ଭୁବନେଶ୍ୱର: ଇଏ ଏପରି ଏକ ସ୍ପର୍ଶକାତର ଘଟଣା, ଯାହା ରାଜ୍ୟର ଦୁର୍ବଳ ଆଇନଶୃଙ୍ଖଳା ପରିସ୍ଥିତିକୁ ତ ପଦାରେ ପକାଇଛି, ତା ଛଡ଼ା ରାଜ୍ୟରେ ସାମ୍ବାଦିକ ବୃତ୍ତିରେ ଥିବା ବ୍ୟକ୍ତିବିଶେଷଙ୍କ ଜୀବନ ମଧ୍ୟ ବିପନ୍ନ ବୋଲି ପୁନର୍ବାର ପ୍ରମାଣିତ କରିଛି । ତେବେ କ'ଣ ସେ ଘଟଣା, ଯାହା ଏବେ ସାରା ରାଜ୍ୟର ଗଣମାଧ୍ୟମ ଜଗତକୁ ମୁଖର କରିଛି । ଏକ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟରତ ଥିଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡ଼ିପୋଖରୀ ଅଞ୍ଚଳର ମାନସ ସ୍ୱାଇଁ । କୁହାଯାଉଛି, ନିଜ ପେଶା ପ୍ରତି ଶତ ପ୍ରତିଶତ ସମର୍ପିତ ଥିଲେ ମାନସ । ବରଂ କୁହାଯାଉଛି, ଏହାଠାରୁ କୁଆଡ଼େ କିଛି ଅଧିକ ପ୍ରତିଶତ ବି ଥିଲେ ସମର୍ପିତ । ତେବେ ଅତି ଲେମ୍ବୁ ଚିପୁଡ଼ିଲେ ପିତା ପରି ମାନସଙ୍କ ଅତି ନିଶା ତାଙ୍କ ପାଇଁ ଘାତକ ସାଜିଲା । ନିଜ ପ୍ରଫେସନ ବ୍ୟତୀତ ଅନ୍ୟ ଯେଉଁ କାମରେ ହାତ ଦେଇଥିଲେ ସେ, ତାହା ହିଁ ସାଜିଲା ତାଙ୍କ ମୃତ୍ୟୁର କାରଣ । ତେବେ କ'ଣ ସେ କାମ ଏ ଘଟଣା ଉପରୁ ପରଦା ଉଠିବା ଆହୁରି ବାକି ଅଛି ।


COMMERCIAL BREAK
SCROLL TO CONTINUE READING

ଫେବ୍ରୁଆରୀ ମାସ ୭ ତାରିଖ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳକୁ ଏକ ବିବାହ ଉତ୍ସବର ସୁଟିଂ ପାଇଁ ଯାଇଥିଲେ ମାନସ । ନ୍ୟୁଜ୍ ପୋର୍ଟାଲ ଚାକିରୀର ରୋଜଗାର ଯଥେଷ୍ଟ ହେଉ ନ ଥିବାରୁ ସେ ବିଭିନ୍ନ ସାମଜିକ ଅନୁଷ୍ଠାନର ଭିଡିଓ ସୁଟ୍ କରୁଥିଲେ । ବରଂ କୁହାଯାଇ ପାରିବ, ତାହା ହିଁ ଥିଲା ତାଙ୍କ ଆୟର ମୁଖ୍ୟ ସ୍ରୋତ ଏବଂ ନ୍ୟୁଜ୍ ପୋର୍ଟାଲ ଥିଲା ଏକ୍ସଟ୍ରା । ଦିନ ସାରା ବିବାହ ସୁଟିଂରେ ବ୍ୟସ୍ତ ରହିବା ପରେ ରାତିରେ ଘରକୁ ଫେରୁଥିଲେ ମାନସ । ହେଲେ ଭାଗ୍ୟଦେବୀ ତାଙ୍କ ଉପରେ ସଦୟ ହୋଇ ନଥିଲେ । ଆଉ ପରିଣାମ ସ୍ୱରୁପ ଘରକୁ ଫେରିବା ବେଳେ ବାଟରେ ରହସ୍ୟଜନକ ଭାବରେ ମାନସ ହୋଇଥିଲେ ଅପହୃତ । ଅପହରଣ କରିବା ପରେ ମାନସଙ୍କୁ ଭୁବନେଶ୍ୱର ନେଇଥିଲେ ଅପହରଣକାରୀ । ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ଭିଆଇ ନିଜ ଶାତିର ଦିମାଗ ଚଳାଇଥିଲେ ଅପରାଧୀ । ମୃତଦେହ ପୋତିବାକୁ ନିଆଯାଇଥିଲା ନୟାଗଡ଼ ଜିଲ୍ଲା ରାଜସୁନାଖଳା । ସ୍ଥାନୀୟ ବଧିପାଟଣା ପାହାଡ଼ ତଳକୁ ନେଇ ପୋତି ଦେଇଥିଲେ ଦୁର୍ବୃତ୍ତ । ଏକ ବୋଲେରୋ ଦ୍ୱାରା ତାଙ୍କୁ ପାହାଡ଼ ତଳକୁ ନିଆ ଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ମାନସଙ୍କ ସନ୍ଧାନ ପାଇ ନଥିଲେ ।


