NIA raid on terror funding case, ନୂଆଦିଲ୍ଲୀ: ଆକ୍ସନ ମୁଡରେ ଆସିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA। ଆତଙ୍କବାଦୀ ଗତିବିଧିରେ ସାମିଲ ବ୍ୟକ୍ତିଙ୍କୁ NIA ସାବାଡ କରୁଛି। ଏଥିପାଇଁ ଦେଶବ୍ୟାପୀ ଚଢାଉ ଜାରି ରଖିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟେରର ଫଣ୍ଡିଂ (ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ) ମାମଲାରେ ଦେଶର ୧୧ଟି ରାଜ୍ୟରୁ ଶତାଧିକ ଲୋକଙ୍କୁ ଗିରଫ କରାଯାଇଛି। ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। କେବଳ କେରଳରେ ୫୦ରୁ ଊର୍ଦ୍ଧ୍ୱ ସ୍ଥାନରେ NIA ରେଡ୍ କରିଥିବା ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ଦେଶରୁ ଆତଙ୍କବାଦୀଙ୍କୁ ସମୁଳେ ନାଶ କରିବା ପାଇଁ NIA ଯେପରି ପଣ କରିଛି। ଗତ କଛି ମାସ ହେବ କାଶ୍ମୀରରୁ କନ୍ୟାକୁମାରୀ ଓ ମଣିପୁରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ସବୁଠି NIA ଚଢାଉ କରୁଛି। ଟେରର ଫଣ୍ଡିଂ ମାମଲାର ପର୍ଦ୍ଦାଫାସ କରିବା ପାଇଁ NIA ଏହି ଅଭିଯାନ ଚଳାଇଛି। ନିକଟରେ କେରଳର ପ୍ରାୟ ୫୦ଟି ସ୍ଥାନରେ ରେଡ କରାଯାଇଛି। ବିହାର ଓ ତେଲେଙ୍ଗାନାରେ ମଧ୍ୟ NIA ଚଢାଉ କରିଛି। ଦେଶବ୍ୟାପୀ ଚଢାଉ କରି PFI ସହିତ ଜଡିତ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଛି। ବିଶେଷ କଥା ହେଉଛି ଏହି ଅଭିଯାନରେ ତଦନ୍ତକାରୀ ସଂସ୍ଥା ସହିତ ଇଡିର ଏକ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି। 


Also Read: Political Party fund: ଚାନ୍ଦା ଉପରେ ଲାଗିବ ଲଗାମ, ଅଙ୍କୁଶ ପାଇଁ ଚିଠି ଲେଖିଲେ କମିଶନର


କୁହାଯାଉଛି ଯେ, NIAର ତଦନ୍ତ ପରିସର ଆହୁରି ବଢିପାରେ। ବର୍ତ୍ତମାନ ଦେଶର ୧୧ଟି ରାଜ୍ୟରେ NIAର ରେଡ୍ ଚାଲିଛି। କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, ୟୁପି, ବିହାର ଏବଂ ମଧ୍ୟପ୍ରଦେଶରୁ PFIର ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରାଯାଇଛି। NIA ଟାର୍ଗେଟରେ ବିଶେଷ କରି PFI କାର୍ଯ୍ୟାଳୟ ରହିଛି। କେରଳର ମଞ୍ଜେରୀସ୍ଥିତ PFI ଚେୟାରମ୍ୟାନ୍ ଓଏମଏ ସଲାମଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। ବିଳମ୍ବିତ ରାତିରେ ରେଡ୍ କରାଯାଇଥିଲା। ସେପଟେ NIAର କାର୍ଯ୍ୟାନୁଷ୍ଠାନକୁ PFI କର୍ମଚାରୀମାନେ ବିରୋଧ କରୁଛନ୍ତି।


ଚଢାଉ ବେଳେ NIA ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। NIA ପକ୍ଷରୁ କୁହାଯାଇଛି ଯେ, ଏହି ଚଢାଉ ସମୟରେ ଅନେକ ଡିଜିଟାଲ ଉପକରଣ, କାଗଜପତ୍ର ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ବୟାନ ଆଧାରରେ କେରଳ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରାଯାଉଛି। ଟେରର ଫଣ୍ଡିଂ ମାମଲାରେ ଗିରଫ ସଂଖ୍ୟା ଆହୁରି ବଢିବ ବୋଲି ବିଶ୍ୱାସ କରାଯାଉଛି। ଏହାପୂର୍ବରୁ NIA ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ କରି ପ୍ରାୟ ୪୦ ଜଣଙ୍କୁ ଉଠାଇ ନେଇଥିଲା।