବେହେରାଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ପରେ ଏହାର ତଦନ୍ତ ଭାର ରା.ଉଦୟଗିରି SDPO ଦିଲୀପ କୁମାର ନାୟକଙ୍କୁ ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଗଜପତି ଜିଲ୍ଲା ଏସ୍ପି ତପନ କୁମାର ପଟ୍ଟନାୟକ କହିଛନ୍ତି ।