ମାର୍ଚ୍ଚ ମାସ ୧୨ ତାରିଖ । ବିତି ଯାଇଥିଲା ଘଟଣାର ଏକମାସରୁ ଅଧିକ ସମୟ । ପୋଲିସ ସ୍ଥାନୀୟ ଲୋକ ଏବଂ ନିଜସ୍ୱ ସୋର୍ସରୁ ଖବର ପାଇଥିଲା ବଧିପାଟଣା ପାହାଡ଼ ତଳେ ଏକ ମୃତଦେହକୁ ପୋତାଯାଇଛି ।ପୋଲିସ ପୋତା ଯାଇଥିବା ସ୍ଥାନକୁ ଖୋଳି ମାନସ ସ୍ୱାଇଁଙ୍କ ମୃତଦେହକୁ ବାହାର କରିଥିଲା । ଆଉ ଖବର ପାଇ ତାଙ୍କ ପରିବାର ଲୋକ ଆସି ଏହାକୁ ଚିହ୍ନଟ କରିଥିଲେ । ଏହାପରେ ପରିବାର ଲୋକେ ପ୍ରଥମେ ରଣପୁର ତା' ପରେ ଭୁବନେଶ୍ୱର (Bhubaneswar)  ଏବଂ ଶେଷକୁ ଚାନ୍ଦବାଲି ଥାନାରେ ଗତ ମାସ ୧୪ ତାରିଖ ଅଭିଯୋଗ କରିଥିଲେ । ହେଲେ ପ୍ରଥମରୁ ପୋଲିସ ମାନସଙ୍କୁ ଖୋଜିବାରେ ଅବହେଳା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।


ତେବେ ଏହି ବୋଲେରୋକୁ ଖିଅ କରି ଆଗେଇଥିଲା ପୋଲିସର ତଦନ୍ତ । ଘଟଣା ଦିନ କିଏ କିଏ ମାନସଙ୍କ ସହ ଯାଇଥିଲେ, ତାକୁ ତଦନ୍ତ ପରିସରଭୁକ୍ତ କରିଥିଲା ପୋଲିସ । ଏହାପରେ ସେହି ଦିଗକୁ ନେଇ ଆଗେଇଲା ପୋଲିସର ତଦନ୍ତ । ତଦନ୍ତ ବେଳେ ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକକୁ ସନ୍ଦେହ କରିଥିଲା ପୋଲିସ । କାରଣ ବିଭିନ୍ନ ସମୟରେ ତା'ର ବୟାନରେ ତାଳମେଳ ରହୁ ନ ଥିଲା । ଫଳରେ ଭାଗ୍ୟଧରକୁ କଷ୍ଟୋଡିକୁ ନେଇ ପଚରାଉଚରା କଲା ପୋଲିସ । ଆଉ ଜେରା ସମୟରେ ସବୁ ସତକଥା ଓଗାଳିଥିଲା ଭାଗ୍ୟଧର । ଏହାପରେ ଧିରେ ଧିରେ ଖୋଲିଥିଲା ଏହି ଅପହରଣ ଓ ହତ୍ୟା ଅପରାଧର ଗୋଟିକ ପରେ ଗୋଟିଏ କଡ଼ି । ଭାଗ୍ୟଧରକୁ ନେଇ ମାନସଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ନେଇଥିଲା ପୋଲିସ । ଗତ ୧୨ ତାରିଖ ଦିନ ମାଟି ଖୋଳି ଉଦ୍ଧାର କରିଥିଲା ମାନସଙ୍କ ମୃତଦେହ ।


