Health Officer: ଗଞ୍ଜାମ: ଗଞ୍ଜାମରେ ସ୍ୱାସ୍ଥ୍ୟସେବା ଉପରେ ଉଠିଛି ଅଙ୍ଗୁଳି। ଜିଲ୍ଲାରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ମଦ ପିଇବାର ଦୃଶ୍ୟ ଭାଇରାଲ ହେବା ପରେ ଏଭଳି ପ୍ରଶ୍ନ ସୃଷ୍ଚି ହୋଇଛି। ତେବେ ଏହା ମିଛ ବୋଲି ଉକ୍ତ ଅଧିକାରୀ ଜଣକ ରାଣ ଖାଇ କହିଛନ୍ତି। ଉକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଜଣକ କହିଛନ୍ତି କି ମୋ ପୁଅ ରାଣ ପକାଉଛି, ସେ ମଦ ମୁଁ ଜୀବନରେ କେବେ ପିଇନି। ଫଟୋରେ ମୁଁ ମଦ ପିଉଥିବା ଦେଖାଯାଉଛି ସତ, ହେଲେ ଏ ମଦ ମୁଁ କେବେବି ପିଇନି। ଯେକୌଣସି ଭଗବାନଙ୍କ ରାଣ ପକାଇବାକୁ କହିଲେ ବି ମୁଁ ପକାଇବି। ଗଞ୍ଜାମ ଜିଲ୍ଲାରେ କାମ କରୁଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଅଫିସ ଭିତରେ ମଦ ପିଇବାର ଫଟୋ ଏବେ ଭାଇରାଲ୍ ପରେ ସମ୍ପୃକ୍ତ ଅଧିକାରୀ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ନିମନ୍ତେ ଏଭଳି ରାଣ ଖାଇଛନ୍ତି। ଏହାକୁ ନେଇ ସାରା ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ଖବର ଅନୁଯାୟୀ ଏନଏଚଏମ ଅଧିନରେ ଥିବା ରାଷ୍ଟ୍ରୀୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରୀୟ କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଆସିଷ୍ଟାଣ୍ଟ ମ୍ୟାନେଜର ସନ୍ଦୀପ ତ୍ରିପାଠୀ ଅଫିସ୍‌ ଭିତରେ ନିଜ ଚେୟାର ଉପରେ ବସି ମଦ ପିଉଥିବା ଓ ଡ୍ରରେ ମଦ ବୋତଲ ରଖିଥିବା ଭିଡ଼ିଓ ସହ ଫଟୋ ଭାଇରାଲ ହୋଇଛି। ସେ ଯେ କେବଳ ଅଫିସ ଭିତରେ ମଦ ପିଉଛନ୍ତି ତାହା ନୁହେଁ, ବିଭିନ୍ନ ମହିଳା କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର କରି ଗାଳିଗୁଳଜ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ସେ ଅନ୍ୟ ପୁରୁଷ ସହକର୍ମୀଙ୍କୁ ମଧ୍ୟ ଗାଳିଗୁଳଜ କରୁଥିବାର ଅଭିଯୋଗ ଆସିଛି।


ସେପଟେ RBSK/RKSKର ଆସିଷ୍ଟାଣ୍ଟ ମ୍ୟାନେଜର ସନ୍ଦୀପ ତ୍ରିପାଠୀଙ୍କ ଏଭଳି ମଦ ପିଇବା ଏବଂ ଅଶାଳୀନ ବ୍ୟବହାରକୁ ନେଇ ଗଞ୍ଜାମ ସିଡିଏମ୍ଓ ଅବଗତ ଥିବା କହିଛନ୍ତି। ତାଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ସେ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମ୍ଓ କହିଛନ୍ତି। ତେଣେ ଆଜି ଏ ସମ୍ପର୍କରେ ୨୫ ଜଣଙ୍କ କର୍ମଚାରୀଙ୍କୁ ତଦନ୍ତକାରୀ କମିଟି ଏ ବାବଦରେ ପଚରାଉଚରା କରାଯାଉଛି।


ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଅଧିକାରୀ ସନ୍ଦୀପ ତ୍ରିପାଠୀ। ସେ କେବେ ବି ଅଫିସ୍ ସମୟ ଭିତରେ ଅଫିସ୍ ଭିତରେ ମଦ ପିଅନ୍ତି ନାହିଁ କିମ୍ବା କାହାକୁ ଅଶାଳୀନ ବ୍ୟବହାର କରିନାହାନ୍ତି ବୋଲି ସନ୍ଦୀପ କହିଛନ୍ତି। ଫଟୋରେ ଦେଖାଯାଉଥିବା ମଦ ସେ ପିଇ ନାହାନ୍ତି, ଏ ବାବଦରେ ସେ ତାଙ୍କ ପୁଅ ଓ ଭଗବାନଙ୍କ ରାଣ ମଧ୍ୟ ପକାଇ ପାରନ୍ତି ବୋଲି ମଧ୍ୟ କହିଛନ୍ତି। ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି ଓଲଟା ଅଭିଯୋଗ କରିଛନ୍ତି।