ଫୁଲବାଣୀ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ। ମଙ୍ଗଳବାର ଫିରିଙ୍ଗିଆ ଥାନା ସାଡୀଙ୍ଗିଆ ପଞ୍ଚାୟତରେ ରାସ୍ତା କାମରେ ଲାଗିଥିବା ଗାଡି ପୋଡିଥିଲେ। ବୁଧବାର ସେହି କିଆମୁଣ୍ଡା ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ କିଆମୁଣ୍ଡା ଗାଁର ପ୍ରିୟରଞ୍ଜନ କହଁର ଓରଫ ପିଙ୍କୁ ବୋଲି ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ବୁଧବାର କିଆମୁଣ୍ଡା ଗାଁ ନିକଟରେ ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ସମ୍ପୃକ୍ତ ଠିକା ସଂସ୍ଥାର ଦୁଇଟି ଜେସିବି ପୋଡିଦେଇବା ସହ ସ୍ଥାନୀୟ ଅଂଚଳର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇଣ୍ଡ (Landmines) ଖଞ୍ଜି ଥିଲେ। ପ୍ରିୟରଞ୍ଜନ କହଁର ଗୁରୁବାର ଗାଈ ଚରାଇବାକୁ ଯାଇଥିବା ବେଳେ ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସିଥିଲେ। ଆଉ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨୨ବର୍ଷିୟ ପ୍ରିୟରଞ୍ଜନଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ଓ ବୋମା ନିଷ୍କ୍ରୀୟକାରୀ ଦଳ ଘଟାଣାସ୍ଥଳରେ ପହଞ୍ଚି ତନାଘନା କରୁଥିବା ଜଣାପଡିଛି। 


Also Read: Weather Updates : ଆଜିଠୁ ରାଜ୍ୟରେ ବର୍ଷା, ୨୨ ଜିଲ୍ଲାକୁ ସତର୍କତା


ଅନ୍ୟପଟେ ମଙ୍ଗଳବାର ସାଡ଼ିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ନିକଟରେ ମାଓବାଦୀମାନେ (Maobadi) ରାସ୍ତା କାମରେ ନିୟୋଜିତ ୨ଟି ଜେସିବି ଜାଳିଲା ପରେ ଘଟଣା ସ୍ଥଳରେ ପୋଲିସ ସହ ସନ୍ଧନୀ କୁକୁର ପହଞ୍ଚିଥିଲେ। ସେମାନେ ମାଓ ପୋଷ୍ଟର (Mao Poster)  ଜବତ କରିବା ସହ ଗୋଟିଏ ବୋମାକୁ ଫୁଟାଇଥିଲେ ଓ ଅନ୍ୟ ଗୋଟିଏ ବୋମାକୁ ନିଷ୍କ୍ରିୟ କରିଥିଲେ। ତେବେ ବୁଧବାର ପୁଣି ଏକ ଲ୍ୟାଣ୍ଡମାଇନ କିପରି ଫାଟିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ମଙ୍ଗଳବାର ପୋଲିସ ଉକ୍ତ ଲ୍ୟାଣ୍ଡମାଇନକୁ ଖୋଜି ପାଇନଥିଲା ନା ନକ୍ସଲମାନେ ପୁଣିଥରେ ସେଠାରେ ବୋମା ଖଞ୍ଜିଥିଲେ?


ସୂଚନାଯୋଗ୍ୟ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ (Panchayat Election) ପୂର୍ବରୁ ମାଓବାଦୀମାନେ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି। ଗତ ସପ୍ତାହରେ ମାଓବାଦୀଙ୍କ ଖବର ସଂଗ୍ରହ କରିବାକୁ ଯାଇ କଳାହାଣ୍ଡିରେ ଜଣେ ସାମ୍ବାଦିକ ପ୍ରାଣ ହରାଇଥିଲେ। ମାଓବାଦୀଙ୍କ ପୋଷ୍ଟରର ଫଟୋ ଉଠାଇବାକୁ ଯାଉଥିବା ବେଳେ ରାମପୁରର କର୍ଲାଖୁଣ୍ଟା ପୋଲରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ପ୍ରାଣବାୟୁ ଉଡିଯାଇଥିଲା।