ଏପର୍ଯ୍ୟନ୍ତ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଥାନା ଧମଡ଼ା ଗାଁ'ର ବିବେକ ନାୟକ ଏବଂ ପୁରୁଣା ଭୁବନେଶ୍ୱରର ବାସିନ୍ଦା ମୋହରିର କୃଷ୍ଣଚନ୍ଦ୍ର ନାୟକ । ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଏବଂ ଗ୍ରାମବାସୀ । ତେବେ ସେ କାମ କରୁଥିବା ୱେବ୍ ପୋର୍ଟାଲର ମାଲିକାଣୀ ଏ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ କରିଛନ୍ତି ମାନସଙ୍କ ପରିବାର ।


ସମ୍ପୂର୍ଣ୍ଣା ନାମକ ଏକ ୱେବ୍ ପୋର୍ଟାଲରେ କାମ କରୁଥିଲେ ମାନସ ସ୍ୱାଇଁ । ଦାୟିତ୍ୱ ଥିଲା ଜଣେ କ୍ୟାମେରାମ୍ୟାନର । ଯେଉଁଠି ବି କିଛି ଖବର ଘଟୁଥିଲା ତୁରନ୍ତ ତାକୁ କଭର କରିବାକୁ ପହଞ୍ଚି ଯାଉଥିଲେ ମାନସ । ହେଲେ ତାଙ୍କର ପ୍ରଖର ମସ୍ତିଷ୍କ ହିଁ ତାଙ୍କ ପାଇଁ କାଳ ହେଲା । କୁହାଯାଉଛି, ନିଜ ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କିଛି ଆପତ୍ତିଜନକ ଭିଡିଓ ମାନସଙ୍କ ପାଖରେ ଥିଲା । ମାନସ କୁଆଡ଼େ ଏକ ମେମୋରୀ ଚିପରେ ସମ୍ପୃକ୍ତ ଭିଡିଓକୁ ଗୋପନରେ ରଖିଥିଲେ । ବର୍ତ୍ତମାନ ଚର୍ଚ୍ଚା ହେଉଛି ସେହି ଭିଡିଓ ହିଁ ମାନସଙ୍କ ମୃତ୍ୟୁର କାରଣ । ତେବେ ସେ ଭିଡିଓ କ'ଣ ? ତା'ର କଣ୍ଟେଣ୍ଟ ବା କ'ଣ ? ମାନସଙ୍କ ପାଖକୁ ସେ ଭିଡିଓ ଆସିଲା କେମିତି ? ଇଏ ଏବେ ଲକ୍ଷେ ଟଙ୍କାର ପ୍ରଶ୍ନ । କାରଣ ଏହି ପ୍ରଶ୍ନର ଉତ୍ତରରେ ହିଁ ଛପି ରହିଛି ମାନସ ସ୍ୱାଇଁ ମୃତ୍ୟୁ ରହସ୍ୟ । କୁଆଡ଼େ ଏହି ଆପତ୍ତିଜନକ ଭିଡିଓ ପାଇଁ ମାନସଙ୍କୁ ରାସ୍ତାରୁ ସଫା କରିବା ପାଇଁ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ  ବ୍ଲୁ ପ୍ରିଣ୍ଟ ରଚିଥିଲେ। ଦେଖାଯାଉ, ପୋଲିସ କେବେ ସନ୍ଦିଗ୍ଧ ଅପରାଧୀ ସେହି ୱେବ ପୋର୍ଟାଲ ମାଲିକାଣୀଙ୍କୁ ଧରିବାରେ ସଫଳ ହେଉଛି ।


Also Read: ଡକାୟତ ଟିକାୟତ !


Also Read: 'କାଶ୍ମୀର ଫାଇଲ୍ସ' ଫିଲ୍ମ ବନାଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା 'Y' କ୍ୟାଟେଗୋରି ସୁରକ୍ଷା